ଜୟପୁର : ଚୋରା ବାଇକ ରାକେଟ ଠାବ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ୩ ଅଭିଯୁକ୍ତ ହେଲେ ଜୟପୁର ବିକ୍ରମ ନଗର ଲାଲ ସାହିର ଏଲ. ଅଖିଳ (୨୨), ବୈପାରିଗୁଡା ଥାନା ଦଶମନ୍ତପୁରର କୃଷ୍ଣ ନାୟକ (୧୯), ଚୋରି ବାଇକ କ୍ରୟ କରିଥିବା ଅଭିଯୋଗରେ ନବରଙ୍ଗପୁର ଜିଲା କୋଡିଙ୍ଗା ପଦ୍ମନ ହରିଜନ (୨୫) । ଏନେଇ ଜୟପୁର ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଥିଲା। ଏଥିରେ ଜୟପୁର ଏସଡିପିଓ ହରିସ ବିସି ଉପସ୍ଥିତ ରହି ସୂଚନା ଦେଇଥିଲେ ଯେ, ଗତ ଅପ୍ରେଲ ୧୯ ତାରିଖରେ ଜୟପୁର ପାୱାର ହାଉସ କଲୋନିରେ ରହୁଥିବା ଜି. ଗଣେଷ ନିଜ ବାଇକ ଘର ସମ୍ମୁଖରେ ରଖିଥିବା ବେଳେ ଚୋରି ହୋଇଯାଇଥିଲା । ଏନେଇ ସେ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ୨ ଅଭିଯୁକ୍ତ ଏଲ. ଅଖିଳ ଓ କୃଷ୍ଣ ନାୟକକୁ ଗିରଫ କରିଥିଲା । ଏମାନଙ୍କ ଠାରୁ ଚୋରି ବାଇକ କ୍ରୟ କରିଥିବା ଅଭିଯୋଗରେ ପଦ୍ମନ ହରିଜନକୁ ଗିରଫ କରିଥଲା । ଜୟପୁର ସଦର, ଟାଉନ, କୁନ୍ଦୁରା, କୋରାପୁଟ, ଛତିଶଗଡ ଓ ତେଲେଙ୍ଗାନାରୁ ୧୧ଟି ବାଇକ ଜବତ କରିଛି । ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଏହି ମାମଲାରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯିବ ବୋଲି ଏସଡିପିଓ ହରିସ ବିସି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ନାମରେ ମଧ୍ୟ ଆଗରୁ ଅପରାଧିକ ମାମଲା ରହିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଅଭିଯୁକ୍ତ ମାନେ ରାଜ୍ୟ ଓ ରାଜ୍ୟ ବାହାରୁ ବାଇକ ଚୋରି କରି ପ୍ରଥମେ ଏହାର ନମ୍ବର ପ୍ଲେଟ, ବଦଳାଇ ଦେଉଥିଲେ । ଏପିରିକ ଗାଡିର ଇଞ୍ଜିନ ଓ ଚେସିସ ନମ୍ବର ବି ବଦଳାଇ ଦେଉଥିଲେ । ଏହା ପରେ ନବରଙ୍ଗପୁରରେ ଥିବା ଏକ ସେକେଣ୍ଡ ହ୍ୟାଣ୍ଡ ବାଇକ ସୋ ରୁମ ମାଧ୍ୟମରେ ଗ୍ରାହାକ ଯୋଗାଡ କରି ସେଗୁଡିକୁ ବିକ୍ରି କରୁଥିଲେ ।
ଏହି ସାମ୍ବାଦିକ ସମ୍ମିଳନିରେ ଅନ୍ୟ ମାନଙ୍କ ମଧ୍ୟରେ ଟାଉନ ଥାନା ଅଧିକାରି ସମ୍ବିତ କୁମାର ବେହେରା, ଏସଆଇ ସଞ୍ଜିବ ମହାନ୍ତି, ସିଦ୍ଧାନ୍ତ ବେହେରା, ବିଷ୍ଣୁ ବେହେରା, ଏଏସଆଇ ବିଷ୍ଣୁ ମାଡକାମି ଉପସ୍ଥିତ ଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now