ରାଷ୍ଟ୍ରପତି ଭବନରେ ହେବ ବିବାହ ଉତ୍ସବ। ବେଦି ସଜାଯିବ । ସାହାନାଇ ବାଜିବ । ବରକନ୍ୟାଙ୍କ ମଧ୍ୟରେ ବଦଳ ହେବ ମଙ୍ଗଳମାଳା । ଭାରତ ଇତିହାସରେ ଏହା ହେବ ପ୍ରଥମ ଘଟଣା । ଜୀବନସାଥୀ ହେବେ ୨ ସିଆରପିଏଫ ଅଧିକାରୀ । ପୁନମ ଗୁପ୍ତା ଓ ଅଭିନାଶ କୁମାରଙ୍କ ଜୀବନର ଗୁରୁତ୍ୱପୁର୍ଣ୍ଣ ଦିନର ସାକ୍ଷୀ ସାଜିବ ରାଷ୍ଟ୍ରପତି ଭବନ । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିଯୁକ୍ତ ସିଆରପିଏଫ ଅଫିସରଙ୍କ ବାହାଘର ରାଷ୍ଟ୍ରପତି ଭବନରେ ହେବ। ପୁନମ ରାଷ୍ଟ୍ରପତି ଭବନରେ ପିଏସଓ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଜମ୍ମୁ କାଶ୍ମୀରରେ ଆସିଣ୍ଟାଣ୍ଟ କମଣ୍ଡାଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି ଅଭିନାଶ କୁମାର। ଯେତେବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁନମଙ୍କ ବାହାଘର ବିଷୟରେ ଜାଣିବାକୁ ପାଇଲେ ସେତେବେଳେ ନିଜ ଆଡୁ ରାଷ୍ଟ୍ରପତି ଭବନରେ ବାହାଘର କରିବାର ପ୍ରସ୍ତାବ ଦେଇଥିଲେ ମହାମହିମ ।
ଆସନ୍ତା ୧୨ ଫେବୃଆରୀରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ଭବନର ମଦର ଟେରେସା କ୍ରାଉନ କମ୍ଲେକ୍ସରେ ଏହି ବାହାଘରର ଆୟୋଜନ କରାଯାଇଛି । ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ବାହାଘରରେ ପୁନମ ଓ ଅଭିନାଶଙ୍କର ପରିବାର, ବନ୍ଧୁବାନ୍ଧବଙ୍କ ସହ ଅଳ୍ପ କିଛି ମନୋନିତ ଅତିଥି ମଧ୍ୟ ଆସିବେ । ଯେହେତୁ ରାଷ୍ଟ୍ରପତି ଭବନ ମଧ୍ୟରେ ଏ ବ୍ୟବସ୍ଥା ହେଉଛି ତେଣୁ ସମସ୍ତ ନିମନ୍ତ୍ରିତ ଅତିଥିଙ୍କ ତାଲିକା ଚୂଡ଼ାନ୍ତ କରାଯାଇଛି । ଏହି ବାହାଘରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ସାମିଲ ହେବେ । ଅନେକଙ୍କ ମନରେ ଏପ୍ରଶ୍ନ ଉଠିଛି ଯେ ଏ ସୌଭାଗ୍ୟ ପୁନମଙ୍କୁ କାହିଁକି ମିଳିଲା । କୁହାଯାଉଛି ପୁନମଙ୍କର କର୍ତ୍ତବ୍ୟ ନିଷ୍ଠା ଓ ସୁମଧୁର ବ୍ୟବହାର ରାଷ୍ଟ୍ରପତିଙ୍କୁ ବେଶ ପ୍ରଭାବିତ କରିଥିବାରୁ ଏଭଳି ଏକ ପ୍ରସ୍ତାବରେ ହଁ ଭରି ତାଙ୍କୁ ସୁଯୋଗ ଦିଆଯାଇଛି ।
ପୁନମ ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାର ବାସିନ୍ଦା । ତାଙ୍କ ବାପା ଶିବପୁରୀ ନବୋଦୟ ବିଦ୍ୟାଳୟରେ କାମ କରନ୍ତି । ପୁନମ ଗଣିତ ଅନର୍ସ ସହ ସ୍ନାତକ ପାସ କରିଥିବା ବେଳେ ପରେ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର କରିଛନ୍ତି । ୨୦୧୮ରେ ୟୁପିଏସସି ଦ୍ୱାରା ହେଉଥିବା ସିଆରପିଏଫ ପରୀକ୍ଷାରେ ପୁରା ଦେଶରେ ୮୧ତମ ସ୍ଥାନ ହାସଲ କରି ଆସିଷ୍ଟାଣ୍ଟ କମାଣ୍ଡଣ୍ଟ ଭାବେ ଯୋଗ ଦେଇଥିଲେ । ୨୦୨୪ରେ ୭୪ତମ ସାଧାରଣତନ୍ତ୍ର ଦିବସରେ ସେ ସିଆରପିଏଫ ମହିଳା କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିଲେ । ସେଥିରେ ଦାୟିତ୍ୱ ପ୍ରତି ତାଙ୍କର ପ୍ରତିବଦ୍ଧତା ବାରି ହୋଇ ପଡ଼ିଥିଲା । ରାଷ୍ଟ୍ରପତି ଭବନରେ ତାଙ୍କର ନିଯୁକ୍ତି ପୂର୍ବରୁ ସେ ବିହାରର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଅତ୍ୟନ୍ତ ଆହ୍ୱାନଭରା କାମ କରିଥିଲେ । ସେ ଦେଶର ଅନ୍ୟ ଝିଅଙ୍କ ପାଇଁ ପ୍ରେରଣା ହୋଇ ପାରିଛନ୍ତି ।
ରାଷ୍ଟ୍ରପତି ଭବନ ରାଷ୍ଟ୍ରୀୟ ଗୌରବର ପ୍ରତୀକ । ଦେଶର ପ୍ରଥମ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଭବନ । ୩ଶହ ଏକରର ବିଶାଳ ଅଞ୍ଚଳରେ ଛିଡା ହୋଇଛି ରାଷ୍ଟ୍ରପତି ଭବନ । ସାର ଏଡୱିନ ଲୁଟିୟନ୍ସଙ୍କ ଦ୍ୱାରା ନିର୍ମିତ ଏହି ଭବନ ବିଶ୍ୱର ସବୁଠାରୁ ବଡ ରାଷ୍ଟ୍ରମୁଖ୍ୟଙ୍କ ବାସଭବନ । ଯେଉଁଥିରେ ୩୪୦ ରୁମ,ବଡ ବଡ ହଲ,ଉଦ୍ୟାନ ଅଛି । ଯାହା ଦେଶ ଦୁନିଆର ବହୁ ମାନ୍ୟଗଣ୍ୟଙ୍କୁ ଆତିଥେୟତା ଦେଇଆସିଛି । ସେଠି ପୁନମ-ଅଭିନାଶଙ୍କ ବିବାହ ଭଳି ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ହେଉଛି କିନ୍ତୁ ତା ପଛର ମହତ୍ତ୍ୱପୁର୍ଣ୍ଣ ଓ ପ୍ରଭାବୀ ବାର୍ତ୍ତା ଦେଶବାସୀଙ୍କୁ ଉତ୍ସାହିତ କରିଛି । ଏବଂ ତାହା ରାଷ୍ଟ୍ରୀୟ ମହତ୍ତ୍ୱ ସହ ଯୋଡ଼ି ହୋଇ ଯାଇଛି ।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now