ଆଦିବାସୀ ମହିଳାଙ୍କୁ ସାତବେଣ୍ଟି କରି ବୁଲାଇଲେ ଗ୍ରାମବାସୀ

Spread the love

ଭୋପାଳ: ଆଦିବାସୀଙ୍କ ସୁରକ୍ଷା ଓ ବିକାଶ ପାଇଁ ସରକାର ବିଭିନ୍ନ ଆଇନ ଓ ଯୋଜନାର ପ୍ରଣୟନ କରିଛନ୍ତି। କିନ୍ତୁ ଆଜି ବି ଆଦିବାସୀଙ୍କ ଜୀବନଧାରାରେ ଆସିନାହିଁ କୌଣସି ପରିବର୍ତ୍ତନ। ଆଦିବାସୀଙ୍କ ପ୍ରତି  ସାଧାରଣ ଲୋକଙ୍କ ମାନସିକତାରେ ଆସୁନାହିଁ ପରିବର୍ତ୍ତନ । ସଭ୍ୟତାର ଚାକଚକ୍ୟ ଆଦିବାସୀମାନଙ୍କୁ ସମସ୍ତଙ୍କ ସହ ତାଳଦେଇ ଚାଲିବାର ସୁଯୋଗ ଦେବା ପାଇଁ କୁଣ୍ଠାବୋଧ କରୁଛି  । ଆଜି ମଧ୍ୟ ଉଚ୍ଚ ବର୍ଗଙ୍କ ମଧ୍ୟରେ ଭରି ରହିଛି ସେମାନଙ୍କ ପ୍ରତି ହେୟଜ୍ଞାନ। ତେଣୁ ବିଭିନ୍ନ କାରଣରୁ ଏହି ବର୍ଗଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ସହିବାକୁ ହେଉଛି।

ଦେଶ ରାଷ୍ଟ୍ରପତି ଭାବେ ପ୍ରଥମ ମହିଳା ଆଦିବାସୀଙ୍କୁ ପାଇବାକୁ ଯାଉଛି। ହେଲେ ଜଣେ ଅଦିବାସୀ ମହିଳାଙ୍କ ପ୍ରତି ଦେଖିବାକୁ ମିଳୁଛି ବର୍ବରତା । ବେକରେ ଚପଲ ପକାଇ ଗାଁରେ ବୁଲାଇଛନ୍ତି ଗ୍ରାମବାସୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦୋବାସ ଜିଲ୍ଲାର ଉଦୟନଗର ଥାନା ଅନ୍ତର୍ଗତ ବୋରପଡାଭ ଗାଁରେ।

ମହିଳାଙ୍କ ଭୁଲ ଏତିକି ଥିଲା କି ସେ ପ୍ରେମକରି ବସିଥିଲେ। ଆଦିବାସୀ ମହିଳାଙ୍କ ପ୍ରେମ ସମ୍ପର୍କରେ ଜଣା ପଡିବା ପରେ ତାଲିବାନୀ ଦଣ୍ଡ ସହ ଗାଁରେ ତାଙ୍କ ବେକରେ ଚପଲ ମାଳ ପକାଇ ବୁଲାଉଛନ୍ତି ଗ୍ରାମବାସୀ । ଦଣ୍ଡ ସ୍ବରୂପ ମହିଳାଙ୍କୁ ତାଙ୍କ କାନ୍ଧରେ ସ୍ବାମୀଙ୍କୁ ବସାଇ ଗାଁ ସାରା ବୁଲାଇଛନ୍ତି । ସେହିପରି ମହିଳା ଏବଂ ତାଙ୍କ କଥିତ ପ୍ରେମୀଙ୍କୁ ଚୁଟି କାଟି ସାତବେଣ୍ଟିଆ କରି ଯୋତା ଚପଲ ମାଳା ପକାଯାଇଛି । ଘଟଣାର ଭିଡିଓ ଏବେ ସାମାଜିକ ଗଣମାଧ୍ୟ୍ୟମରେ ଭାଇରାଲ ହେବାରେ ଲାଗିଛି ।

ଭଡିଓରେ ଗ୍ରାମବାସୀ ମାନେ ମହିଳାଙ୍କୁ ନୃଶଂସ ଭାବେ ମାରପିଟ କରୁଥିବାର ନଜର ଆସିଛି । ଭିଡିଓ ଭାରାଲ ହେବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ ମହିଳା ଜଣଙ୍କ ଅନ୍ୟ ବ୍ୟକ୍ତିଙ୍କ ସହ ଫେରାର ହୋଇଯାଇଥିଲେ। କିଛି ଦିନ ପରେ ସେ ପ୍ରେମୀଙ୍କ ସହ ଗାଁକୁ ଆସିବାରୁ ପରିବାର ଲୋକ ଏବଂ ଗାଁର ଲୋକମାନେ ମହିଳା ଏବଂ ତାଙ୍କ ପ୍ରେମୀକୁ ମାରପିଟ କରିଥିଲେ । ତେବେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି।

 ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ  ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *