ଲୁମେକ୍ସ ମହାଠକେଇ: ପୀଡ଼ିତାଙ୍କ ଘରେ ରେଡ୍- ସିସିଟିଭି ସତ କହୁଛି ନା ଆରଟିଆଇ?

ଲୁମେକ୍ସ ମହାଠକେଇ ମାମଲାରେ କମିଶନରେଟ ପୁଲିସର ଭୂମିକା ଆରମ୍ଭରୁ ସନ୍ଦେହଜନକ। ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା, ଅଭିଯୋଗକାରୀଙ୍କୁ ଧମକ ଦେଇ ମାମଲାକୁ ଭିନ୍ନ ମୋଡ଼ ଦେବା ଭଳି ସଙ୍ଗୀନ ମାମଲାରେ ପୁଲିସକୁ ଅଦାଲତି ଝଟକା ବି ଲାଗିଛି। ପୀଡ଼ିତଙ୍କ ଘରେ ରେଡ୍ କରିଥିଲା ପୁଲିସ ପ୍ରାୟ ୮ ଘଣ୍ଟା ଧରି। ଆରଟିଆଇ ରେକର୍ଡ କହୁଛି, ଡିସେମ୍ୱର ୩, ୨୦୨୧ ତାରିଖରେ ପୁଲିସ କୌଣସି ରେଡ୍ କରିନି। ଇନଫୋସିଟି ପୁଲିସ ଥାନା ପକ୍ଷରୁ ଏମିତି କୌଣସି ରେଡ୍ ହୋଇନି ବୋଲି ଆରଟିଆଇ ତଥ୍ୟ କହୁଛି। ମେ ୭ ତାରିଖରେ ଇନଫୋସିଟି ଥାନାର ଆଇଆଇସି ମହେନ୍ଦ୍ର କୁମାର ସାହୁ ଏହି ସୂଚନା ଦେଇଛନ୍ତି ପୀଡ଼ିତାଙ୍କ ସ୍ୱାମୀ ପ୍ରଜ୍ଞାପ୍ରକାଶ ନାୟକଙ୍କୁ। କିନ୍ତୁ ସିସିଟିଭି ଭିଡ଼ିଓ କହୁଛି, ତତ୍କାଳୀନ ଆଇଆଇସି ସମିତା ମିଶ୍ରଙ୍କ ସମେତ ପ୍ରକାଶ ପାଲ ପୀଡ଼ିତା ନିଶାରାଣୀ ମହାପାତ୍ରଙ୍କ ଘରେ ୮ ଘଣ୍ଟା କାଳ ରେଡ୍ କରିଥିଲେ। ସମିତା ମିଶ୍ର ସେହି ମହିଳା ଥାନାଧିକାରୀ, ଯାହାଙ୍କର କର୍ତ୍ତବ୍ୟ ଅବହେଳାରେ ତାଙ୍କୁ ଫିଲ୍ଡ ପୋଷ୍ଟିଂରୁ ବର୍ଷେ କାଳ ହଟାଇବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଏତଲା ରୁଜୁ କରିବା ବାଧ୍ୟତାମୂଳକ ଥିଲା ବେଳେ ଏହାକୁ କାର୍ଯ୍ୟକାରୀ କରିନଥିବା ହେତୁ ସମିତାଙ୍କୁ ବାଧ୍ୟତାମୂଳକ ତାଲିମ ଦେବାକୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ। ବହୁ ଚର୍ଚ୍ଚିତ ଲୁମେକ୍ସ ମହାଠକେଇ ମାମଲାରେ ଏଯାଏଁ ଦୋଷୀ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇନି। ପ୍ରଶାସନ କି ସରକାର ପକ୍ଷରୁ ସେମିତି କିଛି ନ୍ୟାୟ ନ ପାଇବାରୁ ତ ବାଧ୍ୟ ହୋଇ ପୀଡ଼ିତା ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଏହି ମହାଠକେଇ ମାମଲାରେ ପୁରା ପ୍ରକରଣରେ ଜଣେ ବରିଷ୍ଠ ଆଇପିଏସଙ୍କ ଚାପକୁ ନେଇ ବେଶ୍ ଚର୍ଚ୍ଚା ଜୋର୍ ଧରିଥିଲା। ମୁଖ୍ୟମନ୍ତ୍ରୀ ଏମିତିରେ ଗୃହ ବିଭାଗର ମୁଖିଆ ଓ ସାଧାରଣ ପ୍ରଶାସନ ବିଭାଗର ବି ମୁଖ୍ୟ। ଏହି ଘଟଣାରେ ଏସଆଇଟି ବା ସିବିଆଇ ତଦନ୍ତ ହେଲେ ପୁଲିସର ଏଭଳି କାରସାଦିର ଗୁମର ଖୋଲିପାରନ୍ତା। ଏମିତିରେ ଲୁମେକ୍ସ ମହାଠକେଇ ମାମଲାରେ ପୁଲିସର ଭୂମିକା ଆରମ୍ଭରୁ ସନ୍ଦେହଜନକ ଥିଲା। ସେଥିଲାଗି ମୁଖ୍ୟ କିଙ୍ଗପିନ ରାଜୀବ ଦାସଙ୍କୁ ୧୭ ମାସ ଧରି ଫେରାର୍ ବୋଲି ଦର୍ଶାଇ ଲୁଚକାଳି ଖେଳ ଖେଳୁଥିଲା କମିଶନରେଟ ପୁଲିସ। ଆଉ କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର ମାତ୍ରେ ମାତ୍ର ମାସକ ଭିତରେ ରାଜୀବ ଧରାପଡ଼ିଥିଲେ। ଯେଉଁ ଠିକଣାରେ କମିଶନରେଟ ପୁଲିସ ରାଜୀବଙ୍କୁ ପାଉନଥିବାର ଫନ୍ଦି କାଢ଼ୁଥିଲା। ଆଉ ଏବେ ଭିଡ଼ିଓ କହୁଛି, ପୁରା ଇନଫୋସିଟି ପୁଲିସ ଟିମ୍ ପୀଡ଼ିତାଙ୍କ ଘରେ ରେଡ୍ କରିବା, ନାଲିଆଖି ଦେଖାଇ ସାଦା କାଗଜରେ ଦସ୍ତଖତ କରାଇନେବାର କାରସାଦିକୁ ବାଏଁ ବାଏଁ ଉଡ଼ାଇଦେଇଛି ଇନଫୋସିଟି ପୁଲିସ। ସେଥିଲାଗି ତ ପ୍ରତି ପାଦରେ ପୁଲିସ ନିଜର ଅପାରଗତାକୁ ଘୋଡ଼ାଇବାକୁ କାଢ଼ି ଆସୁଥିବା ଫନ୍ଦି ଯେତେ ଲୁଚାଇଲେ ବି ଲୁଚୁନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *