ଅପହରଣକାରୀ ବାପା ସମେତ ୫ଜଣକୁ ଗିରଫ କଲା ପୋଲିସ

Spread the love

ଖୋର୍ଦ୍ଧା : ଟଙ୍କା ପାଇଁ ବେଳେବେଳେ ରକ୍ତ ସମ୍ପର୍କ ମଣିଷ ମଧ୍ୟ ନ ବୁଝି ପର କରିଦିଏ । ଏପରିକି ଟଙ୍କା ପାଇଁ ଅପହରଣ, ହତ୍ୟା ଭଳି ଜଘନ୍ୟ କାଣ୍ଡ ସମାଜରେ ପ୍ରତିଦିନ ଘଟିଆସୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ଅଞ୍ଚଳରେ । କିଛି ଟଙ୍କା ଓ ପାରିବାରିକ କଳହ ପାଇଁ ନିଜ ପୁଅକୁ ହିଁ ଅନ୍ୟଦ୍ୱାରା ଅପହରଣ ଉଦ୍ୟମ କରି ବାପା ଗିରଫ ହୋଇଛି । ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଏପରିକି ବାଲୁଗାଁ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ବାପ ସମେତ ୫ ଅପହରଣକାରୀଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳର ଅପହରଣକାରୀ ବାପା ଖଗେଶ୍ୱର ବାହୁବଳେନ୍ଦ୍ର ଓ ଅପହରଣରେ ସହଯୋଗ କରିଥିବା ଉକ୍ତ ଅଂଚଳର ମିର୍ଣ୍ଣମୟ ସାହା, ସୁରଜିତ ଧାରା, ଶୁଭମ ଗିରି ଏବଂ ସାକିଲ ଖାଁ । ଅପହୃତଙ୍କ ସ୍ତ୍ରୀଙ୍କ ଅଭିଯୋଗକ୍ରମେ ବାଲୁଗାଁ ପୋଲିସ କେସ୍ ନଂ. ୧୧୯/୨୩ରେ, ଦଫା ୪୯୮(କ), ୪୪୮, ୪୫୧, ୨୯୪, ୩୨୩, ୫୦୬, ୩୬୫, ୫୧୧, ୩୪ (ଆଇପିସି), ୪ ଡିପିଆର୍ ଆକ୍ଟ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଅଭିଯୋଗ ଅନୁଯାୟୀ ବାଲୁଗାଁ ଥାନା କୁମ୍ଭୀରପଡ଼ା ଗ୍ରାମର ରମେଶ ମଙ୍ଗରାଜଙ୍କ ଝିଅ ସରୋଜିନୀ ଗତ ଫେବୃୟାରୀ ୧୫ରେ ପଶ୍ଚିମବଙ୍ଗ ଖଡ଼ଗପୁର ଅଂଚଳର ଖଗେଶ୍ୱର ବାହୁବଳେନ୍ଦ୍ରଙ୍କ ପୁଅ ଅନୀଲଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ, ଆସବାବପତ୍ର କନ୍ୟାଘର ପକ୍ଷରୁ ଦିଆଯାଇଥିଲା ।ତେବେ ବିବାହର କିଛି ଦିନ ଭଲରେ ଚଳିବା ପରେ ଶାଶୁ, ଶ୍ୱଶୁର ବାପ ଘରୁ ଆହୁରି ୫ଲକ୍ଷ ଟଙ୍କା ଆଣିବା ପାଇଁ ସରୋଜିନୀକୁ ଚାପ ପକାଇଥିଲେ । ଏହି କଥା ସରୋଜିନୀ ସ୍ୱାମୀଙ୍କୁ ଜଣାଇବାରୁ ସେ ବାପାମାଙ୍କୁ ବୁଝାଇଥିଲେ ମଧ୍ୟ ବାପାମା ଶୁଣି ନଥିଲେ । ଫଳରେ ଘଟଣା ସମ୍ପର୍କରେ ସେ ବାପଘରକୁ ଜଣାଇଥିଲା । ସରୋଜିନୀଙ୍କ ବାପା ରମେଶ ଏନେଇ ଝିଅର ଶାଶୁ ଶ୍ୱଶୁରଙ୍କୁ ବୁଝାଶୁଝା କରି ଟଙ୍କା ପୈଠ ପାଇଁ କିଛି ଦିନ ସମୟ ମାଗିଥିଲେ । ହେଲେ ଟଙ୍କା ଦେବାରେ ବିଳମ୍ବ ହେବାରୁ ସରୋଜିନୀ ଉପରେ ଶାଶୁ ଶ୍ୱଶୁର ନିର୍ଯାତନା ଆରମ୍ଭ କରିଥିଲେ । ସ୍ତ୍ରୀ ପ୍ରତି ହେଉଥିବା ଅନ୍ୟାୟକୁ ଅନୀଲ ସହ୍ୟ କରିପାରୁନଥିଲା । ପିତାମାତାଙ୍କୁ ବୁଝାଇ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଅନୀଲ ସ୍ତ୍ରୀ ସହ ଆସି ଶ୍ୱଶୁର ଘର କୁମ୍ଭୀରପଡ଼ାରେ ରହୁଥିଲେ । ଏପରିକି ଗତ ୨୯ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଡବ୍ଲ୍ୟୁବି ୩୬କେ ୨୯୬୦ ନଂ. ବିଶିଷ୍ଟ ଏକ କଳା ରଙ୍ଗର କାର୍‌ରେ ବାପ ସମେତ ୪ଜଣ ଦୁର୍ବୃର୍ତ କୁମ୍ଭୀରପଡ଼ା ଗ୍ରାମରେ ପହଂଚିଥିଲେ । ଏହି ସମୟରେ ରମେଶ, ଝିଅ ଓ ଜ୍ୱାଇଁ ସପରିବାର ଘରେ ବସିଥିବା ବେଳେ ଅପହରଣକାରୀମାନେ ଜବରଦସ୍ତ ଘରେ ପଶି ଅନୀଲକୁ ଉଠାଇ ନେବା ପାଇଁ ଉଦ୍ୟମ କରିଥିଲେ । ପରିବାର ଲୋକ ପ୍ରତିବାଦ କରିଥିଲେ । ପାଟିତୁଣ୍ଡ ଶୁଣି ଗ୍ରାମବାସୀ ପହଂଚି ଅପହରଣକାରୀଙ୍କ କବଳରୁ ଅନୀଲକୁ ଉଦ୍ଧାର କରିଥିଲେ । ପରେ ଖବରପାଇ ବାଲୁଗାଁ ପୋଲିସ ପହଞ୍ଚିି ଘଟଣାର ତଦନ୍ତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲେ । ଏ ନେଇ ସରୋଜିନୀ ଯୌତୁକ ଜନିତ ନିର୍ଯାତନା, ସ୍ୱାମୀକୁ ଜବରଦସ୍ତ ଅପହରଣ ପାଇଁ ଶ୍ୱଶୁର ଉଦ୍ୟମ କରିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୋଲିସ ତଦନ୍ତ କରି ବାପଙ୍କ ସମେତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ କାର୍ ଜବତ କରିଥିଲା ।

Leave a Reply

Your email address will not be published. Required fields are marked *