
ପହଲଗାମ ଆତଙ୍କି ଆକ୍ରମଣ ଘଟଣାକୁ ମାସେ ପୁରିଲା। ୨୬ ନିରୀହ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ଆତଙ୍କବାଦୀ ଗୁଳି କରି ମାରିଥିଲେ। ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ ଏହି ଆକ୍ରମଣ ଲାଗି ଦାୟୀ କରିଥିଲା। ଟିଆରଏଫ ଲସ୍କର-ଏ-ତୋଏବାର ଅଲଗା ନାଁ ଅଟେ। ଆତଙ୍କି ଆକ୍ରମଣ ଦିନ ଗୃହ ମନ୍ତ୍ରୀ ଅମିତ ଶାହା ଶ୍ରୀନଗର ଯାଇଥିଲେ। ତା ପର ଦିନ ପ୍ରଧାନମନ୍ତ୍ରୀ ସିସିଏସ ବୈଠକ ଡାକି ପହଲଗାମର ପ୍ରତିଶୋଧ ନେବାକୁ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଦେଲା। ଏହା ପରେ ଅଟାରୀ ଓ୍ୱଘା ସୀମା ବନ୍ଦ କରିଦିଆଗଲା। ପାକିସ୍ତାନର ନାଗରିକଙ୍କ ଭିସା ତତ୍କାଳ ରଦ୍ଦ କରିଦିଆଯାଇଥିଲା। ୪୮ ଘଣ୍ଟାରେ ଦେଶ ଛାଡ଼ିବାକୁ ନିର୍ଦେଶ ଦେଇଥିଲେ ଭାରତ ସରକାର। ମେ ପହିଲା ସୁଦ୍ଧା ଡେଡଲାଇନ୍ ଦିଆଯାଇଥିଲା। ପାକିସ୍ତାନର ଦୂତାବାସର ଅଧିକାରୀଙ୍କୁ ବି ଭାରତ ଛାଡ଼ିବାକୁ କୁହାଗଲା। ଆତଙ୍କି ଆକ୍ରମଣର ୧୫ ଦିନ ପରେ ଅପରେସନ ସିନ୍ଦୂର ନାଁରେ ଭାରତ ପାକିସ୍ତାନକୁ ପ୍ରହାର କରିଥିଲା। ଆତଙ୍କବାଦକୁ ମୂଳପୋଛ କରିବାକୁ ପଣ କରିଥିବା ପ୍ରଧାନମନ୍ତ୍ରୀ ମୋଦି ୩ ସେନାକୁ କାର୍ଯ୍ୟାନୁଷ୍ଠାନ ଲାଗି ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ। ମେ ୬ ଓ ୭ ରାତିରେ ଅପରେସନ ସିନ୍ଦୂର ଅଭିଯାନରେ ପିଓକେ ସମେତ ସୀମାପାର୍ ଆତଙ୍କି ଠିକଣାକୁ ଧ୍ୱଂସ କରିଦେଇଥିଲା ଭାରତ। ମିସାଇଲ ମାଡ଼ କରି ଅଧା ଡଜନ ଏୟାରବେସକୁ କ୍ଷତି ପହଞ୍ଚାଇଲା। ୪ ଦିନ ଯାଏ ଚାଲିଥିଲା ଅପରେସନ ସିନ୍ଦୂର। ୯ଟି ଆତଙ୍କି ଠିକଣାକୁ ଧ୍ୱଂସ କରିଦେଇଛି। ମୁରିଦକେ, ବାହାବଲପୁର ଓ କୋଟଲିରେ ଏୟାରଷ୍ଟ୍ରାଇକ୍ କରି ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଥିଲା। ଏହି ଆକ୍ରମଣରେ ଲସ୍କର-ଏ-ତୋଏବା, ଜୈସ-ଏ-ମହମ୍ମଦ ଭଳି କୁଖ୍ୟାତ ଆତଙ୍କିସଂଗଠନର ମାଷ୍ଟରମାଇଣ୍ଡ ଓ ମୁଖ୍ୟଙ୍କୁ ମାରିଛି ଭାରତୀୟ ବାୟୁସେନା। ଏମାନଙ୍କ ଭିତରେ ୟୁସୁଫ ଆଜାହର, ଅବଦ୍ଦୁଲ ମଲିକ ରଉଫ ଓ ମୁଦାସିର ଅହମ୍ମଦ ଅଛନ୍ତି। ୟୁସୁଫ କାନ୍ଦାହାର ବିମାନ ହାଇଜାକର ମାଷ୍ଟରମାଇଣ୍ଡ ଥିଲା। ଅଜହର ଜୈସ-ଏ-ମହମ୍ମଦର ମୁଖ୍ୟ କମାଣ୍ଡର ସହ ମୌଲାନା ମାସୁଦ ଆଜାହରର ଶାଳକ ଥିଲା। ଅବଦ୍ଦୁଲ ପୁଲଓ୍ୱାମା ଆକ୍ରମଣର ଷଡ଼ଯନ୍ତ୍ରକାରୀ ଥିଲା। ଶେଷରେ ଭାରତର କଡ଼ା ପ୍ରହାରକୁ ସାମ୍ନା କରି ନପାରି ପାକିସ୍ତାନ ଡିଜିଏମଓ ଭାରତର ପ୍ରତିପକ୍ଷଙ୍କୁ ଫୋନ୍ କରି ଅସ୍ତ୍ରବିରତି ଲାଗି ଅନୁରୋଧ ପରେ ଏହି ଯୁଦ୍ଧ ବନ୍ଦ ଲାଗି ଆପୋଷ ସହମତି ସୃଷ୍ଟି ହୋଇଥିଲା। ଏନଆଇଏ ଟିମ୍ ଏହି ଆତଙ୍କି ଆକ୍ରମଣର ଯାଞ୍ଚ ଆରମ୍ଭ କରିଦେଇଛି। ୩ ଜଣଙ୍କ ସ୍କେଚ୍ ଜାରି କରି ଏମାନଙ୍କ ସୂଚନା ଦେଲେ ୨୦ଲକ୍ଷ ଟଙ୍କା ଲେଖାଏଁ ପୁରଷ୍କାର ଦେବାକୁ ଘୋଷଣା କରିଛି। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ସବକ ଶିଖାଇବାକୁ ଗ୍ଲୋବାଲ ମିଶନ ଯାଏ ପହଞ୍ଚିସାରିଛି ଭାରତ। ଅପରେସନ ସିନ୍ଦୂରର ସଫଳତା ପରେ ସର୍ବଦଳୀୟ ବୈଠକ ଡାକି ସରକାର ସମସ୍ତଙ୍କୁ ଅବଗତ କରାଇଥିଲେ। ଦେଶ ଆଗ, ଆଉ ସବୁ ପଛ। ଏଭଳି ସ୍ଥିତିରେ ଦେଶ ଏକଜୁଟ୍ ରହିବା ଦରକାର ବୋଲି ମୋଦିଙ୍କ ବାର୍ତ୍ତାରେ ଦଳମତ ନିର୍ବିଶେଷରେ ସମସ୍ତେ ସହମତି ପ୍ରକାଶ କରିଥିଲେ। ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ସରକାର ଯେଉଁ ପଦକ୍ଷେପ ନେବେ, ସମସ୍ତେ ତାକୁ ଭରପୁର ସମର୍ଥନ ନେଇ ସଂକଳ୍ପ ଦେଖାଇଥିଲେ। ପାକିସ୍ତାନ ସହ ଯୁଦ୍ଧ ବିରତି ହୋଇଛି ସତ। କିନ୍ତୁ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତିର ବାର୍ତ୍ତା ଦେବାକୁ ଭାରତ ଗ୍ଲୋବାଲ ମିଶନରେ ବାହାରିସାରିଛି। ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବା ଆଇଏମଏଫ ପାକିସ୍ତାନକୁ ଋଣ ଦେବା ନେଇ ଆପତ୍ତି ଜାହିର କରିଥିଲା ଭାରତ। ଏହି ଋଣ ଅର୍ଥ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ସକାଶେ ପାକିସ୍ତାନ ଲଗାଉଛି ବୋଲି ଆରୋପ ଲଦିଥିଲା ଭାରତ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କରୁ ପାକିସ୍ତାନକୁ ଫଣ୍ଡିଂ ରୋକିବା ନେଇ ଅପିଲ୍ କରିଥିଲେ। ପାକିସ୍ତାନର ଅସଲ ଚେହେରା ବିଶ୍ୱ ଦରବାରରେ ଖୋଲିବାକୁ ସର୍ବଦଳୀୟ ପ୍ରତିନିଧି ଦଳ ବିଭିନ୍ନ ରାଷ୍ଟ୍ରକୁ ପଠାଇଛି ଭାରତ। ତେବେ ବଡ଼ କଥା ହେଲା, ପହଲଗାଁଓ ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀଙ୍କ ଭିତରୁ ଆଜି ଯାଏ ଜଣେ ହେଲେ ଧରାପଡ଼ିଲେନି କି ମରିନାହାନ୍ତି।ଆତଙ୍କବାଦୀଙ୍କ ଏଭଳି ନିରୀହ ପର୍ଯ୍ୟଟକଙ୍କୁ ଟାର୍ଗେଟ ପଛର ରହସ୍ୟ ଥିଲା ଯେ ଭାରତର ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରି ସୀମାରେ ଅସ୍ଥିରତା ସୃଷ୍ଟି କରିବା।

Naxatra News is now on Whatsapp
Join and get latest news update delivered to you via whatsapp
Join Now