ବରେଲିରେ ଆରଆଇଙ୍କୁ ଅପହରଣ ଓ ହତ୍ୟା ମାମଲାରେ ୧୮ ଦିନ ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ସହ ଘଟଣା ଉପରୁ ପରଦା ଉଠାଇଛି। ଜମି ଦୁର୍ନୀତିର ପର୍ଦ୍ଦାଫାସ କରିଥିବା ଆରଆଇଙ୍କୁ ସବୁଦିନ ଲାଗି ବାଟରୁ ହଟାଇବାକୁ ଦୁର୍ବୃତ୍ତ କରିଥିଲେ ଷଡ଼ଯନ୍ତ୍ର। ଆରଆଇଙ୍କ କଙ୍କାଳ ନାଳରୁ ଉଦ୍ଧାର କରି ଛାନଭିନ କରିଥିଲା ପୁଲିସ। ପୁଲିସ କପଡାରୁ ମୃତକଙ୍କୁ ଚିହ୍ନଟ କରିଥିଲା। ଆରଆଇ ମନୀଷ ଚନ୍ଦ୍ର କଷ୍ୟପ ନଭେମ୍ୱର ୨୭ରୁ ନିଖୋଜ ଥିଲେ। ଘରୁ ପ୍ରାୟ ୪ କିଲୋମିଟର ଦୂର ମିର୍ଜାପୁର ନାଳରେ ତାଙ୍କର କଙ୍କାଳକୁ ଠାବ କରିଥିଲା ପୁଲିସ। ଖପୁରୀ ପଡ଼ିଥିଲା। ହାତ ଗୋଡ଼ ଅନ୍ୟତ୍ର ପଡ଼ିଥିଲା। ଗଳିତ ଶବ ଉଦ୍ଧାର କରିଥିଲା ପୁଲିସ। ହତ୍ୟାରେ ସଂପୃକ୍ତ ଦୁଇ ଅଭିଯୁକ୍ତ ଓମବୀର ଓ ସୁରଜଙ୍କୁ ଗିରଫ କରିଛି ପୁଲିସ। ଅନ୍ୟ ଜଣେ ଅଭିଯୁକ୍ତ ନହ୍ନେ କଶ୍ୟପ ଫେରାର୍ ଅଛି। ଏହି ତିନି ଅଭିଯୁକ୍ତ ଗାଁ ସୋସାଇଟିର ଜମିକୁ କବଜା କରିଥିଲେ। ଆରଆଇ ମନୀଷ ଏ ସମ୍ପର୍କରେ ପ୍ରଶାସନକୁ ରିପୋର୍ଟ ପଠାଇଥାନ୍ତେ। ଆଉ ଏହି ରିପୋର୍ଟ ପ୍ରଶାସନକୁ ଗଲେ ତାଙ୍କ ଲାଗି ଅଡ଼ୁଆ ହେବ ଭାବି ସବୁଦିନ ଲାଗି ମନୀଷଙ୍କୁ ବାଟରୁ ହଟାଇବାକୁ ଯୋଜନା କରିଥିଲେ ତିନି ଅଭିଯୁକ୍ତ। ଓମବୀର ୬ ମାସ ହେଲା ଆରଆଇଙ୍କୁ ଜାଣିଥିଲା। ମନୀଷଙ୍କ ସହ ତାଙ୍କର ଫୋନରେ ବି ଅନେକ ଥର କଥାବାର୍ତ୍ତା ହୋଇଛି। ଅନେକ ଥର ପରସ୍ପରକୁ ବି ଭେଟିଛନ୍ତି। ଏହାର ଫାଏଦା ନେଇ ନଭେମ୍ୱର ୨୭ରେ ମନୀଷଙ୍କୁ ସାଙ୍ଗରେ ମଦ ପିଇବାକୁ ଡାକିଥିଲେ ତିନି ଅଭିଯୁକ୍ତ। ଆଉ ଆର୍ଟିଗା ଗାଡ଼ି ଭିତରେ ମନୀଷର ଗଳା ଚିପି ହତ୍ୟା କରିଦେଇଥିଲେ ଅଭିଯୁକ୍ତ। ୪ ଲକ୍ଷ ଟଙ୍କା ଅସୁଲି ଲାଗି ଏହି ଅପହରଣ ହୋଇଥିଲା ବୋଲି ପୁଲିସ କହିଥିଲା। ମନୀଷଙ୍କ ପରିବାର ସାଙ୍ଘାତିକ ଆରୋପ ଲଦିଛନ୍ତି। ସରକାରୀ ଜମି ଦୁର୍ନୀତିର ଗୁମର ପଦାରେ ପକାଇବା ପୂର୍ବରୁ ତହସିଲର କିଛି ଅଧିକାରୀଙ୍କ ସହ ଅଭିଯୁକ୍ତ ମିଳିତ ଚକ୍ରାନ୍ତ କରି ତାଙ୍କ ପୁଅକୁ ମାରିଦେଲେ। ଅପହରଣ ନେଇ ଯେତେବେଳେ ପୁଲିସ ଓ ପ୍ରଶାସନ ପାଖରେ ପରିବାର ଫେରାଦ୍ ହୋଇଥିଲେ, ସେତେବେଳେ କେହି ଶୁଣିଲେନି। ଫରିଦପୁର ତହସିଲରେ ଡ୍ୟୁଟି ଅବସରରେ ହିଁ ନଭେମ୍ୱର ୨୭ରୁ ନିଖୋଜ ହୋଇଯାଇଥିଲେ। ମନୀଷ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ଜିଲ୍ଲାପାଳ କହିଛନ୍ତି, ତଦନ୍ତ ଜାରି ରହିଛି। ଏଥିରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ଖୋଳତାଡ଼ ପରେ ସ୍ପଷ୍ଟ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now