ଅଡ଼ୁଆରେ ବିଚାରପତି-  ଆସିବ ମହାଅଭିଯୋଗ!

ଘରେ ବିପୁଳ ନଗଦ ରଖିବା ମାମଲାରେ ଜଷ୍ଟିସ ବର୍ମାଙ୍କ ଅଡ଼ୁଆ ବଢିଚାଲିଛି। ତାଙ୍କ ବିରୁଦ୍ଧରେ ମହାଅଭିଯୋଗ ପତ୍ର ଆଣିବାକୁ ରାଷ୍ଟ୍ରପତିଙ୍କୁ କରାଯାଇଛି ସୁପାରିଶ। ତେବେ ତାଙ୍କ ବିରୁଦ୍ଧରେ ମହାଅଭିଯୋଗ ପତ୍ର ଆଣିବାକୁ ହୋଇଥିବା ସୁପାରିଶ ରଦ୍ଦ କରିବାକୁ ଅପିଲ୍ କରିଛନ୍ତି ଜଷ୍ଟିସ ବର୍ମା। ଅନ୍ତରୀଣ ଯାଞ୍ଚ ପାନେଲ ରିପୋର୍ଟକୁ ଚ୍ୟାଲେଞ୍ଜ କରିଛନ୍ତି ଜଷ୍ଟିସ ବର୍ମା। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ୩ ଜଣିଆ ଅନ୍ତରୀଣ ତଦନ୍ତ କମିଟିର ରିପୋର୍ଟକୁ ଅମାନ୍ୟ କରାଯାଉ ବୋଲି ଅପିଲ୍ କରିଛନ୍ତି ବର୍ମା। ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଦ୍ୱାରା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ମେ ୮ ତାରିଖରେ କରାଯାଇଥିବା ସୁପାରିଶକୁ ରଦ୍ଦ କରିବାକୁ ଦାବି କରିଛନ୍ତି। ଜଷ୍ଟିସ ବର୍ମାଙ୍କୁ ହଟାଇବାକୁ କରାଯାଇଥିଲା ସୁପାରିଶ। ଏହି ଆବେଦନ ସଂସଦର ମୌସୁମୀ ଅଧିବେଶନ ଆଗରୁ ଦାଖଲ କରାଯାଇଛି। ଆସନ୍ତା ୨୧ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଆଉ ସଂସଦରେ ସରକାର ମହାଅଭିଯୋଗର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଜଷ୍ଟିସ ବର୍ମା ନିଜ ଦଲିଲରେ ଦର୍ଶାଇଛନ୍ତି, ତାଙ୍କ କଥା ଶୁଣିବାକୁ ସୁଯୋଗ ଦିଆଯାଇନି। ବିନା ପକ୍ଷ ଶୁଣି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଦିଆଗଲା। ତିନି ଜଣିଆ ଆଭ୍ୟନ୍ତରୀଣ ତଦନ୍ତ ପାନେଲ୍ ବିରୁଦ୍ଧରେ ବି ଆରୋପ ଲଦିଛନ୍ତି। ସେମାନେ ସମ୍ପୂର୍ଣ୍ଣ କଥା ନା ଶୁଣିଲେ ନା ନିରପେକ୍ଷ ଶୁଣାଣୀ ଲାଗି ମଉକା ଦେଲେ। ପ୍ରତିକୂଳ ନିଷ୍କର୍ସ ବାହାର କରିଦେଲେ। ଆଉଟହାଉସରେ ବିପୁଳ ନଗଦ ଟଙ୍କା ପାଇଥିଲେ ସୁଦ୍ଧା ଏହାର ମାଲିକାନା ଓ ବୈଧତା ପ୍ରମାଣିତ କରିବାର ଆବଶ୍ୟକତା ଅଛି। କମିଟି ଅତି ତରବରିଆ ଭାବେ ରିପୋର୍ଟ ଦେଇଛି। ପ୍ରାକୃତିକ ନ୍ୟାୟ ସିଦ୍ଧାନ୍ତର ଉଲ୍ଲଂଘନ ହୋଇଛି। ରିପୋର୍ଟ କେବଳ ଅସ୍ୱୀକାର ଓ ଷଡ଼ଯନ୍ତ୍ରର ଆଳ ଦେଇ ତାଙ୍କ ସଫେଇକୁ ଖାରଜ କରିଦେଲା। ଯେତେବେଳେ କି ନଗଦ ରାଶିକୁ ନେଇ କୌଣସି ପ୍ରତ୍ୟକ୍ଷ ପ୍ରମାଣ ନଥିଲା। ଏ ବିବାଦ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇଥିଲା। ଜଷ୍ଟିସ ବର୍ମାଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ନିଆଁ ଲାଗିଥିଲା। ନିଆଁ ଲିଭାଇବାକୁ ଯାଇଥିବା ଅଗ୍ନିଶମ ବିଭାଗ ଟିମ୍ ଷ୍ଟୋର ରୁମରେ ଜଳାପୋଡ଼ା ଅବସ୍ଥାରେ ବସ୍ତା ବସ୍ତା ଟଙ୍କା ଜବତ କରିଥିଲା। ବିଚାରପତିଙ୍କ ଘରେ ଜଳିଥିବା ନଗଦ ମିଳିବା ଖବର ସାମ୍ନାକୁ ଆସିବା ପରେ ବିବାଦ ତେଜିଥିଲା। ଏ ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ତୁରନ୍ତ ପ୍ରଧାନ ବିଚାରପତିଙ୍କୁ ଅବଗତ କରାଇଥିଲେ। ଏହା ପରେ ମାର୍ଚ୍ଚ ୨୨ରେ ତିନି ସଦସ୍ୟ ବିଶିଷ୍ଟ ତଦନ୍ତ ପାନେଲ ଗଠନ କରିଥିଲେ ସୁପ୍ରିମକୋର୍ଟ। କମିଟିରେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ସିଲ୍ ନାଗୁ, ହିମାଚଳପ୍ରଦେଶ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଜିଏସ ସଂଧବାଲୟ ଓ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ଅନୁ ଶିବରମଣ ଥିଲେ। ଏହି କମିଟି ୫୫ ସାକ୍ଷୀଙ୍କୁ ପଚରାଉଚୁରା ସହ ୧୦ ଦିନ ଯାଏଁ ତଦନ୍ତ ଜାରି ରଖିଥିଲେ। ମେ ୩ରେ ନିଜର ୬୪ ପୃଷ୍ଠା ସମ୍ୱଳିତ ତଦନ୍ତ ରିପୋର୍ଟ ତତ୍କାଳୀନ ସିଜେଆଇ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ଦେଇଥିଲେ। ରିପୋର୍ଟରେ କୁହାଯାଇଥିଲା, ବର୍ମାଙ୍କ ଘରୁ ମିଳିଥିବା ନଗଦ ପଛରେ ଗୁପ୍ତ ନଚେତ ପ୍ରତ୍ୟକ୍ଷ ନିୟନ୍ତ୍ରଣର ସଙ୍କେତ ମିଳିଛି। ଏଭଳି ଘଟଣା ନ୍ୟାୟପାଳିକାର ଗାରିମା ଓ ସାର୍ବଜନୀକ ବିଶ୍ୱାସ ବିରୋଧୀ ଅଟେ। ଏ ଘଟଣା ମହାଅଭିଯୋଗ ଲାଗି ଯୋଗ୍ୟ ବିବେଚିତ ଅଟେ। ଏଭଳି ଘଟଣାକୁ ଗମ୍ଭୀର କଦାଚାର ମାନିଥିଲା କମିଟି ଆଉ ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ମହାଅଭିଯୋଗର କାର୍ଯାନୁଷ୍ଠାନ ଲାଗି ସୁପାରିଶ କରିଥିଲେ। ଏହା ପରେ ତତ୍କାଳୀନ ସିଜେଆଇ ଜଷ୍ଟିସ ଖାନ୍ନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏହାର ସୁପାରିଶ କରିଥିଲେ। ଏବେ ଆହ୍ଲାବାଦ ହାଇକୋର୍ଟରେ ବିଚାରପତି ଥିବା ଜଷ୍ଟିସ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେପଟେ ଏ ଘଟଣାକୁ ନେଇ ରାଜନୀତିକ ହଲଚଲ ଆରମ୍ଭ ହୋଇଛି। ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁ ସ୍ପଷ୍ଟ କରିଛନ୍ତି ଯେ, ସରକାର ବିରୋଧୀଙ୍କ ସହ ସମ୍ପର୍କରେ ଅଛନ୍ତି। ମୌସୁମୀ ଅଧିବେଶନରେ ଯେମିତି ମହାଅଭିଯୋଗ ପ୍ରସ୍ତାବ ଆସିପାରିବ। ଗୃହରେ ପ୍ରସ୍ତାବ ଆଗତ କରିବେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ। ଏହା ଭିତରେ ଇଣ୍ଡିଆ ମେଣ୍ଟ ବି ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବଙ୍କ ବିରୁଦ୍ଧରେ ମହାଅଭିଯୋଗ ଆଣିବାକୁ ଦାବିକୁ ଦୋହରାଇବ ବୋଲି କହିଛି। ଡିସେମ୍ୱର ୧୩, ୨୦୨୪ରେ ବିରୋଧୀ ଦଳର ୫୫ ସାଂସଦ ଜଷ୍ଟିସ ଯାଦବଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ ଦେଇଥିଲେ। ବିଶ୍ୱ ହିନ୍ଦୁ ପରିଷଦର ଏକ କାର୍ଯ୍ୟକ୍ରମରେ ଜଷ୍ଟିସ ଯାଦବଙ୍କ ଭାଷଣ ଆଧାରରେ ଏହି ମହାଅଭିଯୋଗ ପ୍ରସ୍ତାବ ଆସିଥିଲା। ସୁପ୍ରିମକୋର୍ଟ ଏହି ମାମଲାର ଆଭ୍ୟନ୍ତରୀଣ କମିଟି ଗଠନ କରିଥାଆନ୍ତେ କି କଅଣ। କିନ୍ତୁ ରାଜ୍ୟସଭା ସଚିବାଳୟ ଏଥିରେ ହସ୍ତକ୍ଷେପ କରିବା ପରେ ମାମଲା ଶୀତଳଭଣ୍ଡାରକୁ ଚାଲିଯାଇଥିଲା। ଅବଶ୍ୟ ଏହି ବିବାଦରେ ନୂଆ ମୋଡ଼ ଆସିଛି। ଯେବେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ମେ ୧୯ରେ ସାର୍ବଜନୀକ ରୂପରେ ଇନ-ହାଉସ୍ ଯାଞ୍ଚ ପ୍ରକ୍ରିୟାର ସାମ୍ୱିଧାନିକ ବୈଧତାକୁ ନେଇ ଅଙ୍ଗୁଳି ଉଠାଇଥିଲେ। ଏହାକୁ ପ୍ରଭାବହୀନ କହି ଏହି ମାମଲାରେ ଅପରାଧିକ ଯାଞ୍ଚ ଅଧିକ ଉପଯୁକ୍ତ ହେବ ବୋଲି କହିଥିଲେ ଧନକଡ଼।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *