ପାକିସ୍ତାନ ସ୍ପାଏ- ଦେଶଦ୍ରୋହର ବହ୍ନି

ପାକିସ୍ତାନ ଲାଗି ଗୁପ୍ତଚର ସାଜିଥିଲେ। ଭାରତର ଅନେକ ସମ୍ୱେଦନଶୀଳ ତଥ୍ୟକୁ ଦେଉଥିଲେ ପାକିସ୍ତାନୀ ଏଜେଣ୍ଟଙ୍କୁ। ପାକିସ୍ତାନରେ ଡିନର ପାର୍ଟି, ଆଇଏସଆଇ ଏଜେଣ୍ଟ ସହ ଅନ୍ତରଙ୍ଗ ସମ୍ୱନ୍ଧ ରଖିଥିଲେ ଜ୍ୟୋତି। ଏଭଳି କରି ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ହରିଆଣା ହିସାରର ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିବା ପୁଲିସ ମେ ୨୨ରେ ପୁଣି କୋର୍ଟରେ ହାଜର କରିବ। ଜ୍ୟୋତିଙ୍କ ଲାପଟପ୍ ଓ ମୋବାଇଲରୁ ଅନେକ ବଳିଷ୍ଠ ପ୍ରମାଣ ମିଳିଛି ପୁଲିସକୁ। ଜ୍ୟୋତିଙ୍କ ଲକଜରି ଲାଇଫଷ୍ଚାଇଲ, ବିଦେଶ ଯାତ୍ରା ଓ ଫଣ୍ଡିଂକୁ ନେଇ ଯାଞ୍ଚ ଆରମ୍ଭ ହୋଇସାରିଛି। ପାକିସ୍ତାନ କନେକ୍ସନକୁ ନେଇ ତାଙ୍କ ବାପା ହରିଶ ମୁହଁ ଖୋଲିଛନ୍ତି। ସେ ଝିଅର ପାକିସ୍ତାନ ଗସ୍ତ ବାବଦରେ କିଛି ଜାଣିନାହାନ୍ତି। କାରଣ ଜ୍ୟୋତି ଦିଲ୍ଲୀ ଯାଉଛି ବୋଲି କୁହେ। ଏହାରି ଭିତରେ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଦାନିସ ସହ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଦାନିସ ହିଁ ଜ୍ୟୋତିଙ୍କୁ ପାକିସ୍ତାନର ଗୁପ୍ତଚର ସଜାଇବାରେ ମାଷ୍ଟରମାଇଣ୍ଡ ଥିଲା। ଯେଉଁଥିରେ ଏକ ଇଫତାର ପାର୍ଟିରେ ଦାନିସ ଗେଟ୍ ପାଖରେ ଜ୍ୟୋତିଙ୍କୁ ରିସିଭ୍ କରି ନିଜ ପତ୍ନୀ ସହ ଭେଟ କରାଉଛନ୍ତି। ଜ୍ୟୋତି ବି ଦାନିସଙ୍କୁ ହିସାର ଆସିବାକୁ ନିମନ୍ତ୍ରଣ କରିଥିଲେ। ପହଲଗାଁଓ ଆତଙ୍କି ଆକ୍ରମଣ ପରେ ଜ୍ୟୋତି ଏଥିଲାଗି ପାକିସ୍ତାନକୁ ସମ୍ପୂର୍ଣ୍ଣ ଦାୟୀ କରିବାକୁ ପଛଘୁଞ୍ଚା ଦେଇଥିଲେ। ଅପରେସନ ସିନ୍ଦୂର ବେଳେ ବି ପାକ୍ ଏଜେଣ୍ଟଙ୍କ ସହ ନିରନ୍ତର ସମ୍ପର୍କରେ ଥିଲେ ଜ୍ୟୋତି। ତେବେ ଏନଆଇଏ ସମେତ ଆଉ କିଛି ତଦନ୍ତକାରୀ ଏଜେନ୍ସିର ଜେରା ସତ୍ତ୍ୱେ କେବଳ ନିଜକୁ ନିର୍ଦୋଷ ବୋଲି କହିଚାଲିଛନ୍ତି ଜ୍ୟୋତି। ଜ୍ୟୋତିଙ୍କ ସହ ସମ୍ପର୍କରେ ଥିବା ପୁରୀର ପ୍ରିୟଙ୍କା ସେନାପତିଙ୍କ ପାକିସ୍ତାନୀ ଲିଂକ ନେଇ ତଦନ୍ତ ଜାରି ଥିବା କହିଛନ୍ତି ପୁରୀ ଏସପି। ହରିଆଣା ପୁଲିସ କି ଏନଆଇଏ ଏବେ ଯାଏଁ ପ୍ରିୟଙ୍କାଙ୍କୁ ପଚରାଉଚୁରା ଲାଗି ପୁରୀ ଆସିନାହାନ୍ତି। ବିଭିନ୍ନ ଦିଗକୁ ନେଇ ତଦନ୍ତ ହେଉଛି। ଯାଞ୍ଚ ସରିଲା ପରେ ସମସ୍ତ ତଥ୍ୟ ଦିଆଯିବ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯାହାର ଗୁପ୍ତଚରି ନେଇ ଲିଂକ ବାହାରିବ, ସେମାନେ ତଦନ୍ତ ପରିସରଭୁକ୍ତ ହେବେ। ଯେଉଁମାନେ ଦୋଷୀ, ସେମାନେ କଠୋର ଦଣ୍ଡରେ ଦଣ୍ଡିତ ହେବେ।ସେପଟେ ପାକିସ୍ତାନକୁ ସୁହାଇଲା ଭଳି ମନ୍ତବ୍ୟ ଦେବା, ଅପରେସନ ସିନ୍ଦୂର ଓ ମହିଳା ସାମରିକ ଅଧିକାରୀଙ୍କୁ ସମାଲୋଚନା କରି ଅଶୋକା ୟୁନିଭରସିଟିର ସହକାରୀ ପ୍ରଫେସର ଅଲ୍ଲୀ ଖାନ୍ ମେହମୁଦାବାଦ ଗିରଫ ହୋଇଛନ୍ତି। ହରିଆଣା ମହିଳା କମିଶନ ବି ପ୍ରଫେସରଙ୍କ ମନ୍ତବ୍ୟକୁ ନେଇ ନିଜ ଆଡ଼ୁ ନୋଟିସ ଜାରି କରିଥିଲେ। ଖାନ୍ କିନ୍ତୁ ସ୍ପଷ୍ଟୀକରଣ ଦେଇ କହିଥିଲେ, ତାଙ୍କ ମନ୍ତବ୍ୟକୁ କଦର୍ଥ କରାଯାଉଛି। ଦୁଇ ମହିଳା ଅଧିକାରୀଙ୍କୁ ନିଯୁକ୍ତି ଦେଇ ଭାରତର ବିବିଧତାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ। ସୋମବାର ତାଙ୍କ ଗିରଫଦାରିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଥିଲା। ପାକିସ୍ତାନର ଆଇଏସଆଇକୁ ସମ୍ୱେଦନଶୀଳ ତଥ୍ୟ ଲିକ୍ ଘଟଣାରେ ପଞ୍ଜାବର ଗୁରୁଦାସପୁରର ୨ ଜଣଙ୍କୁ ଗିରଫ କରାଯାଇଛି। ଏମାନେ ହିମାଚଳପ୍ରଦେଶ, ପଞ୍ଜାବ ଓ ଜମ୍ମୁକଶ୍ମୀରରୁ ସୂଚନା ଲିକ୍ କରୁଥିଲେ। ଆଉ ଆଇଏସଆଇ ଲିଂକ ନେଇ ହିମନ୍ତ ଓ ଗୋଗୋଇଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ରାଜନୀତି ଥମୁନି। ଆଇଏସଆଇର ନିମନ୍ତ୍ରଣରେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ପାକିସ୍ତାନ ଯାଇଥିଲେ। ଟ୍ରେନିଂ ନେଇ ପାକିସ୍ତାନରୁ ଫେରିବା ପରେ ରାଫେଲ କିଣାକୁ ନେଇ ବିରୋଧ କରିଥିଲେ ଗୌରବ। ଏଭଳି ସଙ୍ଗୀନ ଆରୋପ ଲଦିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଯଦି ଏ କଥା ମିଛ, ତାହେଲେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବେ ବୋଲି କହିଛନ୍ତି ହିମନ୍ତ। ଗୌରବ ବି କହିଥିଲେ, ହିମନ୍ତ ମାନସିକ ସନ୍ତୁଳନ ହରାଇସାରିଲେଣି। ଗଲା ୧୩ ବର୍ଷ ଧରି ତାଙ୍କ ବିରୁଦ୍ଧରେ ଦାୟିତ୍ୱହୀନ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ପାକିସ୍ତାନର ସ୍ପାଏ। ଭାରତ ବିରୋଧୀ ତତ୍ତ୍ୱଙ୍କ ତଥ୍ୟ ଲିକ୍ ଓ ପାକିସ୍ତାନ ସହ ଲିଂକରେ ପାକିସ୍ତାନକୁ ସୁହାଇଲା ଭଳି ମନ୍ତବ୍ୟ। ଏହାକୁ ନେଇ ଖୋଳତାଡ଼ ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *