ଦୁଇ ଚୋର ଗିରଫ, ଚୋରି ସାମଗ୍ରୀ ଉଦ୍ଧାର

Spread the love

ମାଲକାନଗିରି : ମାଲକାନଗିରି ଥାନାସ୍ଥ ଏମଭି-୨୦ ଗ୍ରାମର ସଞ୍ଜୟ ଗାଇନିଙ୍କ ଘରୁ ଗତ ସୋମବାର ରାତ୍ରରେ କେହି ଦୁର୍ବୃତ ତାଲା ଭାଙ୍ଗି ଲାପଟପ, ସୁନାଗହଣା, ନଗଦ ଟଙ୍କା ଚୋରି କରି ନେଇଥିଲେ । ସେହି ଘଟଣାରେ ମାଲକାନଗିରି ଥାନା ପୁଲିସ ତଦନ୍ତ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ମାଲକାନଗିରି ଥାନାସ୍ଥ ଏମଭି-୧୮ ଗ୍ରାମର ଗୋପାଳ ବାରୋଇ (୩୦) ଓ କାଲିମେଳା ଥାନାସ୍ଥ ଏମଭି-୪୧ ଗ୍ରାମର ସୁବଳ ବାଲା (୬୫) । ଚୋରି ହୋଇଥିବା ଲେନୋଭୋ ଲାପଟପ୍‌, ସୁନା ଅଳଙ୍କାର ଏବଂ ନଗଦ ୩୪ ହଜାର୨୦୦ ଟଙ୍କା ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଜବତ କରିଛି । ଜବତ ଟଙ୍କା ଓ ସାମଗ୍ରୀ ଗୁଡିକୁ ଚୋରୀ ଯାଇଥିବା ଗୃହକର୍ତାଙ୍କୁ ଫେରାଇ ଦିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସୋମବାର ସନ୍ଧ୍ୟାରେ ସଞ୍ଜୟ ତାଙ୍କ ଦୋକାନ ଓ ଘରେ ତାଲା ପକାଇ ପରିବାର ସହିତ ଉମରକୋଟ ଯାଇଥିଲେ । ସେମାନେ ମଙ୍ଗଳବାର ରାତ୍ର ପ୍ରାୟ ୧୦ ଟାରେ ଘରେ ପହଂଚି ଦେଖିଲା ବେଳକୁ ଘର ଓ ଦୋକାନ ଘର ଚାବି ଭଙ୍ଗା ଯାଇଛି । ଘର ଭିତରକୁ ପ୍ରବେଶ କରି ଦେଖିବା ବେଳକୁ ଆଲମୀରାରୁ ନଗଦ ୩୮ ହଜାର ଟଙ୍କା, ସୁନାଚେନ ୨ଟା, କାନଫୁଲ ୬ ହଳ, ମୁଦି ୩ଟା, ରୁପା ଗହଣା ଆଦି ପ୍ରାୟ ୩ ଲକ୍ଷ ୩୦ ହଜାର ଟଙ୍କାର ଗହଣା କେହି ଦୁର୍ବୁତ ଚୋରୀକରି ନେଇଯାଇଛନ୍ତି । ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ସଞ୍ଜୟ ମାଲକାନଗିରି ଥାନାରେ ଏତଲା ଦେଇଥିଲେ । ଏସପି ନିତେଶ ୱାଧନୀଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ସଚିନ ପଟେଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଥାନା ଅଧିକାରୀ ରିଙ୍ଗନ କିଣ୍ଡୋଙ୍କ ନେତୃତ୍ୱରେ ସବ ଇନିସପେକ୍ଟର ପ୍ରଭାତ ଗୌଡ଼ ଅନ୍ୟାନ୍ୟ ପୁଲିସଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ପୁଲିସ ଅନୁସନ୍ଧାନକାରୀ କୁକୁର ଓ ସାଇଂଟିଫିକ୍ ଟିମ୍ ଙ୍କ ଦ୍ୱାରା ଅଧିକ ତଦନ୍ତ ଚଳାଇ ଦୁଇ ଅଭିଯୁକ୍ତଙ୍କୁ କାଲିମେଳାରୁ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *