ଭୋଟ ଚୋରିରେ ବିଜେପିର ପୂର୍ବତନ ବିଧାୟକ ମୁଖ୍ୟ ଅଭିଯୁକ୍ତ- କାଲି ରାମଲୀଳା ମୈଦାନରେ ଗର୍ଜିବ କଂଗ୍ରେସ

ଭୋଟ ଚୋରି ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଜେପିର ପୂର୍ବତନ ବିଧାୟକ। କର୍ଣ୍ଣାଟକ କଲବୁର୍ଗି ଜିଲ୍ଲାର ଅଳନ୍ଦ ବିଧାନସଭାରେ ହୋଇଥିବା ଭୋଟ ଚୋରି ମାମଲାରେ ପୂର୍ବତନ ବିଧାୟକ ସୁବାଷ ଗୁଟ୍ଟେଦାରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି ସିଆଇଡି। ୨୨ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କର୍ଣ୍ଣାଟକ ଏସଆଇଟି। କଲବୁର୍ଗି ସିଟି ଏସିଏମଏମ କୋର୍ଟରେ ଏହି ଚାର୍ଜସିଟ ଦାଖଲ ହୋଇଛି। ରାହୁଲ ଗାନ୍ଧୀ ଏକ ପ୍ରେସମିଟରେ ଅଳନ୍ଦ ବିଧାନସଭା କ୍ଷେତ୍ରରେ ଭୋଟ ଚୋରୀର ଆରୋପ ଲଦିଥିଲେ। ଏହାର ଯାଞ୍ଚ ନିର୍ଦେଶ ସିଆଇଡିର ଏସଆଇଟିକୁ ଦେଇଥିଲେ କର୍ଣ୍ଣାଟକ ସରକାର। ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଭାବେ ସୁବାଷଙ୍କୁ ଦର୍ଶାଯାଇଥିଲା ବେଳେ ତାଙ୍କ ପୁଅ ହର୍ଷନନ୍ଦ ଗୁଟ୍ଟେଦାର ଓ ଅନ୍ୟ ୫ଜଣଙ୍କୁ ବି ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ତଦନ୍ତ ଏଜେନ୍ସି ଦାବି କରିଛି ଯେ, ୨୦୨୩ ବିଧାନସଭା ନିର୍ବାତନ ପୂର୍ବରୁ ଏମାନେ ସୁଚିନ୍ତିତ ଷଡ଼ଯନ୍ତ୍ର କରି ୫ହଜାର୯୯୪ ମତଦାତାଙ୍କ ନାଁ ଭୋଟର ତାଲିକାରୁ ହଟାଇଦେଇଥିଲେ। କଲ ସେଣ୍ଟର ତିଆରି କରି ଭୋଟରଙ୍କ ନାଁ ତାଲିକାରୁ କଟାଯାଇଥିଲା। ମତଦାତାଙ୍କ ନାଁ କାଟିବାକୁ ଏକ ବଡ଼ କଲସେଣ୍ଟର ନେଟଓ୍ୱର୍କର ବ୍ୟବହାର କରାଯାଇଥିଲା। ଅନଲାଇନ ଜାଲି ଆବେଦନ ପୂରଣ କରାଗଲା। ଆଉ ପ୍ରତି ଭୋଟରଙ୍କ ନାଁ କାଟିବା ବଦଳରେ ଟଙ୍କା ଦିଆଗଲା। ଓଟିପି ହ୍ୟାକିଂ ଓ ଆଧାର ଲିଂକ ମୋବାଇଲ ନମ୍ୱରରେ ହେରାଫେରି କରି ଫର୍ମ-୭ ଭର୍ତ୍ତି କରାଯାଇଥିଲା। ଏହି ମାମଲା ପ୍ରଥମେ କଂଗ୍ରେସ  ବିଧାୟକ ବି.ଆର.ପଟିଲ୍ ଉଠାଇଥିଲେ। ପରେ ରାହୁଲ ଗାନ୍ଧୀ ସଂସଦରୁ ନେଇ କର୍ଣ୍ଣାଟକ ଜନସଭାରେ ମୁଦ୍ଦା ଉଠାଇଥିଲେ। ବିଜେପି ଓ ନିର୍ବାଚନ କମିଶନଙ୍କ ମିଲିଭଗତରେ ଏହାକୁ ଭୋଟ ଚୋରୀ ବୋଲି ଆଖ୍ୟା ଦେଇଥିଲେ। ଏସଆଇଟି ଏହି ମାମଲାରେ ଚାର୍ଜସିଟିରେ ୨ଶହରୁ ଅଧିକ ସାକ୍ଷୀଙ୍କ ବୟାନ, ଡିଜିଟାଲ କଲ୍ ରେକର୍ଡସ, ବ୍ୟାଙ୍କ ଟ୍ରାନ୍ସଆକ୍ସନ, ଓଟିପି ଲଗସ, ଫର୍ମ-୭ର କପି ସାମିଲ କରିଛି।  ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆଇପିସିର ଧାରା ୪୨୦, ୪୬୮, ୪୭୧, ୧୨୦(ବି) ସହ ଜନପ୍ରତିନିଧି ଅଧିନିୟମ ଧାରାରେ ମାମଲା ଚାଲିବାକୁ ଦାବି କରିଛି ଏସଆଇଟି। ତେବେ ପୂର୍ବତନ ବିଧାୟକ ସୁବାଷ ଏହି ଚାର୍ଜସିଟକୁ ରାଜନୈତିକ ପ୍ରତିଶୋଧପରାୟଣର କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି। ସେ କୋର୍ଟରେ ନିଜର ପକ୍ଷ ରଖିବେ। ସେପଟେ ଲୋକତନ୍ତ୍ର ଉପରେ ଏହା ଖୋଲା ଆକ୍ରମଣ ବୋଲି କହିଛି କଂଗ୍ରେସ। ସେପଟେ ଭୋଟ ଚୋରୀ ବିରୁଦ୍ଧରେ ରବିବାର ଦିଲ୍ଲୀର ରାମଲୀଲା ମୈଦାନରେ କଂଗ୍ରେସ ବିଶାଳ ରାଲି ଓ ସମାବେଶ କରୁଛି। କଂଗ୍ରେସ ସଂଗଠନ ମହାସଚିବ କେସି ବେନୁଗୋପାଳ କହିଛନ୍ତି, ଭୋଟ ଚୋରୀ ବିରୁଦ୍ଧରେ ୫.୫୦କୋଟି ଦସ୍ତଖତ ସଂଗ୍ରହ କରାଯାଇଛି। ନିର୍ବାଚନରେ କେମିତି କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ ମିଲିଭଗତରେ ଭୋଟ ଚୋରୀ ହେଉଛି, ସେ ନେଇ ପ୍ରତିବାଦ କରିବ। ସଂସଦରେ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ବିତର୍କ ଲାଗି ସରକାର ଅନୁମତି ଦେଇନଥିଲେ। ଯଦିଓ ନିର୍ବାଚନୀ ସଂସ୍କାର ନାଁରେ ଏହାକୁ ଅନୁମତି ଦେଇ ଆଲୋଚନା ହୋଇଥିଲା ସଂସଦରେ। କାଲି ଇନ୍ଦିରା ଭବନ ହେଡ଼କ୍ୱାର୍ଟରରେ ସମସ୍ତ ନେତା ଏକାଠି ହେବେ। ଆଉ ତା ପରେ ବସ୍ ଯୋଗେ ରାମଲୀଳା ମୈଦାନ ଅଭିମୁଖେ ବାହାରିବେ। ପ୍ରତିବାଦ ସଭା ସରିବା ପରେ ମହାମହିମ ରାଷ୍ଟ୍ରପତିଙ୍କୁ ୫.୫୦ କୋଟି ଦସ୍ତଖତ ସମ୍ୱଳିତ ସ୍ମାନକପତ୍ର ଦେବାକୁ ଅନୁରୋଧ କରାଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *