ପୁରା ପୋଲକୁ ଚୋରି କରିନେଲେ। ଶୁଣିବାକୁ ଅଜବ ଲାଗୁଥିଲେ ବି ସତ। ଛତିଶଗଡ଼ର କୋରବାରୁ ଆସିଛି ଏଭଳି ଘଟଣା। କେନାଲରେ ଲାଗିଥିବା ୭୦ ଫୁଟ ଲମ୍ୱାର ଲୁହା ପୋଲକୁ ଖଣ୍ଡ ଖଣ୍ଡ କରି କାଟିନେଇଥିଲେ ଚୋର। ରେଲିଂ କାଟିବାକୁ ଏଲପିଜି ସିଲିଣ୍ଡର, ଅକ୍ସିଜେନ ଓ ଗ୍ୟାସ କଟର ବ୍ୟବହାର କରିଥିଲେ ଚୋର ଗ୍ୟାଙ୍ଗ। ପ୍ରାୟ ୫ ଟନ୍ ଷ୍ଟିଲ୍ ବାହାର କରିବାକୁ ସକ୍ଷମ ହୋଇଥିଲେ। ରାତାରାତି ଏ କାମ ସାରିଦେଲେ ଚୋର। ଶେଷରେ ଧରାପଡ଼ିଛନ୍ତି ଏଭଳି କାରନାମା କରିଥିବା ୫ ଚୋର। ହେଲେ ମୁଖ୍ୟ ଅଭିଯୁକ୍ତ ସମେତ ୧୦ ଜଣ ଏବେ ବି ଫେରାର୍। ଗିରଫ ଅଭିଯୁକ୍ତ ହେଲେ ୧୯ ବର୍ଷୀୟ ସୁମିତ ସାହୁ, ୨୦ ବର୍ଷୀୟ ଲୋଚନ କେୱଟ, ୨୨ ବର୍ଷୀୟ କେଶବପୁରଈ ଗୋସ୍ୱାମୀ, ୨୩ ବର୍ଷୀୟ ଜୟସିଂ ରାଜପୁତ ଓ ୨୭ ବର୍ଷୀୟ ମୋତି ପ୍ରଜାପତି। ରାତାରାତି ଗାଏବ ହୋଇଯାଇଥିଲା ଲୁହାର ପୋଲ। ସକାଳୁ ଉଠି ଲୋକ ଦେଖନ୍ତି ତ, ଆଉ ପୋଲ ନାହିଁ। ହସଦେବ ନାଳ ଉପରେ ଲୁହା ପୋଲ ଥିଲା। ଏହି ପୋଲ ଦେଇ ଲୋକେ ଯାତାୟତ କରନ୍ତି। ପ୍ରାୟ ୪୦ ବର୍ଷ ପୁରୁଣା ପୋଲ। ଜାନୁଆରୀ ୧୬ ରାତି ୧୧ଟା ଯାଏ ପୋଲ ଥିଲା। କିନ୍ତୁ ସକାଳୁ ନଥିଲା। କେବଳ ଲୁହାର କିଚି କଟା ଅଂଶ ଦେଖିବାକୁ ମିଳିଥିଲା। ପୁଲିସର କହିବା କଥା, ଚୋରି ପଛରେ ଜଣେ କବାଡ଼ିଆର ହାତ ଅଛି। ଯିଏ ଏକ ବଡ଼ ଗ୍ୟାଙ୍ଗକୁ ପରିଚାଳନା କରୁଛି। ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍ ଅଛି। ପ୍ରଶାସନ ତାକୁ ବ୍ୟାନ୍ କରିବାକୁ ନୋଟିସ ଜାରି କରିବାକୁ ଚିନ୍ତା କରିଛି। କୋରବା ଏସପି କହିଛନ୍ତି, ଚୋରି ଓ ସାର୍ବଜନୀନ ସମ୍ପତ୍ତି କ୍ଷତି ପହଞ୍ଚାଇବାର ମାମଲା ରୁଜୁ ହୋଇଛି। ମୁଖ୍ୟ ଅଭିଯୁକ୍ତର ନାଁ ମୁକେଶ ସାହୁ ଓରଫ ବରବଟ୍ଟି। ଯେଉଁ ଗାଡ଼ିରେ ଲୁହା ଖଣ୍ଡ ନିଆଯାଇଥିଲା, ତାକୁ ବି ସିଜ୍ କରାଯାଇଛି। ଆଉ ପୋଲର ବାକି ଅଂଶ କେଉଁଠି, ଖୋଜା ଚାଲିଛି। ଏପ୍ରିଲ ୨୦୨୨ରେ ବିହାରର ରୋହତାସ ଜିଲ୍ଲାରେ ଅନୁରୂପ ଚୋରି ହୋଇଥିଲା। ୪୦ ବର୍ଷ ପୁରୁଣା ୫ଶହ ଟନର ଷ୍ଟିଲ ପୋଲକୁ ଚୋରେଇ ନେଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now