ଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ପାକିସ୍ତାନୀ କ୍ରିକେଟର ହାଇଦର ଅଲ୍ଲୀ। ହାଇଦରଙ୍କୁ ଇଂଲଣ୍ଡରେ ଗିରଫ କରାଯାଇଛି। ୟୁକେ ଗସ୍ତ ବେଳେ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମର ଅଭିଯୋଗ ହୋଇଥିଲା। ୨୪ ବର୍ଷୀୟ ହାଇଦର ପାକିସ୍ତାନର ଏ ଟିମ୍ ର ସଦସ୍ୟ ଅଟନ୍ତି। ତଦନ୍ତ ସମ୍ପୂର୍ଣ୍ଣ ନ ହେଲା ଯାଏଁ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ତାଙ୍କୁ ଅସ୍ଥାୟୀ ଭାବେ ନିଲମ୍ୱିତ କରିଦେଇଛି। ପିସିବି ଏ କଥା ବି ସ୍ପଷ୍ଟ କରିଛି, ଯାଞ୍ଚ ପ୍ରକ୍ରିୟାରେ ସେ ପୁରା ସମର୍ଥନ କରିବ ଓ ହାଇଦରଙ୍କୁ ବି ଆବଶ୍ୟକୀୟ ଆଇନଗତ ସହଯୋଗ ଯୋଗାଇଦେବ। ପୁଲିସ ମାମଲାର ଯାଞ୍ଚ କରୁଛି। ହାଇଦର ଅଲ୍ଲୀ ପୂର୍ବରୁ ବି ବିବାଦୀୟ ରହିଆସିଛନ୍ତି। ଏ ଘଟଣା ୨୦୧୦ର ସ୍ପୋର୍ଟ ଫିକ୍ସିଂ କାଣ୍ଡକୁ ସ୍ମରଣ କରିଦେଉଛି। ଗ୍ରେଟର ମାଞ୍ଚେଷ୍ଟର ପୁଲିସ ହାଇଦରଙ୍କୁ ଗିରଫ କରିଛି। ଗଲା ମାସ ୨୩ ତାରିଖରେ ମାଞ୍ଚେଷ୍ଟର ଥାନା ଅନ୍ତର୍ଗତ ଏରିଆରେ ହୋଇଥିଲା ଏ ଘଟଣା। ଅଭିଯୁକ୍ତ ହାଇଦରଙ୍କୁ ଆଗକୁ ଜେରା କରିବାକୁ ତାଙ୍କୁ ଜାମିନରେ ଛାଡ଼ି ଦିଆଯାଇଛି। ତଦନ୍ତ ଶେଷ ହେଲା ଯାଏଁ ସେ ଇଂଲଣ୍ଡ ବାହାରକୁ ଯାଇପାରିବେନି। ତାଙ୍କ ପାସପୋର୍ଟ ବି ଜବତ କରାଯାଇଛି। ଇଂଲଣ୍ଡରେ ତାଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ ହୋଇଛି। ଇଂଲଣ୍ଡରେ ଯୌନସମ୍ପର୍କ ରଖିବାକୁ ଆଇନଗତ ବର୍ଷ ହେଲା ୧୬। ଏହାଠୁ କମ ବୟସର ଝିଅ ସହ ଯୌନସମ୍ୱନ୍ଧ ରଖିବା ବେଆଇନ। ଝିଅର ସହମତି ଥିଲେ ମଧ୍ୟ ଏହା ବେଆଇନ। ହାଇଦର ପାକିସ୍ତାନ ଲାଗି ୫ଟି ଏକଦିବସୀୟ ମ୍ୟାଚ୍ ଓ ୩୫ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ୨୦୨୦ରେ ହାଇଦର ଇଣ୍ଟରନାସନାଲ ଡେବ୍ୟୁ କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now