ମୁଣ୍ଡ ବିହୀନ ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣା, ସ୍ୱାମୀ ହିଁ ହତ୍ୟାକାରୀ ! ପରକୀୟା ପ୍ରୀତିକୁ ନେଇ ହତ୍ୟା

Spread the love

ଭୁବନ : ଭୁବନ ଥାନା ଅନ୍ତର୍ଗତ ଅନନ୍ତପୁର – ମହୁଲପାଳ ପୂର୍ତ ବିଭାଗ ରାସ୍ତାର ବାଲିବୋ ବାଇପାସ ନିକଟସ୍ଥ ନାଳ ପାଖରୁ ଗତ ୧୫ ତାରିଖ ସନ୍ଧ୍ୟାରେ ଜନୈକ ମହିଳାଙ୍କ ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର କରାଯାଇଥିଲା । ଭୁବନ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରି ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ।

ଥାନା ସୂତ୍ରରୁ ପ୍ରକାଶ ଯେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଜାମୂପଶି ଗ୍ରାମର ବାବୁଲି ପ୍ରଧାନଙ୍କ ଝିଅ ଅନୁ ପ୍ରଧାନ ଭୁବନ ଥାନା ଅନ୍ତର୍ଗତ ଗରୁଡ଼ବନ୍ଦି ଗ୍ରାମରେ ବିବାହ କରିଥିଲେ । ସେହି ଗରୁଡ଼ବନ୍ଦି ଗ୍ରାମର ସନ୍ତୋଷ ନାୟକ (୨୫) ଆଜକୁ ୪ ବର୍ଷ ପୂର୍ବେ ବିବାହିତା ଅନୁଙ୍କୁ ଭଲପାଇ ତାଙ୍କ ଶାଶୁ ଘରୁ ନେଇଯାଇ ସୁକିନ୍ଦା ଥାନା ଅନ୍ତର୍ଗତ ବିରିଗୁଡ଼ା ଗ୍ରାମରେ ସ୍ୱାମୀ ସ୍ତ୍ରୀ ଭାବେ ରହୁଥିଲେ ଓ ଉମେଶ ବେହେରାଙ୍କ ବୋଲେରୋ ଗାଡ଼ି ଚଳାଇ ପେଟ ପୋଷୁଥିଲେ । ୪ ମାସ ପୂର୍ବେ ଝାଡ଼ଖଣ୍ଡ ଅଞ୍ଚଳର ଲିଲି ଓରଫ ଲଳିତାଙ୍କୁ ବିବାହ କରି ଘରକୁ ଆଣିବା ପରେ ପ୍ରଥମ ସ୍ତ୍ରୀ ଅନୁ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହେଉଥିଲା । ଗତ ୯ ତାରିଖ ରାତି ପ୍ରାୟ ୧୧ ଘଟିକା ସମୟରେ ସନ୍ତୋଷ ତାଙ୍କ ପ୍ରଥମ ସ୍ତ୍ରୀ ଅନୁ ନାୟକଙ୍କୁ ପିଟି ପିଟି ମାରିଦେଇଥିଲେ । ପରେ ନିଜେ ଚଳାଉଥିବା ବୋଲେରୋ ଗାଡିରେ ଶବକୁ ଆଣି ଅନନ୍ତପୁର – ମହୁଲପାଳ ପୂର୍ତ ବିଭାଗ ରାସ୍ତାର ବାଲିବୋ ନାଳ କୂଳରେ ଫିଙ୍ଗି ଦେଇ ଚାଲି ଯାଇଥିଲେ । ଅତ୍ୟନ୍ତ ଚତୁରତା ସହ ସନ୍ତୋଷ ଗତ ୧୫ ତାରିଖ ଦିନ ସୁକିନ୍ଦା ଥାନାରେ ତାଙ୍କ ପତ୍ନୀ ନିଖୋଜ ସମ୍ପର୍କରେ ଏତଲା ଦେଇଥିଲେ । ସୁକିନ୍ଦା ପୋଲିସ ଏ ସମ୍ପର୍କ ରେ ୨୯/୨୦୨୩ ରେ ନିଖୋଜ ମାମଲା ରୁଜୁ କରିଥିଲା । ଏତଲାରେ ଦିଆଯାଇଥିବା ଫଟୋ ରେ ଯେଉଁ ଶାଢ଼ୀ ଥିଲା ବାଲିବୋ ନାଳ କୁଳରୁ ଉଦ୍ଧାର ହୋଇଥିବା ମୁଣ୍ଡ ବିହୀନ ମହିଳା ସେହି ଶାଢ଼ୀ ପିନ୍ଧିଥିଲେ । ଭୁବନ ଥାନା ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରି ଏତଲାକାରି ସନ୍ତୋଷ ନାୟକଙ୍କୁ ଗରୁଡ଼ବନ୍ଦି ଗ୍ରାମରୁ ଥାନାକୁ ଆଣି ପଚରା ଉଚରା କରିବାରୁ ସନ୍ତୋଷ ନିଜେ ହତ୍ୟା କରିଥିବା ସ୍ୱୀକାର କରିଥିଲା । ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ ପାଇଁ ଶବକୁ ନାଳ କୂଳରେ ପକାଇ ଦେଇ ସନ୍ତୋଷ ଗରୁଡ଼ବନ୍ଦୀ ଗ୍ରାମରେ ରହୁଥିଲେ ଓ ରାଜ୍ୟ ବାହାରକୁ ଚାଲିଯିବାକୁ ଯୋଜନା କରୁଥିବା ବେଳେ ଭୁବନ ପୋଲିସ ହାତରେ ଧରାପଡିଥିଲେ । ଏହି ହତ୍ୟାକାଣ୍ଡ ସ୍ପଷ୍ଟ ହେବା ପରେ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ସଂରକ୍ଷଣ ଗୃହରେ ଥିବା ମୃତ ମହିଳାଙ୍କ ଶବକୁ ଭୁବନ ଅଣାଯାଇ ମହିଳାଙ୍କ ବାପା ବାବୁଲି ପ୍ରଧାନଙ୍କୁ ହସ୍ତାନ୍ତର କରାଯାଇଥିଲା । ମୃତ ମହିଳାଙ୍କ ବାପା ସୁକିନ୍ଦା ଥାନାରେ ତାଙ୍କ ଝିଅ ହତ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ସୁକିନ୍ଦା ପୋଲିସ କେଶ୍ ନମ୍ବର ୧୬୮/୨୦୨୩ ଦଫା ୩୦୨,୨୦୧ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅଭିଯୁକ୍ତ ସନ୍ତୋଷକୁ ଭୁବନ ପୋଲିସ ସୁକିନ୍ଦା ଥାନାକୁ ହସ୍ତାନ୍ତର କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *