ଅଭିନେତ୍ରୀ ରାନ୍ୟା ରାଓଙ୍କ ଜାମିନ ଆବେଦନକୁ କଡ଼ା ବିରୋଧ କରିଛି ଡିଆରଆଇ ବା ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ। କର୍ଣ୍ଣାଟକର ଏକ ଅଦାଲତକୁ ଡିଆରଆଇ କହିଛି ଯେ, ସୁନା ତସ୍କରୀ ଅଭିଯୋଗରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ନିଜର ଶରୀରରେ ବ୍ୟାଣ୍ଡେଜି ବାନ୍ଧି ତା ଭିତରେ ସୁନା ଚାଲାଣ କରୁଥିଲେ। ଏପରିକି ବିମାନବନ୍ଦରରେ ତାଙ୍କର ସୁରକ୍ଷା ଯାଞ୍ଚ ଯେମିତି ହେବନି, ସେଥିଲାଗି ପ୍ରୋଟକଲ ଅଧିକାରୀଙ୍କୁ ଉପରୁ ନିର୍ଦେଶ ଆସୁଥିଲା। ସେଥିଲାଗି ରାନ୍ୟାଙ୍କୁ ବରିଷ୍ଠ ଅଧିକାରୀଙ୍କ ଲାଗି ହୋଇଥିବା ଭିଆଇପି ଏୟାରପୋର୍ଟ ପ୍ରୋଟକଲର ଫାଏଦା ଦିଆଯାଉଥିଲା। ତଦନ୍ତକାରୀ ଏଜେନ୍ସି ଦାବି କରିଛି ଯେ, ରାଜ୍ୟ ପ୍ରୋଟକଲ ଅଧିକାରୀ ଇମିଗ୍ରେସନକୁ ଯାଇ ଅଭିନେତ୍ରୀଙ୍କ ସାମଗ୍ରୀ ଉଠାଇ ତାକୁ ଫାଷ୍ଟଟ୍ରାକ୍ ସୁରକ୍ଷା ମଞ୍ଜୁରୀ ଦେଉଥିଲେ। ଏଭଳି ବାଗରେ ବିମାନରୁ ଓହ୍ଲାଇବା ବେଳେ ଏୟାରପୋର୍ଟ ଯାଞ୍ଚରୁ ବର୍ତ୍ତିଯାଉଥିଲେ ରାନ୍ୟା। ଅଭିଯୁକ୍ତ ରାନ୍ୟା ପ୍ରୋଟୋକଲ ଅଧିକାରୀଙ୍କ ସହଯୋଗରେ ଗ୍ରୀନ୍ ଚାନେଲ ଜରିଆରେ ବାହାରକୁ ଆସିପାରୁଥିଲେ। ଯେତେବେଳେ କି ସେ ରେଡ୍ ଚାନେଲରେ ଯିବାର ଥିଲା। ଯେହେତୁ ମାମଲାର ତଦନ୍ତ ଜାରି ରହିଛି। ସେଥିଲାଗି ଏବେ ଜାମିନ୍ ଦେଲେ ତଦନ୍ତ ଓ ସାକ୍ଷୀକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। କାରଣ ଅଭିଯୁକ୍ତ ଦେଶ ଛାଡ଼ିବା ସହ ପ୍ରମାଣକୁ ନଷ୍ଟ କରିବାର ଆଶଙ୍କା ରହିଛି। ରାନ୍ୟା ନିଜ ଶରୀର, ଜିନ୍ସ, ଅଣ୍ଟା, ଜୋତା ଓ ଜୋତା ତଳେ ସୁନା ଲୁଚାଇ ଚାଲାଣ କରୁଥିଲେ। ଏହା ବ୍ୟତୀତ ମେଡିକାଲ ବ୍ୟାଣ୍ଡେଜ୍ ବ୍ୟବହାର କରି ସୁନା ବିସ୍କୁଟକୁ ଜଙ୍ଘରେ ଲଗାଇଥିଲେ। ଡିଆରଆଇର ଏସଏସପି ମଧୁ ରାଓ ଏ କଥା ବି କହିଛନ୍ତି ଯେ, କିଛି ପୁଲିସ ଅଧିକାରୀ ଏହି ମିଲିଭଗତରେ ପୁରା ସାମିଲ୍ ଅଛନ୍ତି। ବେଙ୍ଗାଲୁରୁ ଏୟାରପୋର୍ଟରୁ ୧୨.୫୬ କୋଟି ଟଙ୍କାର ସୁନା ସହ ରାନ୍ୟାଙ୍କୁ ଗିରଉ କରାଯାଇଥିଲା। ଏହି ସୁନା ରାନ୍ୟାଙ୍କ ଶରୀରରେ ଲାଗିଥିବା ଏକ ଗୁପ୍ତ ଅଣ୍ଟା ବେଲଟରେ ବନ୍ଧା ଯାଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now