ବିଭିନ୍ନ ଘାଟରେ ଶ୍ରଦ୍ଧାଳୁଙ୍କ ବୁଡ଼

କୁମ୍ଭ ମେଳା ବିଶ୍ୱର ସବୁଠାରୁ ବଡ ଧାର୍ମିକ ସମାଗମ। ଆସ୍ଥା, ପରମ୍ପରା ଓ ଆଧ୍ୟାତ୍ମିକତା ର ସ୍ଥାୟୀ ଶକ୍ତି ଓ ତାର ଜୀବନ୍ତ ପ୍ରମାଣ । ପ୍ରକୃତି ଉପାସନାରେ ବିଶ୍ୱାସ କରୁଥିବା ଭାରତୀୟ ସଂସ୍କୃତିର ଏକ ଅନନ୍ୟ ଓ ଅଦ୍ଭୁତ ଆୟୋଜନ। ପବିତ୍ର ଜଳରେ ବୁଡ଼ ପକାଇବା ପାଇଁ ହିଁ କୋଟି କୋଟି ଲୋକ କୁମ୍ଭମେଳାକୁ ଯାଆନ୍ତି। ତାର ଏକମାତ୍ର ଉଦ୍ଦେଶ୍ୟ ଥାଏ ପାପ ତାପ ନାଶ ହୋଇ ମୁକ୍ତି ବା ମୋକ୍ଷପ୍ରାପ୍ତି। ୧୨ ବର୍ଷରେ ଥରେ ପ୍ରୟାଗରାଜ,ହରିଦ୍ୱାର,ଉଜ୍ଜୟିନୀ ଓ ନାସିକରେ ଏହି ପବିତ୍ର ମେଳାର ଆୟୋଜନ ହୁଏ । ଲୋକଙ୍କ ଆସ୍ଥା ଓ ବିଶ୍ୱାସର ଏହି ସମାଗମରେ ଅନେକ କିଛି ଅଲୌକିକ ଓ ଦିବ୍ୟ ଅନୁଭୂତି ନେଇ ଫେରନ୍ତି ଶ୍ରଦ୍ଧାଳୁ।

ଏବେ ପ୍ରୟାଗରାଜର ଗଙ୍ଗା-ଯମୁନା-ସରସ୍ୱତୀର ତ୍ରୀବେଣୀ  ସଙ୍ଗମର ବିଭିନ୍ନ ଘାଟରେ ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି । କିନ୍ତୁ ଯେଉଁଠି ଗଙ୍ଗା ଓ ଯମୁନା ଦୃଶ୍ୟମାନ ହେଉଛନ୍ତି ସେଠି ସରସ୍ୱତୀ ରହସ୍ୟମୟୀ ଭାବେ ଅଦୃଶ୍ୟ ଅଛନ୍ତି ।କିନ୍ତୁ ତିନୋଟି ନଦୀ ମିଳନ ସ୍ଥଳୀ ମୁକ୍ତିର ମାର୍ଗ ଦେଉଛି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାକୁମ୍ଭର ଆୟୋଜନ ହୁଏ । ଯେତେବେଳେ ବୃହସ୍ପତି କୁମ୍ଭ ରାଶିରେ ଥାନ୍ତିସୂର୍ଯ୍ୟ ଏବଂ ଚନ୍ଦ୍ର ମେଷ ଓ ଧନୁ ରାଶିରେ ପ୍ରବେଶ କରନ୍ତି । ସେହି ତିଥିରେ ହିଁ ଏହି ମହା ଆୟୋଜନ ଆରମ୍ଭ ହୁଏ । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ଚନ୍ଦ୍ର, ସୂର୍ଯ୍ୟ ଓ ବୃହସ୍ପତିଙ୍କ ଚଳନ ଆଧାରରେ ମହାସ୍ନାନ ନିଷତ୍ତି ହୁଏ ।ପୌରାଣିକ କଥାବସ୍ତୁ କିମ୍ୱଦନ୍ତୀ ଓ ଲୋକକଥା ଯୋଡ଼ି ହୋଇଛି। ସମୁଦ୍ର ମଂଥନ, ଋଷି ଦୁର୍ବାସାଙ୍କ ଅଭିଶାପରେ ଦେବତା କୂଳ ଦୁର୍ବଳ ହେବା ପରେ ଅସୁରଙ୍କ ଦୌରାତ୍ମ ବଢିବା ଦେଖି ବିଷ୍ଣୁଙ୍କ ପରାମର୍ଶରେ ଯାହା କିଛି ଘଟିଥିଲା ସେ ସବୁ କାହାଣୀ କୁହାଯାଏ । ଏବଂ ବିଶ୍ୱାସ ରହିଛି ସମୁଦ୍ର ମଂଥନ ବେଳେ ଅମୃତ କଳସରୁ କିଛି ବୁନ୍ଦା ହରିଦ୍ୱାର, ଉଜ୍ଜୟିନୀ, ପ୍ରୟାଗରାଜ ଓ ନାସିକରେ ପଡିଥିଲା । ସେଥିପାଇଁ ସେହି ୪ଟି ସ୍ଥାନରେ ମହାକୁମ୍ଭ ମେଳାର ଆୟୋଜନ ହୁଏ । ୧୨ ବର୍ଷକୁ ଥରେ ପ୍ରତି ସ୍ଥାନରେ ପର୍ଯ୍ୟାୟକ୍ରମେ କୁମ୍ଭମେଳା ଆୟୋଜନ ହୁଏ ।

୧୪୪ ବର୍ଷରେ ଥରେ ମହାକୁମ୍ଭ ମେଳା ଆୟୋଜନ ହୁଏ । ପୂର୍ଣ୍ଣ କୁମ୍ଭ ୧୨ ବର୍ଷକୁ ଥରେ ଅନୁଷ୍ଠିତ ହୁଏ । ପ୍ରତି ୬ ବର୍ଷକୁ ଥରେ ଅର୍ଧ କୁମ୍ଭମେଳାର ଆୟୋଜନ କରାଯାଏ ।ଏବଂ ତା ସହ ପ୍ରୟାଗରାଜର ବାର୍ଷିକ ଆୟୋଜନ ହୁଏ ଯାହାକୁ ମାଘ ମେଳା କୁହାଯାଏ ।କୁମ୍ଭରେ ନାଗା ସାଧୁ ବା ନଗ୍ନ ତପସ୍ୱୀଙ୍କ ମହାସମାଗମ ଦେଖିବାକୁ ମିଳେ । ଭକ୍ତି ଭାବରେ ନିମଗ୍ନ ରହନ୍ତି ଏବଂ ତାଙ୍କର ଆଧ୍ୟାତ୍ମିକ ସାଧନାର ଏକ ବଡ ଅଂଶ ହେଉଛି କୁମ୍ଭସ୍ନାନ । ସେଥିପାଇଁ ଲମ୍ୱା ଜଟାଜୂଟ ସାଙ୍ଗକୁ ନଗ୍ନ ନାଗା ସାଧୁସଂଥଙ୍କ ଗହଳିରେ ପରିପୂର୍ଣ୍ଣ ହୁଏ ଅଞ୍ଚଳ । ସେମାନଙ୍କ ବେଶ ଭୂଷା ଓ ଭକ୍ତିଭାବନା କିଛି ବିସ୍ମୟରୁ କମ ନୁହେଁ । ଅସ୍ଥା ଓ ବିଶ୍ୱାସର ସୀମା ସେଠି ଅନ୍ୟ ଏକ ସ୍ତରରେ ପହଞ୍ଚିଥାଏ ।କୁମ୍ଭ ପରେ ଏତେ ମାତ୍ରାରେ ନାଗା ସାଧୁଙ୍କୁ ଦେଖିବାର ସୁଯୋଗ ମିଳେନାହିଁ ।ପ୍ରତି ଥର କିଛି ଅଜବ ବାବାଙ୍କୁ ନେଇ ଚର୍ଚ୍ଚା ହୁଏ । ଏଥର ଅନ୍ୟମାନଙ୍କ ମଧ୍ୟରେ ୩୨ ବର୍ଷ ଧରି ଗାଧେଇ ନଥିବା ଛୋଟୁ ବାବା ଚର୍ଚ୍ଚାରେ ଅଛନ୍ତି। ଯାହାଙ୍କ ଉଚ୍ଚତା ୩ ଫୁଟ ୮ ଇଞ୍ଚ । ଜଣେ ବାବା ୧୦ ବର୍ଷରୁ ଅଧିକ ସମୟ ହେଲା ଗୋଟିଏ ହାତ ତଳକୁ ପକାଇ ନାହାଁନ୍ତି। ଆଉ ଜଣେ ୧ଲକ୍ଷ ୨୫ ହଜାର ରୁଦ୍ରାକ୍ଷ ମାଳା ପିନ୍ଧିଛନ୍ତି। ଜଣେ ବାବା ପରିବେଶ ସୁରକ୍ଷାର ବାର୍ତ୍ତା ଦେବାକୁ ଯାଇ ମୁଣ୍ଡ ଉପରେ ଶସ୍ୟ ଉତ୍ପନ୍ନ କରିଥିବା ଦେଖିବାକୁ ମିଳିଛି । ଏଥର ଜୁନା ଆଖଡ଼ାରୁ ସାଢେ ୩ ବର୍ଷୀୟ ଶ୍ରବଣ ପୁରୀ ନାମକ ବାବା ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଯିଏ କୁମ୍ଭକୁ ଆସିଥିବା ସର୍ବକନିଷ୍ଠ ବାବା ।

ଏହି ସମୟରେ କେବଳ ଧାର୍ମିକ ଦୃଶ୍ୟ ଦେଖିବାକୁ ମିଳେନି ବରଂ କଳା ସଂସ୍କୃତିର ପ୍ରଦର୍ଶନ ହୁଏ ଭଳିକି ଭଳି ପାରମ୍ପରିକ ବେଶଭୂଷା ସହ ସଙ୍ଗୀତ ନୃତ୍ୟ କରନ୍ତି ଶ୍ରଦ୍ଧାଳୁ । ସୁସଜ୍ଜିତ ଥାଟ ପଟୁଆରରେ ଘାଟକୁ ସ୍ନାନ ପାଁ ଯାଆନ୍ତି ବିଭିନ୍ନ ଆଖଡ଼ାର ସଦସ୍ୟ । କୁମ୍ଭରେ ସଂସ୍କୃତିର ମହାକୁମ୍ଭ ଦେଖିବାକୁ ମିଳେ ।୨୦୧୭ରେ କୁମ୍ଭମେଳାକୁ ୟୁନେସ୍କୋର ମାନ୍ୟତା ମିଳିଛି । ଅମୃତ ସାଂସ୍କୃତିକ ଧରୋହର ହିସାବରେ ଚିହ୍ନଟ କରାଯାଇଛି।ଯେଉଁଠି ଏହି ସମାଗମର ସାଂସ୍କୃତିକ, ସାମାଜିକ ଓ ଆଧ୍ୟାତ୍ମିକ ମହତ୍ତ୍ୱକୁ ଗୁରୁତ୍ୱ ଦିଆଯାଇଛି । ଭିନ୍ନ ଭିନ୍ନ ଭାଷା, ସଂସ୍କୃତି, ଅଞ୍ଚଳର ଲୋକ ଏକାଠି ହୁଅନ୍ତି ଯାହା ଏକତାର ପ୍ରତୀକ ହୁଏ । ଏବଂ ବିଦେଶୀଙ୍କ ମଧ୍ୟରେ ମହାକୁମ୍ଭକୁ ନେଇ ଅପୂର୍ବ ଉତ୍କଣ୍ଠା ଦେଖାଯାଏ ।ଯାହା ଭାରତୀୟ ଆଧ୍ୟତ୍ମିକ ସଂସ୍କୃତିକୁ ବିଶ୍ୱର ଗ୍ରହଣୀୟତା କିଭଳି ତାହା ସୂଚାଏ ।ଏବଂ ବିଦେଶୀଙ୍କୁ ଭାରତର ଅନନ୍ୟ ପରମ୍ପରା ସହ ଯୋଡ଼ି ହେବାର ସୁଯୋଗ ଦିଏ ।

 କୁମ୍ଭ ମେଳା ପାଇଁ ଏକ ଅସ୍ଥାୟୀ ସହର ତିଆରି ହୁଏ । କୋଟି କୋଟି ଲୋକଙ୍କ ରହିବା ପାଇଁ ସ୍ଥାନ, ଆଧୁନିକ ସୁବିଧା ସହ ସୁରକ୍ଷା ସ୍ୱଚ୍ଛତା ସ୍ୱାସ୍ଥ୍ୟ ଓ ଯୋଗାଯୋଗର ସମସ୍ତ ବ୍ୟବସ୍ଥା କରାଯାଏ । ଏହି ସମୟରେ ସ୍ଥାନୀୟ ବ୍ୟବସାୟ, ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ହୁଏ ଓ ଲୋକଙ୍କୁ ରୋଜଗାର ମିଳେ ।ଭାରତର ସ୍ୱାଧୀନତା ସଂଗ୍ରାମ ବେଳେ ଦେଶପ୍ରେମର ବାର୍ତ୍ତା ଦେବା ପାଇଁ ସଂଗ୍ରାମୀ ମାନେ କୁମ୍ଭ ମେଳାକୁ ମାଧ୍ୟମ କରିଥିଲେ । ମହାତ୍ମା ଗାନ୍ଧି, ବାଲ ଗଙ୍ଗାଧର ତିଲକ ଭଳି ନେତା ବିଶାଳ ସଭାର ଆୟୋଜନ କରି ସାଧାରଣ ଜନତାଙ୍କୁ ଦେଶ ପାଇଁ ଆଗେଇ ଆସିବାକୁ ଉଦବୁଦ୍ଧ କରିଥିଲେ ।

 ବିଗତ କିଛି ବର୍ଷ ଧରି ପରିବେଶ ଓ ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ଦେଖି ପରିବେଶ ଅନୁକୂଳ କୁମ୍ଭମେଳାର ଆୟୋଜନ କରାଯାଉଛି। ପ୍ଲାଷ୍ଟିକ ମୁକ୍ତ ଏବଂ ପରିବେଶ ସହନଶୀଳ ତୀର୍ଥ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯାଉଛି ।କୁମ୍ଭମେଳାରେ ନମାମୀ ଗଙ୍ଗା ଟିମ ଦ୍ୱାରା ଏକ ଭବ୍ୟ ଯଜ୍ଞର ଆୟୋଜନ କରାଯାଇଥିଲା । ଯେଉଁଥିରେ ୨ଶହରୁ ଅଧିକ ଗଙ୍ଗା ସେବାଦୂତ ସାମିଲ ହୋଇଥିଲେ । ଗଙ୍ଗାର ପବିତ୍ରତା ଓ ପ୍ରବାହର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା ।ନଦୀ ପ୍ରତି ଭାରତୀୟଙ୍କ ଭାବନା ଓ ପ୍ରତିବଦ୍ଧତାର ଏହା ବାର୍ତ୍ତା ଦେଇଥିଲା ।

 ଏଆଇ କ୍ୟାମେରାରୁ ଆରମ୍ଭ କରି ଅଣ୍ଡର ୱାଟର ଡ୍ରୋନ ଯାଏଁ ସବୁ ଟେକ୍ନୋଲୋଜିର ବ୍ୟବହାର ଏଥର କରାଯାଇଛି । କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଉଛି ।ଏ ବିରାଟ କୁମ୍ଭ ମେଳା ବହୁ ସ୍ୱତନ୍ତ୍ରତାର ବଖାଣ କରେ । ଯାହା ଭାରତୀୟଙ୍କ ଆଧ୍ୟତ୍ମିକ ଚେତନାକୁ ଜାଗ୍ରତ କରିବାର ସୁଯୋଗ ଦିଏ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *