ହସ୍ପିଟାଲ ଶଯ୍ୟାରେ ଅମାନୁଷିକ ଆକ୍ରୋଶମୂଳକ ଆଚରଣ କେତେ ଆଇନସମ୍ମତ…

Spread the love

ବର୍ବରତାର ସବୁ ସୀମା ଉଲ୍ଲଂଘନ କଲା ନୀଳଗିରି ପୁଲିସ। ସାମ୍ୱାଦିକ ଲୋକନାଥ ଦଳେଇଙ୍କ ବିରୋଧରେ ପୁଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଓ ହସ୍ପିଟାଲ ବେଡ୍‌ରେ ଗୋଡ଼ରେ ବେଡ଼ି ପକାଇବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ଆଲୋଡ଼ନ। କଳାବ୍ୟାଚ୍ ପିନ୍ଧି ଚାରିଆଡ଼େ ପ୍ରତିବାଦ। ପୁଲିସ ଉପରେ ଆକ୍ସନ ସହ ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପଠାଇଛି ସାମ୍ୱାଦିକ ସଂଘ। ତେବେ ହାବିଲଦାର ନିଲମ୍ୱିତ ହୋଇଥିଲେ।

ଆଉ ଶେଷରେ ବଦଳିଲେ ଆଇଆଇସି ଦ୍ରୌପଦୀ ଦାସ। ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ବି ବଦଳି କରାଯାଇଛି। ତଦନ୍ତ ଶେଷ ନ ହେଲା ଯାଏ ପୁଲିସ ମୁଖ୍ୟାଳୟରେ ରହିବେ ଉଭୟ। ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏହାକୁ ଅତି ଗୁରୁତର ସହ ନିଆଯାଇ ତଦନ୍ତ ଜାରି ଥିବା କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି।
ସେପଟେ ଘଟଣାକୁ ନିଜ ସଂଜ୍ଞାନକୁ ନେଇ ମାନବାଧିକାର ଉଲ୍ଲଂଘନ ହୋଇଥିବା ହୃଦବୋଧ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ଆଇଜିଙ୍କୁ ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି। ହସ୍ପିଟାଲ ବେଡ୍‌ରେ କେଉଁ ପରିସ୍ଥିତିରେ ବେଡ଼ି ପକାଗଲା, ତାହାର ଯଥାର୍ଥତାକୁ ବି ଦର୍ଶାଇବ ପୁଲିସ। ଏହା ସହ ବାଲେଶ୍ୱର ସିଡିଏମଓଙ୍କୁ ବି ଜବାବ ତଲବ କରିଛନ୍ତି କମିଶନ। ସେପଟେ ଏଡିଟର୍ସ ଗିଲ୍ଡ ବି ଏହାକୁ ନେଇ ଚିନ୍ତା ପ୍ରକଟ କରିଛି। ମଧ୍ୟପ୍ରଦେଶ ଭୋପାଳରେ ସାମ୍ୱାଦିକଙ୍କୁ ଥାନାରେ ଉଲଗ୍ନ ଘଟଣାରୁ ନେଇ ନୀଳଗିରିରେ ସାମ୍ୱାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଭଳି ଅମାନବୀୟ ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ିଛି ଏଡିଟର୍ସ ଗିଲ୍ଡ। କ୍ଷମତାର ଦୁରୁପଯୋଗ କରୁଥିବା ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ ଆକ୍ସନ ନେବାକୁ ଦାବି କରିଛି। ସେପଟେ ସରକାରଙ୍କ ଆଇନକାନୁନ କାହା ପାଇଁ କେମିତି, ତାହା ଜଳଜଳ କରି ଦିଶୁଛି କହି ଟାର୍ଗେଟ କରିଛନ୍ତି ବିରୋଧୀ ଦଳ।
ସାମ୍ୱାଦିକ ଲୋକନାଥ ଏବେ ଆଇସିୟୁରେ ଚିକିତ୍ସାଧୀନ। ପୁଲିସର ବର୍ବରତାକୁ ନେଇ ସବୁଠି ଉଦବେଗ ପ୍ରକାଶ ପାଉଛି। ଗୃହରକ୍ଷୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଲୋକନାଥଙ୍କୁ ଗିରଫ ଘଟଣା ଭିନ୍ନ। ସେ କଥା ଆଇନ ବିଚାର କରିବ। ହେଲେ ଏବେ ବି ପ୍ରଶ୍ନ ହସ୍ପିଟାଲ ଶଯ୍ୟାରେ ଏଭଳି ଅମାନୁଷିକ ଆକ୍ରୋଶମୂଳକ ଆଚରଣ କେତେ ଆଇନସମ୍ମତ।

Leave a Reply

Your email address will not be published. Required fields are marked *