ପୁଣି ବାଘ ଛାଲ ଜବତ, ୨ ଗିରଫ

Spread the love

କନ୍ଧମାଳ : ପୁଣି କନ୍ଧମାଳରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି । ବାଘ ଛାଲ ଚୋରାଚାଲାଣ ବେଳେ ଶନିବାର ଦୁଇ ଜଣଙ୍କୁ ଗିରଫ କରିଛି ଫୁଲବାଣୀ ବନ ବିଭାଗ ।

ଖବରରୁ ପ୍ରକାଶ ଯେ, ଚକାପାଦ ଥାନା ପସରା ପଂଚାୟତ ଅନ୍ତର୍ଗତ ପଖାଳଖିଆ ଗ୍ରାମରେ ବାଘ ଛାଲ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଫୁଲବାଣୀ ବନ ବିଭାଗ ଡିଏଫଓ ପ୍ରଶାନ୍ତ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ମଳୟ ରଞ୍ଜନ କାଲୋଙ୍କ ବଳିଷ୍ଠ ନେତୃତ୍ୱରେ ସୁଦୃକୁମ୍ପା ରେଞ୍ଜର ଶିଶିର କୁମାର ଝାଙ୍କରଙ୍କ ଆନ୍ତରିକ ସହଯୋଗରେ ଏକ ବାର ଜଣିଆ ଟିମ ଘଟଣାସ୍ଥଳରେ ଚଢ଼ଉ କରି ଏକ କଲରା ପତରିଆ ବାଘ ଛାଲ ଜବତ କରିବା ସହ ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଶିକାରୀ ଯଶୋବନ୍ତ କହଁର ଓ ଚାଲାଣକାରୀ ଆଲୋକ କହଁର । ସେମାନେ କଲରା ପତରିଆ ବାଘ ଛାଲକୁ ବିକ୍ରୀ କରିବା ଲାଗି ଉଦ୍ୟମ କରୁଥିଲେ ବୋଲି ବନ ବିଭାଗ ଡ଼ିଏଫଓ ପ୍ରଶାନ୍ତ ପଟେଲ କହିଛନ୍ତି । ଶନିବାର ଡାକ୍ତରୀ ପରିକ୍ଷା ପରେ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଡ଼ିଏଫଓ ପଟେଲ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ମଧ୍ୟ ଫୁଲବାଣୀ ବନବିଭାଗ ବାଘଛାଲ ଜବତ କରିଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏତେ ବାଘ ଛାଲ ଆସୁଛି କେଉଁଠୁ । ରାଣୀପଥର, ସୁଦୃକୁମ୍ପା, ଚକାପାଦ, ଗାଡିଆପଡା ଓ ଆଖ ପାଖ ଜଙ୍ଗଲରୁ ବାଘକୁ ମାରି ନାହାଁନ୍ତି ତ । ଏହି ଶିକାରୀ ମାନେ ନା ଅନ୍ୟ ଅଂଚଳରୁ ଶିକାର କରି ଆଣି ଏଠାରେ ବିକ୍ରୀ ଉଦ୍ୟମ କରୁଥିଲେ ତାର ତଦନ୍ତ ନିତାନ୍ତ ଆବଶ୍ୟକ । ଏହାକୁ ରୋକିବା ପାଇଁ ବନ ବିଭାଗ ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ।

Leave a Reply

Your email address will not be published. Required fields are marked *