ଜାଲି ଜାତି ପ୍ରମାଣପତ୍ରରେ ଚାକିରୀ..

ଜାଲି ଜାତିଗତ ପ୍ରମାଣପତ୍ରରେ ଚାକିରୀ ଓ ସରକାରୀ ସୁବିଧା ହାତେଇବା ଅଭିଯୋଗରେ ୮ଜଣଙ୍କ ନାଁରେ ଏତଲା। ଏତଲା ଦେଇଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ। ଅଣଆଦିବାସୀ ହୋଇ ଆଦିବାସୀ ଜାତି ପ୍ରମାଣପତ୍ର ହାତେଇବା ଅଭିଯୋଗର ତଦନ୍ତ ପରେ ଜାତି ପ୍ରମାଣପତ୍ର ବାତିଲ୍ କରି ଏତଲା ଦେଇଛି ପ୍ରଶାସନ। ଜିଲ୍ଲା ମଙ୍ଗଳ ଅଧିକାରୀ ଥାନାରେ ଯେଉଁମାନଙ୍କ ନାଁରେ ଏତଲା ଦେଇଛନ୍ତି। ସେମାନେ ହେଲେ ସୁଚିତ୍ରା ମାଝୀ, କୁନାଲ ରାଜ ଭତ୍ରା, କିଶୋରୀ ସ୍ନେହୀ ଭତ୍ରା, ଜୋରଶ ଭତ୍ରା, ପ୍ରଦୀପ କୁମାର ଓଡ଼ୁ, ତାଙ୍କ ପରିବାରର ଶରତ ଓଡୁ, ବିଜୟ ବସନ୍ତ ଓଡୁ, ବସନ୍ତ ଓଡୁ।  ବ୍ରହ୍ମପୁର ଆରଡିସିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୩ଟି ପରିବାରର ଏହି ୮ ଜଣ ଜାଲି ଜାତି ପ୍ରମାଣପତ୍ର ହାତେଇବାର ପ୍ରମାଣ ମିଳିବା ପରେ ଜାତି ପ୍ରମାଣପତ୍ର ବାତିଲ୍ ହୋଇଥିଲା। ସେପଟେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ କହିଛି, ୨୦୧୧ରୁ ଆଜି ଯାଏଁ ଜିଲ୍ଲାର ୧୩୭ ଜଣଙ୍କ ନାଁରେ ଜାଲ୍ ଜାତିଗତ ପ୍ରମାଣପତ୍ର ଯାଞ୍ଚ ଲାଗି ଅଭିଯୋଗ ହୋଇଛି। ମାତ୍ର ୮ଟିର ତଦନ୍ତ କରି ଏତଲା ଦେଇଛି ପ୍ରଶାସନ। ତୁରନ୍ତ ବାକି ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ।

ତେବେ ଏମାନଙ୍କ ଭିତରୁ ପୁରୀ ଉପ-ଜିଲ୍ଲାପାଳଙ୍କ ଅଫିସରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି ସୁଚିତ୍ରା ମାଝୀ। ସୁଚିତ୍ରାଙ୍କ କହିବା କଥା, ସେ କୌଣସି ଜାଲି ଜାତି ପ୍ରମାଣପତ୍ର ଦେଇନାହାନ୍ତି। ଯେ କୌଣସି ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ। ଯେହେତୁ ପୁଲିସ ତଦନ୍ତ କରୁଛି। ଆଇନ ଅନୁସାରେ ଯାହା ନିଷ୍ପତ୍ତି ନିଆଯିବ, ସେ ତାକୁ ସମ୍ମାନ ଦେବେ। ଆଉ ଆଇନଜୀବିଙ୍କ ମତରେ, ଜାତି ପ୍ରମାଣପତ୍ରକୁ ଜାଲି କରି ଅନେକ ବ୍ୟକ୍ତି ଦଳିତ ଓ ଆଦିବାସୀଙ୍କ ସଂରକ୍ଷଣ ସୁବିଧାକୁ ଉପଭୋଗ କରିବାର ନଜିର ରହିଛି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଜରୁରୀ। ତ୍ୱରିତ ତଦନ୍ତ କରି ଆକ୍ସନ ନ ହେଲେ ଯେଉଁମାନଙ୍କ ଲାଗି ସଂରକ୍ଷଣ ସୁବିଧା ସମ୍ୱିଧାନ ଦେଇଛି, ସେମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ପୁଲିସ ଏ ଯାଏ ବିଧିବଦ୍ଧ ଏତଲା ରୁଜୁ କରିନି। ଏତଲା ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଠାବ ସହ ସେମାନଙ୍କ ଚାକିରୀ ହିଷ୍ଟ୍ରି ଖୋଜୁଛି ପୁଲିସ। କିଏ ଚାକିରୀରେ ଅଛନ୍ତି ଆଉ କିଏ ଅବସର ନେଇସାରିଲେଣି, ତନାଘନା କରୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *