ଛାଡ଼ପତ୍ର ନ ଦେବାରୁ ପତ୍ନୀକୁ ହତ୍ୟା। ଗୋରଖପୁରରେ ହତ୍ୟାକାରୀ ସ୍ୱାମୀ ଏଭଳି କାଣ୍ଡ ଭିଆଇବା ପରେ ବି ତା ମନରେ କୌଣସି ଅନୁଶୋଚନା ନାହିଁ। ଆଉ କହିଛି, ତାଙ୍କ ପତ୍ନୀ ତାଙ୍କ ଟଙ୍କା ଖାଇଯାଉଥିଲେ। ଗୋରଖପୁରରେ ସମସ୍ତଙ୍କ ସାମ୍ନାରେ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛି ସ୍ୱାମୀ। ସହରରେ ଅଲଗା ଅଲଗା ଜାଗାରେ ରହୁଥିଲେ ପତି ପତ୍ନୀ। ଦୁହିଁଙ୍କ ଭିତରେ ଛାଡ଼ପତ୍ର ମାମଲା ଚାଲିଥିଲା। ପତ୍ନୀ ସହରରେ ଏକ ପ୍ରାଇଭେଟ ଚାକିରୀ କରୁଥିଲେ। ବୁଧବାର ସଂଧ୍ୟାରେ ଅଫିସରୁ ଘରକୁ ଫେରୁଥିଲା ବେଳେ ଏକ ଦୋକାନରେ ଫଟେ ଉଠାଇବାକୁ ଅଟକିଥିଲେ। ଆଉ ତାଙ୍କ ପିଛା କରି ସେଠାରେ ପହଞ୍ଚିଥିଲା ସ୍ୱାମୀ। ଷ୍ଟୁଡୁିଓରୁ ବାହାରିବା ମାତ୍ରେ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା। ଝଗଡ଼ା ଦେଖି ଆଖପାଖରେ ଥିବା ଲୋକେ ରୁଣ୍ଡ ହୋଇଥିଲେ। ଧସ୍ତାଧସ୍ତି ହୋଇଥିଲା ଉଭୟଙ୍କ ଭିତରେ। ଅଚନାକ ସ୍ୱାମୀ ପିସ୍ତଲ ବାହାର କରି ପତ୍ନୀକୁ ଗୁଳି କରିଦେଲା। ଗୋଟିଏ ଗୁଳି ଛାତିରେ ବାଜିଥିଲା ବେଳେ ଆଉ ଗୋଟିଏ ହାତରେ ବାଜିଥିଲା। ତେବେ ଗୁଳି କରିବା ପରେ କୁଆଡ଼େ ଯାଇନଥିଲା ସ୍ୱାମୀ। ସେଇଠାରେ ହିଁ ଛିଡ଼ା ହୋଇରହିଥିଲା। ପୁଲିସ ପହଞ୍ଚି ତାକୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ୧୩ ବର୍ଷର ଝିଅର ଅଭିଯୋଗ କ୍ରମେ ପୁଲିସ ତାଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିଛି। ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ବୁଧବାର ରାତି ପ୍ରାୟ ୮ଟା ବେଳେ ଶାହାପୁର ଥାନା ଏରିଆରେ ଏ ଘଟଣା ଘଟିଛି। ମୃତକ ହେଲେ ମମତା ଚୌହ୍ୱାନ। ଅଭିଯୁକ୍ତ ସ୍ୱାମୀର ନାଁ ବିଶ୍ୱକର୍ମା ଚୌହ୍ୱାନ। ୧୫ ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଉଭୟ। ବିବାହର କିଛି ବର୍ଷ ପରେ ଉଭୟଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଥିଲା। ପରସ୍ପର ଉପରେ ଅବୈଧ ସମ୍ପର୍କର ଆରୋପ ଲଦି ଝଗଡ଼ା କରୁଥିଲେ। ୧୪ ମାସ ପୂର୍ବେ ପରସ୍ପରଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ମାମଲା ଚାଲିଥିଲା। ମମତା ନିଜ ୧୩ ବର୍ଷର ଝିଅ ମୁକ୍ତି ସହ ଶାହାପୁର ଏରିଆରେ ଗୀତା ବାଟିକା ପାଖରେ ଭଡ଼ା ଘରେ ରହୁଥିଲେ। ପଡ଼ୋଶୀଙ୍କ ବୟାନ ଅନୁସାରେ, ଉଭୟଙ୍କ ଭିତରେ ଛାଡ଼ପତ୍ର ମାମଲାର ନିଷ୍ପତ୍ତି ହୋଇପାରୁନଥିଲା। କାରଣ କୋର୍ଟରେ ବୟାନ ଦେବାକୁ ଯାଉନଥିଲେ ମମତା। କୌଣସି ତାରିଖରେ ବି ହାଜର ହେଉନଥିଲେ ମମତା। ଏହାକୁ ନେଇ ବିଶ୍ୱ ଓ ମମତାଙ୍କ ଭିତରେ ଅନେକ ଥର ଝଗଡ଼ା ହେଉଥିଲା। ଝିଅର ଭରଣପୋଷଣ ଲାଗି ଟଙ୍କା ଚାହୁଁଥିଲେ ମମତା। ଏହା ନ କଲା ଯାଏ ଛାଡ଼ପତ୍ର କାଗଜରେ ଦସ୍ତଖତ କରିବାକୁ ଚାହୁଁନଥିଲେ ମମତା। ଆଉ ବିଶ୍ୱକର୍ମା ଚାହୁଁଥିଲେ, ଯେତେ ଜଲଦି ମମତା ଛାଡ଼ପତ୍ର ଦିଅନ୍ତୁ। ଛାଡ଼ପତ୍ର ହେବା ପରେ ବାହାରକୁ ଯାଇ ରୋଜଗାର କରିବାକୁ ଚାହୁଁଥିଲେ ବିଶ୍ୱକର୍ମା ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ତେବେ ବିଶ୍ୱକର୍ମା ଟଙ୍କାଟିଏ ବି ଦେବାକୁ ରାଜି ନଥିଲା। କାରଣ ମମତା ବିଲକୁଲ କୋର୍ଟରେ ହାଜର ହେଉନଥିଲେ। ସେ ତିନି ଦିନ ଯାଏ ମମତାଙ୍କ ପିଛା କରିଥିଲା। ଘରୁ ଅଫିସ ଯାଏ ରେକି କରିଥିଲା। କିନ୍ତୁ ମାରିବାକୁ ସାହାସ କୁଳାଇ ପାରୁନଥାଏ। ଆଉ ଯେତେବେଳେ ମମତା ସହ ଷ୍ଟୁଡ଼ିଓ ଆଗରେ ଧସ୍ତାଧସ୍ତି ହେଲା, ସେତେବେଳେ ରାଗରେ ଗୁଳି କରିଦେଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now