କରୁର ଦଳାଚକଟାରେ ୪୧ ଜଣଙ୍କ ମୃତ୍ୟୁ ସାଙ୍ଗକୁ ୬୦ରୁ ଅଧିକ ଆହତ ହେଲେ। ଏହି ଘଟଣାରେ ଗୁଜବ ପ୍ରଚାର କରିଥିବା ତାମିଲ ୟୁଟ୍ୟୁବର ଫେଲିକ୍ସ ଗେରାଲ୍ଡଙ୍କୁ ପୁଲିସ ଗିରଫ କରିଛି। ଅଭିନେତା ବିଜୟଙ୍କ କରୁର ରାଲିରେ ଦଳାଚକଟା ଘଟଣାରେ ଗୁଜବ କରିଥିଲେ ଫେଲିକ୍ସ। ଟିଭିକେର ପଦାଧିକାରୀ ପୌନରାଜଙ୍କୁ ମୁଖ୍ୟ ଅଭିଯୁକ୍ତ ଓ ପାର୍ଟି ପଦାଧିକାରୀ ମଥିୟାଲଗନଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ କରିଛି ଏସଆଇଟି। ଦଳାଚକଟା ଘଟଣାରେ ଟିବିକେର ଯେଉଁ ୩ ପଦାଧିକାରୀ ଥିଲେ, ତାଙ୍କ ଭିତରେ ଏମାନେ ଥିଲେ। ପାର୍ଟି ମହାସଚିବ ବୁର୍ସି ଆନନ୍ଦ ଓ ଉପ ମହାସଚିବ ନିର୍ମଳ କୁମାରଙ୍କ ନାଁ ବି ଅଭିଯୋଗପତ୍ରରେ ରହିଛି। ଏହି ଘଟଣାରେ ନୀରବତା ଭଙ୍ଗ କରି ମୁହଁ ଖୋଲିଛନ୍ତି ବିଜୟ। ବିଜୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଭିଡ଼ିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ତାଙ୍କୁ ବରଂ ଗିରଫ କରନ୍ତୁ ସରକାର। କିନ୍ତୁ ତାଙ୍କ ପାର୍ଟି କର୍ମକର୍ତ୍ତାଙ୍କ କୌଣସି କ୍ଷତି କରନ୍ତୁନି। ସେ ଖୁବ ଶୀଘ୍ର ପୀଡ଼ିତଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଯିବେ। ସେ ନିଜ ଜୀବନରେ କେବେ ବି ଏମିତି ଭୟଙ୍କର ସ୍ଥିତି ସାମ୍ନା କରିନାହାନ୍ତି। ଦଳାଚକଟାର ସତ ଶୀଘ୍ର ସମସ୍ତଙ୍କ ସାମ୍ନାକୁ ଆସିବ। ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ଦାୟୀ କରିଛନ୍ତି ବିଜୟ। ଯଦି ପ୍ରତିଶୋଧ ନେବାର ଅଛି, ମୋତେ ଘରୁ ଉଠାଇନିଅ ବୋଲି କହିଛନ୍ତି ବିଜୟ। ଟିଭିକେ ୫ଟି ଜିଲ୍ଲାରେ କ୍ୟାମ୍ପେନ୍ କରିଥିଲା। କେଉଁଠି ବି ଅପ୍ରୀତିକର ପରିସ୍ଥିତି ହୋଇନଥିଲା ବେଳେ କରୁରରେ ହେବା ପଛରେ ଗଭୀର ଷଡ଼ଯନ୍ତ୍ର ରହିଛି। ବିଜେପି ସାଂସଦ ହେମାମାଳିନୀଙ୍କ ନେତୃତ୍ୱରେ ଏନଡିଏର ୮ ଜଣିଆ ସଂସଦୀୟ ପ୍ରତିନିଧି ଦଳ ଆଜି କରୁର ପହଞ୍ଚିଥିଲେ। ବେଲୁସାମିପୁରମରେ ଘଟଣାସ୍ଥଳକୁ ନିରୀକ୍ଷଣ କରିବା ସହ ମୃତକଙ୍କ ପରିବାର ଓ ଆହତଙ୍କୁ ଭେଟିଛନ୍ତି। ପ୍ରତିନିଧି ଦଳ କହିଛି, ଯେଉଁଠି ରାଲି ଲାଗି ଅନୁମତି ଦିଆଯାଇଥିଲା, ସେଠି ଦେବାର ହିଁ ନଥିଲା। ୧୦ହଜାର ଲୋକଙ୍କୁ ଅନୁମତି ମିଳିଥିଲା। ଯେତେବେଳେ ୩୩ ହଜାର ଲୋକ ସମାଗମ ହୋଇଗଲା, ପୁଲିସ ଓ ପ୍ରଶାସନ କଅଣ କରୁଥିଲା। ଏହା ପ୍ରଶାସନିକ ଫେଲ୍। ରାଜ୍ୟ ସରକାରଙ୍କଠୁ ଉତ୍ତର ଚାହୁଁଛନ୍ତି ପୀଡ଼ିତ ପରିବାର। ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେଉ, ସେଥିଲାଗି ସରକାର ଯତ୍ନବାନ୍ ହେବା ଉଚିତ୍ ବୋଲି କହିଛନ୍ତି ଅନୁରାଗ ଠାକୁର ଓ ଅପରାଜିତା ଷଡ଼ଙ୍ଗୀ। ଆଗୁଆ ଜାମିନ୍ ପାଇଁ ମାଡ୍ରାସ ହାଇକୋର୍ଟରେ ଅପିଲ୍ କରିଛନ୍ତି ଟିଭିକେ ଦଳୀୟ ପଦାଧିକାରୀ। ତାମିଲନାଡୁର କରୁରରେ ଗଲା ୨୭ ତାରିଖ ଦଳୀୟ ରାଲିରେ ଦଳାଚକଟାରୁ ଏ ପର୍ଯ୍ୟନ୍ତ ୪୧ଜଣଙ୍କ ଜୀବନ ଗଲାଣି।

Naxatra News is now on Whatsapp
Join and get latest news update delivered to you via whatsapp
Join Now