କ୍ୱାରୀ ମାଲିକଙ୍କ ଦାଦାଗିରୀ  ଚରମରେ

Spread the love

ପାଟଣାଗଡ: ଆତଙ୍କ ରଚାଇଛି ପଥର କ୍ୱାରୀ । ମନଇଚ୍ଛା ଚଳାଇଛି ବ୍ଲାଷ୍ଟିଙ୍ଗ । କ୍ୱାରୀ ମାଲିକଙ୍କ ଦାଦାଗିରୀ  ଚରମସୀମାରେ ପହଂଚିବା ପରେ ଏବେ ଥାନାର ଦ୍ୱାରସ୍ଥ ଗ୍ରାମବାସୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ତହସିଲ ଗୋହୀରାମୁଣ୍ଡାରେ ଥିବା ପଥର କ୍ୱାରୀ ଏବେ  ସାଜିଛି ଲୋକଙ୍କ ପାଇଁ କାଳ ।

ବଢୁଛି ପଥର ମାଫିଆଙ୍କ ଦୌରାତ୍ମ୍ୟ । ପାଟଣାଗଡ ତହସିଲ ଗୋହିରାମୁଣ୍ଡା ଗ୍ରାମ ତଥା ଆଖପାଖ ଅଂଚଳରେ ଚାଲିଛି  ମନଇଚ୍ଛା ବ୍ଲାଷ୍ଟିଙ୍ଗ । । ଏହି ଅଂଚଳରେ ଏକ ଘରୋଇ କମ୍ପାନୀ ପଥର ବ୍ଲାଷ୍ଟିଂ କାମ କରୁଥିବା ଫଳରେ  ଆଖ ପାଖ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ବେଆଇନ ଭାବରେ  ଦିନ ୧୨ ଟାରେ ୧୦୦ ରୁ ଅଧିକ ଥର ବଡ ଧରଣର ବ୍ଲାଷ୍ଟିଂ କରୁଥିବାରୁ ଚାଷବାସ କାମ କରିପାରୁନଥିବା ସହ ଗୋରୁ ମଇଷୀଙ୍କୁ ନେଇ ଯାଇଥିବା ଲୋକଙ୍କ ଧନ ଜୀବନ ପ୍ରତି ବିପଦ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।  ବ୍ଲାଷ୍ଟିଂ ସମୟରେ ସତର୍କତା ନେଇ ପୂର୍ବ ସୂଚନା, ସାଇରନ ଭଳି କୌଣସି ସଙ୍କେତ ଦିଆଯାଉନାହିଁ, ଯାହାଫଳରେ ଅତର୍କିତ ବ୍ଲାଷ୍ଟିଂ ବେଳେ ପଥର ଖଣ୍ଡ ଲୋକଙ୍କ ଚାଷ ଜମିରେ ପଡୁଛି । ଏପରିକି ଗୋହୀରାମୁଣ୍ଡା ପ୍ରାଥମିକ ସ୍କୁଲରୁ ମାତ୍ର ୨୦୦ ରୁ ୩୦୦ ମିଟର ଦୂରତାରେ ବେଆଇନ ବ୍ଲାଷ୍ଟିଂ କରାଯାଉଥିବାରୁ ଛାତ୍ରଛାତ୍ରୀଙ୍କ ଜୀବନହାନୀ ହେବାର ଆଶଙ୍କା ଥିବା ସ୍କୁଲ ପରିଚାଳନା କମିଟୀ ର ସଭାପତି ଅଭିଯୋଗ କରିଛନ୍ତି ।

କିଛି ବର୍ଷ ତଳେ ଏଭଳି ବ୍ଲାଷ୍ଟିଂରେ ଗୋହିରାମୁଣ୍ଡା ଗ୍ରାମର ସାଗର ଭୋଇଙ୍କ ଜୀବନ ଯାଇଥିବା ବେଳେ ଯଦୁ ଧରୁଆ ନାମକ ବ୍ୟକ୍ତି ଗୁରୁତର ଆହତ ହୋଇ ଦୀର୍ଘ ଦିନ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ସରକାରଙ୍କ ତରଫରୁ ଯେତେ ପାହାଡ ଲିଜ ଆକାରରେ ଦିଆଯାଇଥିଲା ତାଠାରୁ ଦଶ ଗୁଣ ଅଧିକ ପାହାଡ ଜଙ୍ଗଲ କମ୍ପାନୀ ଅକ୍ତିଆର କରି ବେଆଇନ ଭାବେ ଗ୍ରାମ୍ୟ ଜଙ୍ଗଲରୁ ଶହ ଶହ ଗଛ ଓପାଡି ବଡ  ବଡ ଖାଲ କରିଦେଇଥିବା ଦେଖିବାକୁ ମିଳୁଛି  ।  ପ୍ରତିବାଦ କଲେ କମ୍ପାନୀ ତରଫରୁ ଗ୍ରାମବାସୀଙ୍କୁ ଧମକ ଚମକ ଦିଆଯାଉଥିବା ଏବଂ ପୂର୍ବରୁ କିଛି ଲୋକଙ୍କୁ ମିଥ୍ୟା କେଶରେ ମଧ୍ୟ ଫସାଇ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏହାସହ ଏ ବିଷୟରେ ପ୍ରଶାସନକୁ ଅନେକ ଥର ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ପାଇନଥିବା କହିଛନ୍ତି । ଫଳରେ ଥାନା ର ଦ୍ୱାରସ୍ତ ହୋଇଛନ୍ତି ଗୋହିରାମୁଣ୍ଡା ଗ୍ରାମବାସୀ । ଅନ୍ୟପଟେ ଏ ବିଷୟ ରେ ପାଟଣାଗଡ ତହସିଲଦାର କଣ କହିଛନ୍ତି ଶୁଣନ୍ତୁ

ଅଜିତ ପୁରୋହିତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *