ଅର୍ଚ୍ଚନାଙ୍କ ବ୍ଲାକମେଲିଂରେ ସ୍ବାମୀ ଓ ସହଯୋଗୀ ସମାନ ଭାଗିଦାର

Spread the love

ଭୁବନେଶ୍ବର:  ଦିନ ଗଡିବା ସହ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର ଖୋଲୁଛି। ବ୍ଲାକମେଲ କରିବାକୁ ସେ ରିତିମତ ପ୍ରସ୍ତୁତ କରୁଥିଲେ ଯୋଜନା ପରେ ଯୋଜନା। ଟାର୍ଗେଟ ଠିକ ହେବା ପରେ କେମିତି ଜାଲରେ ଫସାଯିବ ତାକୁ ନେଇ ଠୋସ ଯୋଜନା କରି ତାଙ୍କ ଅଧୀନରେ ଥିବା ପୁଳା ପୁଳା ଯୁବତୀଙ୍କ ମଧ୍ୟରୁ ଜଣକୁ ବାଛୁଥିଲେ। ତାକୁ ଟ୍ରେନିଂ ଦେଇ ଫସାଉଥିଲେ ବଡବଡିଆଙ୍କୁ। ଏମିତି କି ମାଲଦାର ଗ୍ରାହକଙ୍କ ଅଜାଣତରେ ସେମାନଙ୍କୁ ନିଶା ଦେଇ ସେମାନଙ୍କ ଅଜାଣତରେ ନଗ୍ନ ଭିଡିଓ କରାଇ ନେଉଥିଲେ।

ତା ପରେ ଆରମ୍ଭ ହେଉଥିଲା ବ୍ଲାକମେଲିଂର ଖେଳ। କୋଟି କୋଟି ଟଙ୍କା ମଗାଯାଉଥିଲା ସେହିସବୁ ଭିଡିଓ ଦେଖାଇ। ଟଙ୍କା ନ ଦେଲେ ଭିଡିଓ ଭାଇରାଲ କରିବାର ଦେଉଥିଲେ ଧମକ। ବିଚରା ଗ୍ରାହକ, ସାମାଜିକ ଅପମାନ, ପଦମର୍ଯ୍ୟାଦାର ଭୟରେ ଅର୍ଚ୍ଚନାଙ୍କ ଦାବି ମାନି ନେଉଥିଲେ। ଏମିତି କରି ମାତ୍ର ବର୍ଷ କେଇଟାରେ ଦୁଇଟି କମ୍ପାନୀର ମାଲିକାଣୀ ହେବା ସହ ଠିଆ କରିଥିଲେ ତାଙ୍କ ବିରାଟ କଳା ସାମ୍ରାଜ୍ୟ।

ଗତ ୨ ତାରିଖରେ ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଅଜ୍ଞାତ ଯୁବତୀ ଦେଇଥିବା ଏତଲାରୁ ଅର୍ଚ୍ଚନାଙ୍କ ଟ୍ରିକ୍‌ ବିଷୟରେ ଜଣାପଡିଛି।  ଯୁବତୀ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି କି, ଅର୍ଚ୍ଚନା ନାଗଙ୍କୁ ଏହି କାମରେ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ବର ସହଯୋଗ କରିଥାନ୍ତି। ଯୁବତୀଙ୍କୁ ଏକ ପାର୍ଟିରେ ମୃଦୁ ପାନୀୟରେ ନିଶା ଦେଇ ତାଙ୍କ ଅଶ୍ଳୀଳ ଭିଡିଓ ତିଆରି କରିଥିବା ସେ ଉଲ୍ଲେଖ କରିଛନ୍ତି।

୨୦୧୮ରେ ସେ ଚାକିରି ସନ୍ଧାନରେ ଥିବା ବେଳେ ତାଙ୍କର ସେ ରହୁଥିବା ବିଲ୍ଡିଂର ଅର୍ଚ୍ଚନାଙ୍କ ସହ ସମ୍ପର୍କ ସ୍ଥାପନ ହୋଇଥିଲା। ଅର୍ଚ୍ଚନା ତାଙ୍କୁ ଚାକିରି ଦେବାକୁ ଆଶ୍ବାସନା ଦେଇ ତାଙ୍କ ସହ ଘନିଷ୍ଠତା ବଢାଇଥିଲେ ଓ ତାଙ୍କ ଅଜାଣତରେ ନିଶା ଦେଇ ତାଙ୍କର ନଗ୍ନ ଭିଡିଓ କରି ନେଇଥିଲେ।

ସେହି ଭିଡିଓ ଦେଖାଇ ତାଙ୍କୁ ଅନ୍ୟ ବଡବଡିଆ ଲୋକଙ୍କୁ ଫସାଇବା ବାଧ୍ୟ କରୁଥିଲେ। ଗତ ଏପ୍ରିଲ ମାସରେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନମ୍ବର ଦେଇ ତାଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରାଯାଇଥିଲା। ଅକ୍ଷୟଙ୍କୁ ଡକାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ।  ଅକ୍ଷୟ ଓ ଯୁବତୀଙ୍କ ଭିତରେ ସୃଷ୍ଟି କରାଇଥିଲେ ସମ୍ପର୍କ ଓ ଉଭୟଙ୍କ ଅନ୍ତରଙ୍ଗ ସମୟର ଭିଡିଓ କରିନେଇଥିଲେ। ଯାହାକୁ ଦେଖାଇ ଅର୍ଚ୍ଚନା ଅକ୍ଷୟଙ୍କୁ ବ୍ଲାକ ମେଲ କରିଥିଲେ।

Leave a Reply

Your email address will not be published. Required fields are marked *