ତାମିଲନାଡ଼ୁରେ ଦଳିତ ଇଞ୍ଜିନିୟରଙ୍କ ଅନରକିଲିଂ ମାମଲା ଚାରିଆଡ଼େ ହଇଚଇ ଖେଳାଇଦେଇଛି। ରବିବାର ଦିନ ଦ୍ୱିପ୍ରହରରେ ୨୭ ବର୍ଷୀୟ ଦଳିତ ସଫଟଓ୍ୱେର ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଥିଲା। ଏହାକୁ ଜାତି ଆଧାରିତ ଅନରକିଲିଂ କୁହାଯାଉଛି। ପୀଡ଼ିତ କବିନ ସେଲଭା ଗଣେଶଙ୍କୁ ହତ୍ୟା ପଛରେ ସେ ଭଲପାଉଥିବା ଯୁବତୀର ଭାଇ ସଂପୃକ୍ତ, ଯାହାଙ୍କୁ ସେ ଭଲ ପାଉଥିଲେ। ଅଭିଯୁକ୍ତ ୨୧ ବର୍ଷୀୟ ଏସ ସୁରଜିତ ତିରୁନେଲବେଲିର କେଟିସି ନଗରରେ ଥିବା ଏକ ହସ୍ପିଟାଲ ପାଖରେ କବିନକୁ ଆକ୍ରମଣ କରିଥିଲା। ଆଉ ହତ୍ୟା କରିବା ପରେ ତୁରନ୍ତ ପୁଲିସରେ ଆତ୍ମସମର୍ପଣ କରିଥିଲା ସୁରଜିତ। ସୁରଜିତଙ୍କ ଉଭଣୀ ସୁବାଷିନୀ ସେହି ହସ୍ପିଟାଲରେ ପରାମର୍ଶଦାତା ଭାବେ କାମ କରନ୍ତି। ସୁରଜିତର ବାପା ମାଆ ଉଭୟ ପୁଲିସରେ। ଦୁହେଁ ସବଇନ୍ସପେକ୍ଟର ଅଛନ୍ତି। ଏ ହତ୍ୟାକାଣ୍ଡ ପଛରେ ପୁଲିସ ଦମ୍ପତ୍ତି ସରବନନ ଓ କୃଷ୍ଣାକୁମାରୀଙ୍କୁ ସହ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। କାରଣ ଏମାନେ ହିଁ ଏଭଳି ଅପରାଧ ଭିଆଇବା ଲାଗି ଉସୁକାଇଥିଲେ। ଆଉ କବିନଙ୍କୁ ଆଗରୁ ଧମକାଇଥିଲେ। ଥୁଥୁକୁଡ଼ି ଜିଲ୍ଲାର ଟିସିଏସରେ କାର୍ଯ୍ୟରତ ଥିଲେ କବିନ। ସ୍କୁଲ ସମୟରୁ ହିଁ ସେ ସୁବାଷିନୀଙ୍କୁ ଭଲ ପାଉଥିଲେ। ଏମାନଙ୍କ ଭିତରେ ସମ୍ପର୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା। କିନ୍ତୁ ସୁବାଷିନୀଙ୍କ ପରିବାର ଅତି ପଛୁଆ ଜାତିର ଥିଲେ। କବିନର ପରିବାର ଅନୁସୂଚିତ ଜାତିର ଥିଲେ। ସେଥିଲାଗି କବିନକୁ ସୁବାଷିନୀଠୁ ଦୂରେଇ ରହିବାକୁ ଧମକ ଦିଆଯାଇଥିଲା। ରବିବାର ନିଜ ଜେଜେବାପାଙ୍କ ଅସୁସ୍ଥତା ବାବଦରେ ସୁବାଷିନୀଙ୍କଠୁ ପରାମର୍ଶ ନେବାକୁ କେସିଟି ନଗର ଯାଇଥିଲେ। ସେଠାରେ ସୁରଜିତ ପହଞ୍ଚି ତାଙ୍କ ସହ ତାଙ୍କ ବାପା ମାଆ କଥା ହେବାକୁ ଚାହୁଁଛନ୍ତି ବୋଲି ଡାକିନେଇଥିଲା। ଏଥିରେ ଭରସା କରି ସୁରଜିତ ସହ ବାଇକରେ ବସି ବାହାରି ପଡ଼ିଥିଲେ କବିନ। ଆଉ ବାଟରେ ଅଚାନକ ସୁରିଜତ ଗାଡି ରଖିଦେଲେ। ଆଉ ଅନ୍ୟ ଜାତିରେ ବିବାହ କରିବାକୁ କେମିତି ସାହାସ କରୁଛୁ କହି ପିଠି ପଛପଟେ ଲୁଚାଇଥିବା ଧାରୁଆ ଅସ୍ତ୍ରରେ କବିନକୁ ଚୋଟ ପରେ ଚୋଟ ମାରିଚାଲିଲା। କବିନ ଜୀବନ ବିକଳରେ ଧାଇଁବାକୁ ପ୍ରୟାସ କରିଥିଲେ। କିନ୍ତୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା ସୁରଜିତ। ଆଉ ହସ୍ପିଟାଲର ୨ଶହ ମିଟର ଦୂରରେ ହିଁ ମର୍ଡର କରିଦେଲା। କବିନଙ୍କ ପରିବାର କବିନର ଶବକୁ ନେବାକୁ ମନା କରିଦେଇଛନ୍ତି। ଯେ ପର୍ଯ୍ୟନ୍ତ ସୁରଜିତଙ୍କ ବାପା ମାଆଙ୍କ ବିରୁଦ୍ଧରେ ଆଇନଗତ ଆକ୍ସନ ହୋଇନି, ସେ ପର୍ଯ୍ୟନ୍ତ ଶବ ନେବେନି। ଏବେ ବି ମାମଲାକୁ ପ୍ରଭାବିତ କରିବାକୁ ନିଜ ପଦର ଦୁରୁପଯୋଗ କରୁଛନ୍ତି ପୁଲିସ ଦମ୍ପତ୍ତି। ପୁଲିସ ଦମ୍ପତ୍ତିଙ୍କ ବିରୁଦ୍ଧରେ ଏସସିଏସଟି ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ସିସିଟିଭି ଫୁଟେଜ ଅନୁଧ୍ୟାନ କରୁଛି। କବିନଙ୍କ ପରିବାରକୁ ନ୍ୟାୟ ଓ ଅଭିଯୁକ୍ତ ପୁଲିସ ଦମ୍ପତ୍ତିଙ୍କ ବିରୁଦ୍ଧରେ ଆଇନଗତ ଆକ୍ସନ ଦାବିରେ ଥିରୁନେଲଓ୍ୱେଲି ଓ ଥୁଥୁକୁଡ଼ି ଜିଲ୍ଲାର କିଛି ଅଞ୍ଚଳରେ ବିରୋଧ ପ୍ରଦର୍ଶନ ହୋଇଛି। ସମଜାତିର ହୋଇନଥିବାରୁ ଏମାନଙ୍କ ସମ୍ପର୍କକୁ ଗ୍ରହଣ କରିପାରୁନଥିଲେ ସୁବାଷିନୀଙ୍କ ପରିବାର। ଆଉ ଶେଷରେ ଜୀବନ ନେଇଗଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now