୬ ଦିନରେ ୩ ବିଜେପି କର୍ମକର୍ତ୍ତାଙ୍କୁ ହତ୍ୟା

Spread the love

ଦାନ୍ତେୱାଡା: ଛତିଶଗଡରେ ବିଗତ ୬ ଦିନରେ ୩ ବିଜେପି କର୍ମକର୍ତ୍ତାଙ୍କୁ ହତ୍ୟା କଲେଣି ମାଓବାଦୀ। ଶନିବାର ଅପରାହ୍ନରେ ଦାନ୍ତେୱାଡାର ଜଣେ ପୂର୍ବତନ ସରପଞ୍ଚଙ୍କୁ କୁରାଢିରେ ହାଣି ହତ୍ୟା କରାଯାଇଥିଲା। ମୃତକ  ୪୩ ବର୍ଷୀୟ ରାମଧର ଆଲାମି ଭାବେ ପୁଲିସ ଚିହ୍ନଟ କରିଛି।

ଆଲାମିଙ୍କୁ ହତ୍ୟା କରିବା ପରେ ମାଓବାଦୀ ଏକ ଚିଠି ଛାଡିଥିଲେ। ସେଥିରେ ଆଲାମି ପୁଲିସ ଇନଫର୍ମର ହେବା ସହ ବୋଧଘାଟ ଡ୍ୟାମ ପ୍ରୋଜେକ୍ଟ ସହ ସଂଶ୍ଳୀଷ୍ଟ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି। ଗତ ୧୫ ବର୍ଷ ଧରି ଆଲାମି ବିଜେପିରେ ସକ୍ରୀୟ ଥିଲେ। ୨୦୧୮ରେ ସେ ବାରସୁର ଡିଭିଜନର ସହକାରୀ ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ।

ପୁଲିସ ସୂଚନା ମୁତାବକ, ଶନିବାର ଅପରାହ୍ନ ପ୍ରାୟ ୩ଟାରେ ଯେତେବେଳେ ସେ ୨୫ ଜଣଙ୍କ ସହ ଜଙ୍ଗଲ ଦେଇ ଯାଉଥିଲେ ୨ ଜଣ ମହିଳା ଓ ୩ ଜଣ ପୁରୁଷ ମାଓବାଦୀ ବିଭିନ୍ନ ହତିଆର ଧରି ସେମାନଙ୍କୁ ଅଟକାଇଥିଲେ। ସେମାନେ ଆଲାମିଙ୍କ ଜୋର ଜବରଦସ୍ତି ଜଙ୍ଗଲ ଭିତରକୁ ନେଇଯାଇଥିଲେ। ୩୦ ମିନିଟ ପରେ ମାଓବାଦୀମାନେ ଆଲାମିଙ୍କ ସହଯୋଗୀଙ୍କୁ ଏକ ଚିଠି ଦେଇ ଆଲାମିଙ୍କୁ ହତ୍ୟା କରାଯାଇଛି,ସେମାନେ ତାଙ୍କ ମୃତଦେହ ନେଇପାରନ୍ତି ବୋଲି କହିଥିଲେ ତଥା ସେଠାରୁ ଜଙ୍ଗଲ ଭିତରେ କେଉଁଆଡେ ଉଭାନ ହୋଇ ଯାଇଥିଲେ।

ଏହା ପୂର୍ବରୁ ଫେବୃଆରୀ ୫ ତାରିଖରେ ବିଜାପୁର ଜିଲ୍ଲାରେ  ଆୱାପାଲ୍ଲି ଡିଭିଜନର ବିଜେପି ମୁଖ୍ୟ ନିଳକଣ୍ଠ କାକେମଙ୍କୁ ଛୁରାମାଡ କରି ୩ ଜଣ ମାଓବାଦୀ ହତ୍ୟା କରିଥିଲେ । ସେହିପରି ଫେବୃଆରୀ ୧୦ ତାରିଖରେ ନାରାୟଣପୁର ଜିଲ୍ଲା ବିଜେପି ଉପମୁଖ୍ୟ ସାଗର ସାହୁଙ୍କୁ ତାଙ୍କ ଘରେ ଦୁଇ ଜଣ ସନ୍ଦିଗ୍ଧ ମାଓବାଦୀ ହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *