କାହା ଫୋନ୍ କଲ୍‌ରେ କଲ ସସପେଣ୍ଡ!

ବିଶୃଙ୍ଖଳିତ ଆଚରଣର ଆରୋପ ଲଦି ଓ୍ୱାକଫ ବୋର୍ଡ ଜେପିସି ବୈଠକରୁ ଦିନକ ପାଇଁ ୧୦ ବିରୋଧୀ ସାଂସଦ ନିଲମ୍ୱିତ ହୋଇଛନ୍ତି। ନିଲମ୍ୱନ କରିଥିଲେ କମିଟି ଅଧ୍ୟକ୍ଷ ଜଗଦମ୍ୱିକା ପାଲ୍। ନିଲମ୍ୱିତ ସାଂସଦ ହେଉଛନ୍ତି କଂଗ୍ରେସ,ଟିଏମସି, ଡିଏମକେ ଓ ଏଆଇଏମଆଇଏମ ଦଳର। ତେବେ ବୈଠକରେ ଏକତରଫା ଓ ଏକଚାଟିଆ ନିଷ୍ପତ୍ତିକୁ ବିରୋଧ କରିବାରୁ ଏଭଳି ଆକ୍ରୋଶମୂଳକ ଆକ୍ସନ ନିଆଯାଇଛି ବୋଲି ଆରୋପ ଲଦିଥିଲେ ନିଲମ୍ୱିତ ବିରୋଧୀ ସଦସ୍ୟ। ଆଉ ଲୋକସଭା ବାଚସ୍ପତିଙ୍କୁ ଏହି ମର୍ମରେ ଲେଖିଥିବା ଚିଠିରେ ଆଉ ଏକ ଗମ୍ଭୀର ଆରୋପ ଲଦିଛନ୍ତି। ବୈଠକରେ ଏକ ଫୋନ୍ କଲ ପାଇ ବିରୋଧୀ ସାଂସଦଙ୍କୁ କୁଆଡ଼େ ନିଲମ୍ୱନ ଦଣ୍ଡ ଦେଇଥିଲେ କମିଟି ଅଧ୍ୟକ୍ଷ ଜଗଦମ୍ୱିକା ପାଲ୍। ଶେଷ ମୂହୂର୍ତ୍ତରେ ବୈଠକର ଏଜେଣ୍ଡା ବଦଳାଇଥିବାରୁ ଏହାକୁ ନେଇ ଆପତ୍ତି ଜାହିର କରୁଥିଲା ବେଳେ ଅଚାନକ ଏକ ଫୋନ୍ କଲ ଅଧ୍ୟକ୍ଷଙ୍କ ମିଜାଜ୍ ବଦଳାଇଦେଇଥିଲା। କାହାର ଫୋନ୍ କଲ ଥିଲା। କାହା ଚାପରେ ଏଭଳି ଅଗଣତାନ୍ତ୍ରିକ ନିଷ୍ପତ୍ତି ନେଲେ ଅଧ୍ୟକ୍ଷ ବୋଲି ଅଙ୍ଗୁଳି ଉଠାଇଛନ୍ତି ବିରୋଧୀ। ଅଧ୍ୟକ୍ଷ ଅଘୋଷିତ ଏମର୍ଜେନ୍ସି ଚଳାଉଛନ୍ତି। ବିରୋଧୀଙ୍କୁ କୌଣସି ସମ୍ମାନ ଦେଉନାହାନ୍ତି। ହୁରିୟାତ ଚେୟାରମ୍ୟାନ ମିରଓ୍ୱାଜ୍ ଉମର ଫାରୁକ୍ ବି କମିଟି ନିକଟରେ ଫେରାଦ୍ ହୋଇ ଆପତ୍ତି ଜାହିର କରିଥିଲେ। ଭାରତୀୟ ସମ୍ୱିଧାନର ବିଭିନ୍ନ ଧାରା ଉଲ୍ଲଂଘନ ହୋଇଛି ବୋଲି କହିଥିଲେ।

ସେପଟେ ଅଧ୍ୟକ୍ଷ ନିଲମ୍ୱନ ଦଣ୍ଡ ଦେବା ବେଳେ କହିଥିଲେ ଯେ, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ତାଙ୍କ ପ୍ରତି ଅସଂସଦୀୟ ଭାଷା ବ୍ୟବହାର କରି ଅପମାନିତ କରିଥିଲେ। ନିଶିକାନ୍ତ ଦୁବେ ଏମାନଙ୍କୁ ନିଲମ୍ୱିତ କରିବାକୁ ପ୍ରସ୍ତାବ ରଖିଥିଲେ। ଅଧ୍ୟକ୍ଷଙ୍କୁ ସହଯୋଗ ବଦଳରେ ତାଙ୍କ ପ୍ରତି ଅଶୋଭନୀୟ ଆଚରଣ କେତେଦୂର ଗ୍ରହଣୀୟ। ସେପଟେ ଓ୍ୱାକଫ ଆକ୍ଟକୁ ରଦ୍ଦ କରିବାକୁ ଜଣେ ଆଇନଜୀବି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହା ଅସାମ୍ୱିଧାନିକ ବୋଲି ଘୋଷଣା କରନ୍ତୁ ସୁପ୍ରିମକୋର୍ଟ। ଏହା ଭାରତର ନାଗରିକଙ୍କ ଭିତରେ ବିଭେଦ ସୃଷ୍ଟି ସହ ଦୁଇ ଭାଗ କରୁଛି। ହିନ୍ଦୁ ମନ୍ଦିର ଉପରେ କବଜା, କୌଣସି ସମ୍ପତ୍ତିକୁ ଓ୍ୱାକଫ ସମ୍ପତ୍ତି ଭାବେ ଘୋଷିତ କରିବାର ଅଧିକାର ଧର୍ମନିରପେକ୍ଷ ରାଷ୍ଟ୍ରରେ ଚଳିବନି। ଦେଶରେ ଦୁଇଟି ଆଇନ ରହିବା କଥା ନୁହେଁ। ପ୍ଲେସ ଅଫ ଓ୍ୱରସିପ୍ ଆକ୍ଟ ୧୯୯୧ ଅନୁସାରେ ହିନ୍ଦୁ ନିଜ ମନ୍ଦିରକୁ ନିଜ ଦଖଲକୁ ନେବାକୁ ବା ପୁନରୁଦ୍ଧାର କରିବାକୁ ଦାବି କରିପାରିବେନି। ଓ୍ୱରସିପ୍ ଆକ୍ଟ, ମାଇନୋରିଟି ଆକ୍ଟ ଓ ଓ୍ୱାକଫ ଆକ୍ଟକୁ ନିରସ୍ତ୍ର କରିବାକୁ ଦାବି ତେଜିଛି। ଓ୍ୱାକଫ ସଂକ୍ରାନ୍ତ ଜେପିସି ରିପୋର୍ଟ ସଂସଦର ବଜେଟ୍ ଅଧିବେଶନରେ ଦାଖଲ ହେବ। କିନ୍ତୁ ତା ଆଗରୁ କମିଟି ସଦସ୍ୟଙ୍କ ଭିତରେ ତୁତୁ ମେମେରୁ କମିଟିର ରିପୋର୍ଟ ସର୍ବସମ୍ମତ କେମିତି ହେବ, ତାକୁ ନେଇ ଚିନ୍ତା ଘାରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *