ଜିଲ୍ଲା ପରିଷଦ ସଦସ୍ୟଙ୍କ ଆତ୍ମହତ୍ୟା

Spread the love

ଗୋପ: ପୁରୀ ଜୋନ ୧୧ର ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର କୁମାର ସାହୁଙ୍କ ଆତ୍ମହତ୍ୟା। ଶନିବାର ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।  ଭୁବନେଶ୍ୱରର ଶିଶୁପାଳଗଡ଼ର ଲକ୍ଷ୍ମୀବିହାରସ୍ଥିତ ଜଣେ ସମ୍ପର୍କୀୟଙ୍କ ଘରେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିଥିବା ସୂଚନା। ସକାଳୁ ଘରର ପ୍ରବେଶ ପଥରେ ଥିବା ଛାତରେ ତାଙ୍କ ମୃତଦେହ ଝଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟା ପୂର୍ବରୁ ସେ ସୋସିଆଲ ମିଡିଆରେ ତାଙ୍କ ଆତ୍ମହତ୍ୟା ନେଇ କରିଥିଲେ ପୋଷ୍ଟ। ସେପଟେ ତଦନ୍ତ ବେଳେ ତାଙ୍କ ଘର ନିକଟ ଏକ ଫୁଲ କୁଣ୍ଡରୁ ବିଡାବିଡା ଟଙ୍କା ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି।   

ଧର୍ମେନ୍ଦ୍ର ଗୋପ ଜୋନ ୧୧ର ଜିଲ୍ଲା ପରିଷଦ ସଦସ୍ୟ ହୋଇଥିବା ବେଳେ ଭୁବନେଶ୍ବରରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ  ଧର୍ମେନ୍ଦ୍ର ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ଘଟଣାକୁ ଗୋଳିଆ କରିବାରେ ଲାଗିଛି। ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଥିଲେ କି, “ମୋ ଫୋନ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ‘‘।

ଅନ୍ୟପଟେ, ଆତ୍ମହତ୍ୟା ପରେ ଗଣମାଧ୍ୟମ, ପୁଲିସ ତାଙ୍କ ବାସଭବନକୁ ଯାଇଥିବା ବେଳେ ତାଙ୍କ ଫୁଲ କୁଣ୍ଡରେ ବିଡା ବିଡା ଟଙ୍କା ମିଳିଛି। ଏତେ ଟଙ୍କା ଆସିଲା କେଉଁଠୁ, କିଏ ଏହାକୁ ସେଠାରେ ରଖିଥିଲା, ଟଙ୍କା ସମ୍ପର୍କରେ ଧର୍ମେନ୍ଦ୍ରଙ୍କୁ ଜଣା ଥିଲା କି ନାହିଁ ଏହିପରି ନାନା ପ୍ରଶ୍ନ ଉଠିଛି। ତେବେ ରାଜନୈତିକ ଶତ୍ରୁତା ବା ଅନ୍ୟ କୌଣସି ପୂର୍ବ ଶତ୍ରୁତାକୁ ନେଇ ସେ ଏପରି ଚରମ ପଦକ୍ଷେପ ନେଇଛନ୍ତି କି ବୋଲି ପ୍ରଶ୍ନ ଉଠିଛି।

ଅନ୍ୟପଟେ ତଦନ୍ତ ବେଳେ ଜଣାପଡିଛି କି, ତାଙ୍କ ଘରେ ସବୁବେଳେ ପାରିବାରିକ କଳହଲାଗି ରହୁଥିଲା।  ଧର୍ମେନ୍ଦ୍ର ପୂର୍ବରୁ ଥରେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହାପରେ ବି ତାଙ୍କ ଦାମ୍ପତ୍ୟ ଜୀବନରେ କୌଣସି ସୁଧାର ଆସି ପାରି ନ ଥିଲା। ହୁଏତ ପାରିବାରିକ କଳହକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ କିନ୍ତୁ ତାଙ୍କ ଫୋନରେ ଥିବା ଭିଡିଓ ତଥା ଟଙ୍କାକୁ ନେଇ ଘଟଣାଟି ସମୟ ସହ ଗୋଳିଆ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *