ଆତଙ୍କବାଦ ଆକ୍ରମଣ ପରେ..

ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭୟରେ ପର୍ଯ୍ୟଟକ କଶ୍ମୀର ଛାଡ଼ିବାରେ ଲାଗିଛନ୍ତି। ସୁଚିନ୍ତିତ ଭାବେ ଛଦ୍ମବେଶରେ ଆସି ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଫେରାର୍ ହୋଇଯାଇଛନ୍ତି ଆତଙ୍କବାଦୀ। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। କେନ୍ଦ୍ର ବେସାମରିକ ମନ୍ତ୍ରୀ ରାମମୋହନ ନାଇଡୁ ପ୍ରଭାବିତ ପର୍ଯ୍ୟଟକ ଓ ପୀଡ଼ିତଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତତ୍କାଳ ପର୍ଯ୍ୟଟକଙ୍କୁ କଶ୍ମୀରରୁ ନେବାକୁ ଶ୍ରୀନଗରରୁ ୪ଟି ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା ହୋଇଥିଲା। ଦୁଇଟି ଦିଲ୍ଲୀ ଓ ଦୁଇଟି ମୁମ୍ୱାଇକୁ ଯିବାର ବ୍ୟବସ୍ଥା ହୋଇଛି। ଅତିରିକ୍ତ ଉଡ଼ାଣ ପାଇଁ ବିମାନ ଷ୍ଟାଣ୍ଡବାଏ ରଖାଯାଇଛି। ପହଲଗାମରୁ ପର୍ଯ୍ୟଟକଙ୍କ ଗାଡ଼ି ଛାଡିବାରେ ଲାଗିଛି। ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନ ବି ପର୍ଯ୍ୟଟକଙ୍କୁ ଶ୍ରୀନଗରରୁ ଆଣିବାକୁ ଅତିରିକ୍ତ ଉଡ଼ାଣର ଘୋଷଣା କରିଛି। ସେପଟେ ଶ୍ରୀନଗରରେ ଏନଆଇଏ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗଭୀର ଶୋକବ୍ୟକ୍ତ କରିବା ସହ ଆତଙ୍କି ଆକ୍ରମଣରେ ପୀଡ଼ିତଙ୍କୁ ନ୍ୟାୟ ସହ ସମସ୍ତଙ୍କର ସହଯୋଗ ମିଳିବା ଦରକାର ବୋଲି କହି ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି ରାହୁଲ।  ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗର ହସ୍ପିଟାଲରେ ଚିକିତ୍ସାଧୀନ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଭେଟିଛନ୍ତି। ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପୀଡ଼ିତ ପରିବାରକୁ ଭେଟି ସମବେଦନା ଦେଇଛନ୍ତି। ଆତଙ୍କବାଦୀ ଯେଉଁ ସ୍ଥାନରେ ଏଭଳି ନାରକୀୟ କାଣ୍ଡ ଭିଆଇଥିଲେ, ସେ ସ୍ଥାନ ବି ପରିଦର୍ଶନ କରିଛନ୍ତି ଶାହା। ପହଲଗାମରେ ମଙ୍ଗଳବାର ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଘଟଣାକୁ ବିରୋଧ କରି ଚାମ୍ୱର ଆଣ୍ଡ୍ ବାର୍ ଆସୋସିଏସନ ବନ୍ଦ ଡାକରା ଦେଇଛି। ଏହି ବନ୍ଦ ଡାକରାକୁ ସମର୍ଥନ କରିଛି ଏନସି ଓ ପିଡିପି। ଧାର୍ମିକ ଓ ସାମାଜିକ ସଂଗଠନ ଦ୍ୱାରା ଏହି ବନ୍ଦକୁ ସମସ୍ତେ ମିଳିମିଶି ସଫଳ କରିବାକୁ ଆହ୍ୱାନ କରିଛି ଏନସି ଓ ପିଡିପି। ଏଭଳି କ୍ରୁର ହିଂସାରେ ଜୀବନ ଯାଇଥିବା ନିର୍ଦୋଷ ଲୋକଙ୍କୁ ସମ୍ମାନାର୍ଥେ ଏହି ବନ୍ଦ ପାଳନ ହୋଇଛି। ଏ ଆକ୍ରମଣ କେବଳ ନିର୍ଦ୍ଦିଷ୍ଟ ଲୋକଙ୍କୁ ନୁହେଁ, ବରଂ ଆମ ସମସ୍ତଙ୍କ ଉପରେ ବୋଲି କହିଛନ୍ତି ପିଡିପି ମୁଖ୍ୟ ମେହେବୁବା ମୁଫତି। ଆତଙ୍କବାଦୀଙ୍କ ନରସଂହାରକୁ କଡ଼ା ନିନ୍ଦା କରାଯାଇଛି। ଆତଙ୍କବାଦକୁ ଦମନ କରିବାକୁ ଏ ଲଢ଼େଇରେ ବିଶ୍ୱ ସମୁଦାୟ ଭାରତକୁ ସମର୍ଥନର ହାତ ବଢ଼ାଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି, ଏଭଳି ସ୍ଥିତିରେ ଆତଙ୍କବାଦୀ ବିରୋଧୀ ଲଢ଼େଇରେ ଭାରତ ସହ ଇସ୍ରାଏଲ ଅଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବି ଏଭଳି ସ୍ଥିତିରେ ଭାରତ ସମର୍ଥନରେ ସେ ସମ୍ପୂର୍ଣ୍ଣ ଛିଡ଼ା ହୋଇଛନ୍ତି ବୋଲି କହିଛନ୍ତି। ତେବେ କାନାଡ଼ା, ପାକିସ୍ତାନ ଓ ଚୀନ୍ ଏଭଳି ଘଟଣା ଘଟିବାର ୧୮ ଘଣ୍ଟା ପରେ ଯାଇ ମୁହଁ ଖୋଲିଥିଲେ। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି, ଏହି ଆତଙ୍କି ଆକ୍ରମଣରେ ପାକିସ୍ତାନର କୌଣସି ଲିଂକ ନାହିଁ। ଭାରତ ସରକାର ଏମିତିରେ ନାଗାଲାଣ୍ଡ, ମଣିପୁର, କଶ୍ମୀର ଓ ଛତିଶଗଡ଼ରେ ବିରୋଧାଭାସ ଦେଖିଆସୁଛନ୍ତି। ଏହାର ପ୍ରତିଫଳନ ହୋଇପାରେ। ଚୀନ୍ କହିଛି, ଏଭଳି ଘଟଣା ନିନ୍ଦନୀୟ। ଆତଙ୍କବାଦୀଙ୍କୁ ଦମନ କରିବା ସମସ୍ତଙ୍କର ଦାୟିତ୍ୱ। ଆଧ୍ୟାତ୍ମିକ ଗୁରୁ ରବିଶଙ୍କର ଏଭଳି ଘଟଣାରେ ମର୍ମାହତ ହେବା ସହ ଏଭଳି କଷ୍ଟକର ସମୟରେ ଆମ ସମସ୍ତଙ୍କୁ ଏକଜୁଟ୍ ହୋଇ କାମ କରିବାକୁ ପଡ଼ିବ ବୋଲି ବାର୍ତ୍ତା ଦେଇଛନ୍ତି। ଘୃଣା ଓ ହିଂସା ବିରୋଧରେ ମାନବତାର ସ୍ୱରକୁ ଅଧିକ ଶାଣିତ କରିବାକୁ ପଡ଼ିବ ବୋଲି କହିଛନ୍ତି ରବିଶଙ୍କର। ଆତଙ୍କବାଦୀଙ୍କ ନରସଂହାରକୁ ନେଇ ସାରା ବିଶ୍ୱରେ ହଇଚଇ। ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ମୋଦି ସରକାର ସେପଟେ ପଣ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *