ବିବାଦରେ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ। ଦିଲ୍ଲୀର ଶ୍ରୀ ସାରଦା ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟର ୧୭ ଛାତ୍ରୀଙ୍କୁ ଅସଦାଚରଣ କରିଥିବାର ସଙ୍ଗୀନ ଆରୋପ। ସ୍ୱାମୀ ଚୈତନ୍ୟାନନ୍ଦ ଓରଫ୍ ପାର୍ଥସାରଥୀଙ୍କ ବିରୁଦ୍ଧରେ ସଂସ୍ଥାର ପ୍ରଶାସକ ପିଏ ମୁରଲୀଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ ଏତଲା ରୁଜୁ କରିଛି। ଇଣ୍ଡିଆନ ମ୍ୟାନେଜମେଣ୍ଟ ସଂସ୍ଥାରେ ପଢ଼ୁଥିବା ଆର୍ଥିକ ରୂପରେ ଦୁର୍ବଳ ବର୍ଗ ବା ଇଡବ୍ଲୁଏସର ଛାତ୍ରୀଙ୍କ ସହ ପାର୍ଥସାରଥୀ ଯୌନ ଉତ୍ପୀଡ଼ନ କରୁଥିଲେ। ପୀଡ଼ିତା ଛାତ୍ରୀ ଇଡବ୍ଲୁଏସ ସ୍କଲାରସିପ୍ ଆଧାରରେ ମ୍ୟାନେଜମେଣ୍ଟରେ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କୋର୍ସ କରୁଛନ୍ତି। ପୁଲିସ ଏ ମାମଲାରେ ୩୨ ଛାତ୍ରୀଙ୍କ ବୟାନ ରେକର୍ଡ କରିଛି। ଏଥିରୁ ୧୭ ଛାତ୍ରୀଙ୍କ ସହ ଅଭଦ୍ର ବ୍ୟବହାର, ଅଶ୍ଳୀଳ ଓ୍ୱାଟସଅପ୍ ମେସେଜ୍ ପଠାଉଥିଲେ। ଅବାଞ୍ଛିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ପୀଡ଼ିତା ଆହୁରି ବି ସଙ୍ଗୀନ ଅଭିଯୋଗ କରିଛନ୍ତି ଯେ, ସଂସ୍ଥାର କିଛି ମହିଳା ଫ୍ୟାକଲଟି ଓ ପ୍ରଶାସନିକ କର୍ମଚାରୀ ପାର୍ଥଙ୍କ ଦାବି ପୂରଣ ସକାଶେ ଚାପ ପକାଉଥିଲେ। ତଦନ୍ତ ଅବସରରେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ପୁଲିସ। ଘଟଣାସ୍ଥଳ ଓ ଅଭିଯୁକ୍ତଙ୍କ ବିଭିନ୍ନ ଠିକଣାରେ ରେଡ୍ କରିଛି ପୁଲିସ। ପୁଲିସ ସଂସ୍ଥାର ବେସମେଣ୍ଟରେ ଛିଡ଼ା ହୋଇଥିବା ଭୋଲଭୋ କାର୍ ଜବତ କରିଛି। ଯେଉଁଠି ଜାଲି ଡିପ୍ଲୋମାଟିକ୍ ନମ୍ୱର ପ୍ଲେଟ ଲାଗିଥିଲା। ଆଉ ଯାହାକୁ ଅଭିଯୁକ୍ତ ବ୍ୟବହାର କରୁଥିଲା। ଏ ମାମଲାରେ ଅଗଷ୍ଟ ୨୫ରେ ନୂଆ ମାମଲା ରୁଜୁ ହୋଇଥିଲା। ପୁଲିସ ସଂସ୍ଥାର ସିସିଟିଭି ଫୁଟେଜ୍ ଜବତ କରି ଫରେନସିକ୍ ଲ୍ୟାବକୁ ପଠାଇଦେଇଛି। ୧୬ ପୀଡ଼ିତାଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ପାଖରେ ରେକର୍ଡ ହୋଇଛି। ଅଭିଯୁକ୍ତଙ୍କ ଶେଷ ଲୋକେସନ ଆଗ୍ରା ପାଖରେ ପାଇଛି ପୁଲିସ। ଆଉ ପୁଲିସ ତଲାସ ଜାରି ରଖିଛି। ଘଟଣା ପରେ ଶ୍ରୀ ସାରଦା ସଂସ୍ଥାନ ଓ ଶୃଙ୍ଗେରୀ ମଠ ପ୍ରଶାସନ ଅଭିଯୁକ୍ତଙ୍କୁ ସମସ୍ତ ପଦରୁ ହଟାଇଦେଇଛି। ଆଉ ତାଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି। ଶ୍ରୀ ସାରଦା ପୀଠ ଅଭିଯୁକ୍ତଙ୍କ ଗତିବିଧିକୁ ଅବୈଧ, ଅନୁଚିତ୍ ଓ ସଂସ୍ଥାନର ହିତ ବିରୋଧୀ କୁହାଯାଇଛି। ପୁଲିସ ଅନେକ ଥର ଚୈତନ୍ୟାନନ୍ଦଙ୍କୁ ପଚରାଉଚୁରା ଲାଗି ଡାକିଥିଲା। କିନ୍ତୁ ପୁଲିସକୁ ସହଯୋଗ କରିନଥିଲେ ପାର୍ଥସାରଥୀ। ଆଉ ପରେ ଫେରାର୍ ହୋଇଯାଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now