ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା : ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ଏନଏଚଆରସିଙ୍କ ନୋଟିସ୍‌

Spread the love

ଖୋର୍ଦ୍ଧା : ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହାର ଶୁଣାଣି କରି ଜାତୀୟ ମାନବାଧିକାର କମିଶନ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଆସନ୍ତା ଜୁନ୍ ୨୪ ସୁଦ୍ଧା କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି କମିଶନ ଖୋର୍ଦ୍ଧା ଜିଲାପାଳ, ଏସପି ଏବଂ ମୁଖ୍ୟ ବନ ସଂରକ୍ଷକଙ୍କ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ୪ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ କମିଶନଙ୍କ ନିକଟରେ ଦାଖଲ କରିବେ । ରିପୋର୍ଟ ପ୍ରଦାନରେ ବିଳମ୍ବ ହେଲେ ମାନବାଧିକାର ସୁରକ୍ଷା ଆଇନ ୧୯୯୩ ଅନୁସାରେ କମିଶନଙ୍କ ନିକଟରେ ବ୍ୟକ୍ତିଗତ ହାଜର ଲାଗି ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି । ଅନୁରୂପ ଭାବେ ମୃତକଙ୍କ ପରିବାରକୁ ଉପଯୁକ୍ତ ସୁରକ୍ଷା, ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାଶ ।

ପ୍ରକାଶ ଥାଉକି, ୨୦୨୦ ଅକ୍ଟୋବର ୧୩ ସନ୍ଧ୍ୟାରେ ବାଲୁଗାଁ ବନାଚଂଳ ଅଧିନସ୍ଥ ଟାମଣା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ମଇଁଷିଗୋଠ ନିକଟରେ ନୟାଗଡ଼ ଜିଲା ଶରଣକୁଳ ଥାନା ଅଧୀନ ଗୋଳଗାଁର ବଳଭଦ୍ର ବେହେରା ଓରଫ ଟିକିଙ୍କ ସହ କେତେଜଣ ବ୍ୟକ୍ତି ଗଛ କାଟୁଥିବା ନେଇ ସ୍ଥାନୀୟ ବନ କର୍ମଚାରୀ ସୂଚନା ପାଇଥିଲେ । ଧୂଆଁନଳି ଫରେଷ୍ଟ ବିଟ୍ ହାଉସ୍ ର କର୍ମଚାରୀମାନେ ପହଂଚି ଚଢ଼ଉ କରିଥିଲେ । ବନ କର୍ମଚାରୀଙ୍କୁ ଦେଖି ଅନ୍ୟମାନେ ସେଠାରୁ ଦୌଡ଼ି ପଳାଇଥିଲେ । ତେବେ ବଳଭଦ୍ର ଗଛ ଉପରେ ଚଢ଼ି ଗଛ କାଟୁଥିବା ବେଳେ ବନ କର୍ମଚାରୀ ତାଙ୍କୁ କାବୁକରି କାର୍ଯ୍ୟାଳୟକୁ ନେଇଥିଲେ । ବିଳମ୍ବିତ ରାତିରେ ବଳଭଦ୍ର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ନୀଳାଦ୍ରିପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ହେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଣପୁର ପୋଲିସ ମେଡ଼ିକାଲରେ ପହଂଚି ମୃତଦେହ ଜବତ କରି ପରିବାର ଲୋକଙ୍କୁ ଖବର ଦେଇଥିଲା । ପରଦିନ ଅପରାହ୍ନରେ ମୃତକଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ଡାକ୍ତରଖାନାରେ ପହଂଚି ଥିଲେ । ମୃତ ବଳଭଦ୍ରଙ୍କ ଶରୀରରେ କ୍ଷତଚିହ୍ନ ଥିବା ଦେଖି ବନ କର୍ମଚାରୀମାନେ ତାଙ୍କୁ ମାଡ଼ମାରି ହତ୍ୟା କରିଥିବା ସ୍ତ୍ରୀ ପ୍ରତିମା ବାଣପୁର ଥାନାରେ ଅଭିଯୋଗ କରିଥିଲେ । ଘଟଣାର ନିରପେକ୍ଷ ତଦନ୍ତ ସହ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପ୍ରତିମାଙ୍କ ଅଭିଯୋଗ କ୍ରମେ ବାଣପୁର ପୋଲିସ ଦଫା ୩୦୨/୩୪ ଆଇପିସିରେ ଏକ ମାମଲା (ନଂ.୩୧୯/୨୦) ରୁଜୁ କରିଥିଲା । ଏ ନେଇ ମାନବାଧିକାର କର୍ମୀ ଜୟନ୍ତ ଦାଶ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ତଦନ୍ତ ଆଳରେ ଯୁବକଙ୍କୁ ବନ କାର୍ଯ୍‌ଯାଳୟ ପରିସରରେ ଅକଥନୀୟ ମାଡ ମାରିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏହା ଏକ ହାଜତ ମୃତ୍ୟୁ ବୋଲି ସେ ଉଲ୍ଲେଖ କରିଥିଲେ । ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *