ନାବାଳିକାକୁ ଦୁଷ୍କର୍ମ- ନୈନିତାଲରେ ହଙ୍ଗାମା..

ନାବାଳିକା ଦୁଷ୍କର୍ମକୁ ନେଇ ନୈନିତାଲରେ ବଡ଼ ବୋବାଲ୍। ସାମ୍ପ୍ରଦାୟିକତାର ନିଆଁ ଧରିଲାଣି। ୧୨ ବର୍ଷର ହିନ୍ଦୁ ନାବାଳିକା ସହ ୭୬ ବର୍ଷର ମୁସଲିମ ବ୍ୟକ୍ତି ଦୁଷ୍କର୍ମ ପରେ ଲୋକେ ତାତି ଉଠିଛନ୍ତି। ମୁସଲିମ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଉତ୍ୟକ୍ତ ଲୋକେ ମାଡ଼ ମାରିଛନ୍ତି। ସେମାନଙ୍କ ଦୋକାନରେ ପଶି ଭଙ୍ଗାରୁଜା ସହ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଅଭିଯୁକ୍ତକୁ ପୁଲିସ ଗିରଫ କରିବା ସତ୍ତ୍ୱେ ଥମୁନି ଉତ୍ତେଜନା। ସହରରେ ଶାନ୍ତି ବଜାୟ ରଖିବାକୁ ପୁଲିସ ଓ ପ୍ରଶାସନ ଉଦ୍ୟମ ଜାରି ରଖିଛି। ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ପୁଲିସ ଯଦିଓ ଲାଠି ଚାର୍ଜ କରିଥିଲା। କିନ୍ତୁ ଅଧିକ ଲୋକ ଥିବାରୁ ପୁଲିସ ପଛକୁ ହଟିଯାଇଥିଲା। ଏହା ପରେ ବୁଧବାର ବିଳମ୍ୱିତ ରାତି ଯାଏ ଉତ୍ୟକ୍ତ ଲୋକଙ୍କ ଅରାଜକତା ଜାରି ରହିଥିଲା। ବାହାରୁ ଆସି ଏଠାରେ ଦୋକାନ ଖୋଲିଥିବା ମୁସଲିମଙ୍କୁ କରିଥିଲେ ଟାର୍ଗେଟ। ସହରର ମଲ୍ଲିତାଲ କୋତଓ୍ୱାଲି ଅଞ୍ଚଳର ଘଟଣା। ଅଭିଯୁକ୍ତ ଉସମାନକୁ ଆଜି କୋର୍ଟ ଚାଲାଣ କରିଛି ପୁଲିସ। ଉସମାନ ପେଶାରେ ଜଣେ ଠିକାଦାର। ବୁଧବାର ରାତିରେ ଯୌନ ଉତ୍ପୀଡ଼ନର ଶୀକାର ହୋଇଥିବା ପୀଡ଼ିତାକୁ  ଡାକ୍ତରୀ ମାଇନା ଲାଗି ମେଡିକାଲ ପଠାଯିବା ଖବର ପାଇ ତାତି ଉଠିଥିଲେ ଲୋକେ। କିଛି ହିନ୍ଦୁ ସଂଗଠନ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଆଗରେ ବିକ୍ଷୋଭ କରିଥିଲେ। ସ୍ଥାନୀୟ ମସଜିଦ୍ ଉପରକୁ ବି ପଥର ମାଡ଼ ହୋଇଛି। ମୁସଲିମ ଲୋକଙ୍କ ଗାଡ଼ିକୁ ଭଙ୍ଗାରୁଜା ସହ ସେମାନଙ୍କ ଘରକୁ ବି ପଥରମାଡ଼ କରିଥିଲେ। ଦୁଷ୍କର୍ମ ଘଟଣାକୁ ବିରୋଧ କରି ତଲ୍ଲିତାଲ ବଜାରକୁ ୧୨ ଟା ଯାଏ ବନ୍ଦ କରାଯାଇଥିଲା। ସହରରେ ଶାନ୍ତି ବ୍ୟବସ୍ଥା କାଏମ ରହିବାକୁ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି। ଏବେ ବି ଚାପା ଉତ୍ତେଜନା ଜାରି ରହିଛି। କୌଣସି ପ୍ରକାର ସାମ୍ପ୍ରଦାୟିକତାର ନିଆଁ ଯେଭଳି ବ୍ୟାପିବନି, ସେଥିଲାଗି ପୁଲିସ ଓ ପ୍ରଶାସନ ସଜାଗ ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *