ମୁହଁରେ ରୁମାଲ ପକାଇ ଆସିଥିଲେ ୩ ଦୁର୍ବୃତ୍ତ। ବାୟାବର ଗାଁରେ ଝିଅଟି ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ। ଝିଅଟି ଜଳୁଥିବା ଅବସ୍ଥାରେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରି ଦୌଡି ଯାଇଥିଲା ଜଣଙ୍କ ଘରକୁ। ତୁରନ୍ତ ନିଆଁ ଲିଭାଇ ପାଣି ଦେବା ସହ ଡ୍ରେସ ପିନ୍ଧାଇଦେଲେ ଆଶ୍ରୟ ଦେଇଥିବା ବ୍ୟକ୍ତି। କିନ୍ତୁ ସେତେବେଳକୁ ଝିଅର ଅଧାରୁ ଅଧିକ ଶରୀର ପୋଡ଼ିସାରିଥିଲା। ବହୁ ଦେବାକୁ ଆସି ଫେରିଲା ବେଳେ ଏଭଳି ଘଟଣା ତା ସହ ଘଟିଗଲା ବୋଲି ଝିଅଟି କହିଥିଲା ବୋଲି କହିଛନ୍ତି ଉଦ୍ଧାର କରିଥିବା ବ୍ୟକ୍ତି। ସେମାନଙ୍କୁ ଚିହ୍ନିନି ବୋଲି କହିଥିଲେ ପୀଡ଼ିତା। ପୀଡ଼ିତାଙ୍କୁ ଏମ୍ସ ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତରିତ କରାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଦଳ ଦ୍ୱାରା ଚିକିତ୍ସା ଆରମ୍ଭ ହୋଇଛି। ପିପିଲି ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଡିଜିପି କହିଛନ୍ତି, ଘଟଣାକୁ ଏସପି ନିଜେ ଅନୁଧ୍ୟାନ କରୁଛନ୍ତି। ତୁରନ୍ତ ଅଭିଯୁକ୍ତଙ୍କୁ ଧରାଯିବ। ଏଭଳି ଅଭାବନୀୟ ଘଟଣାରେ ଆଇନ ଅନୁସାରେ ଦୃଢ଼ କାର୍ଯାନୁଷ୍ଠାନ ହେବ। ଫରେନସିକ୍ ଟିମ ଯାଞ୍ଚ କରିଛି। ଦହନଶୀଳ ସାମଗ୍ରୀ ଜବତ ହୋଇଛି। ୨ଟି ଅଧା କିରୋସିନି ବୋତଲ, ଦିଆସିଲି ସହ ନାବାଳିକାର ପୋଡ଼ା କପଡ଼ା ବି ଜବତ ହୋଇଛି। କେତେଜଣ ସଂପୃକ୍ତ, ପୀଡ଼ିତା ଏଠାକୁ କେମିତି ଆସିଲେ, ସବୁ ଦିଗକୁ ତଦନ୍ତ ହେଉଛି। ପୀଡିତାଙ୍କ ପରିବାର କହିଛନ୍ତି, ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ। ତାଙ୍କ ଝିଅ ପ୍ରତି ଏଭଳି ଅମାନୁଷିକ ଓ ବର୍ବରତାର ଉଚିତ ଶାସ୍ତି ଦିଆଯିବା ଦରକାର। ସେପଟେ ସରକାରୀ ନିଷ୍କ୍ରିୟତାର ଏହା ଆଉ ଏକ ପ୍ରମାଣ ବୋଲି କହିଛନ୍ତି ନବୀନ। ରାଜନୈତିକ ପୃଷ୍ଠପୋଷକତାରୁ ଆଜି ମହିଳା ଅସୁରକ୍ଷିତ। ଏ ଘଟଣାରେ ସେ ଗଭୀର ମର୍ମାହତ ଓ ଏହା ଦିବାଲୋକରେ ହତ୍ୟା ପ୍ରୟାସ କହି ଏକ୍ସରେ ଲେଖିଛନ୍ତି ନବୀନ। ଗଭୀର ନିଦରେ ଶୋଇପଡିଥିବା ଓଡ଼ିଶା ସରକାର ଉଠି ଅପରାଧୀଙ୍କୁ ଗିରଫ କରିବେ କି ବୋଲି ପଚାରିଛନ୍ତି ନବୀନ। ଏ ଘଟଣାରେ ଉପ-ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଘେରାଓ କରିଥିଲା ଛାତ୍ର କଂଗ୍ରେସ। ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ଦଳ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସ-ରେ ଏଭଳି ଅଭାବନୀୟ ଘଟଣାରେ ମର୍ମାହତ ବୋଲି କହିଛନ୍ତି। ସରକାର ଗମ୍ଭୀରତାର ସହ ଏହାକୁ ନେଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଶାସକ ଦଳର ଏକ ପ୍ରତିନିଧି ଦଳ ଏମ୍ସରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ପରିବାରକୁ ନ୍ୟାୟ ମିଳିବ ବୋଲି କଥା ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଥିଲେ। ତେବେ ଏଭଳି ସମ୍ୱେଦନଶୀଳ ଘଟଣାରେ ମଉକା ଖୋଜି ବିରୋଧୀ ରାଜନୀତି କରିବା କେତେଦୂର ଗ୍ରହଣୀୟ ବୋଲି ବି ପଚାରିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯାନୁଷ୍ଠାନ ହେବ। ଉନ୍ନତ ଚିକିତ୍ସା ପାଇଁ ୧୪ ଜଣିଆ ଡାକ୍ତରୀ ଦଳ ଗଠନ ହୋଇଛି। ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା କେତେ ଜଲଦି ସୁଧୁରିବ। କେଉଁ ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଏମିତି କାଣ୍ଡ ଭିଆଇଲେ। ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରାଯିବା ଜରୁରୀ। ଏସବୁର ତନାଘନା ଆରମ୍ଭ ହୋଇଛି। ଆଉ ଏହାକୁ ତାଳ ଦେଇ ବି ରାଜନୀତି ତେଜିଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now