ଆତଙ୍କବାଦକୁ ନେଇ ପାକିସ୍ତାନ ବିରୁଦ୍ଧରେ ବିଶ୍ୱକୁ ବାର୍ତ୍ତା ପହଞ୍ଚାଇବାକୁ ପଣ କରିଥିବା ଭାରତ ଆଗେଇ ଚାଲିଛି। ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟସହନଶୀଳତା ନୀତି ଆପଣାଇବା ସହ ଆତଙ୍କବାଦକୁ ପ୍ରୋତ୍ସାହନ ଓ ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ପାକିସ୍ତାନର ମୁଖା ଖୋଲିବାକୁ ସର୍ବଦଳୀୟ ପ୍ରତିନିଧି ଦଳ ଭାରତର ଆଭିମୁଖ୍ୟକୁ ଥୋଉଛି ଦୁନିଆ ଆଗରେ। ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦ ବିରୁଦ୍ଧରେ ଭାରତର ସଂକଳ୍ପକୁ ଦର୍ଶାଇବାରେ ଲାଗିଛନ୍ତି ସର୍ବଦଳୀୟ ପ୍ରତିନିଧି ଦଳ। ଋଷରୁ ନେଇ ୟୁଏଇ, ଜାପାନ, ଗ୍ରୀସ, ସ୍ପେନ ଯାଏଁ। ପହଲଗାଁଓ ଆତଙ୍କି ଆକ୍ରମଣର ପ୍ରତିଶୋଧ ପାକିସ୍ତାନଠୁ ନେବା କେତେଦୂର ଯୁକ୍ତିଯୁକ୍ତ ଥିଲା, ଭାରତ ତାକୁ ଦର୍ଶାଉଛି। ନୂଆ ଭାରତର ଆଭିମୁଖ୍ୟକୁ ନେଇ ଦୁନିଆକୁ ସନ୍ଦେଶ ଦେଇଛି ପ୍ରତିନିଧି ଦଳ। ନୂଆ ଭାରତରେ ଗୋଟିଏ ଭାଷା, ଗୋଟିଏ ସ୍ୱର ଓ ଗୋଟିଏ ଭାବନା। ରକ୍ତ ଓ ପାଣି ଏକାସାଙ୍ଗରେ ବୋହିପାରିବନି ବୋଲି ମୋଦିଙ୍କ ବାର୍ତ୍ତାକୁ ଦର୍ଶାଇଛନ୍ତି ଶ୍ରୀକାନ୍ତ ସିନ୍ଦେ, ସସ୍ମିତ ପାତ୍ର, ସୁରେନ୍ଦ୍ରଜିତ ସିଂ ଆହ୍ଲୁଓ୍ଲାଲିଆ ପ୍ରମୁଖ।ସେପଟେ ଆତଙ୍କବାଦର ଭାଷା ପାକିସ୍ତାନ ସେନା ମୁହଁରୁ ଶୁଣିବାକୁ ମିଳିଛି। ସେନାର ମୁଖପାତ୍ର ଅହମ୍ମଦ ସରିଫ୍ ଚୌଧୁରୀ ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତକୁ ଧମକ ଦେଇଛନ୍ତି। ଚୌଧୁରୀ ଯାହା କହିଛନ୍ତି, ଯାହାକୁ କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସଇଦ୍ ଆଗରୁ କହୁଥିଲେ। ଭାରତ ଯଦି ପାଣି ରୋକିବ, ତା ହେଲେ ଆମେ ତୁମର ନିଃଶ୍ୱାସ ବନ୍ଦ କରିଦେବୁ ବୋଲି କହିଛନ୍ତି ଅହମ୍ମଦ ସରିଫ୍। ଭାରତ ବିରୁଦ୍ଧରେ ଘୃଣା ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନୀ ସେନାର ପ୍ରବକ୍ତା ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଯେଉଁ ଭାଷା ପ୍ରୟୋଗ କରିଛନ୍ତି, ତାକୁ ବହୁ ପୂର୍ବରୁ କହିଥିଲେ ହାଫିଜ ସଇଦ୍। ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଓ ଭାରତର ମୋଷ୍ଟ ଓ୍ୱାଣ୍ଟେଡ୍ ହାଫିଜ୍ ସଇଦ୍ ସମାନ ଭାଷାରେ ଭାରତକୁ ଧମକ ଦେଇଥିଲେ। ୨୦୦୮ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଲସ୍କର-ଏ-ତୋଏବାର ମୁଖ୍ୟ ହାଫିଜ୍ ସଇଦ୍ ଭାରତ ବିରୁଦ୍ଧରେ ଉତ୍ତେଜନାମୂଳକ ଭାଷଣ ଦେବାର ଇତିହାସ ରହିଛି। ଭାରତର କଡ଼ା ପ୍ରହାରରେ ଭୟଭୀତ ପାକିସ୍ତାନର ନେତା ବି ମାନିଲେଣି, ପାକିସ୍ତାନର ଅଧିକ କ୍ଷତି ହୋଇଗଲା। ଆଉ କେହି ନୁହେଁ। ଖୋଦ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଝିଅ ମରିୟମ। ପାକିସ୍ତାନ ମୁସଲିମ ଲିଗ୍ ନେତା ତଥା ପିଓକେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ଲାହୋରରେ ଏକ ରାଲିକୁ ସମ୍ୱୋଧିତ ବେଳେ କହିଛନ୍ତି, ଭାରତ ଯେତିକି କ୍ଷତି କରିନି। ତାଠୁ ଅଧିକ କ୍ଷତି କରିଛି ପାକିସ୍ତାନ ତହରିଫ-ଏ-ଇନସାଫ୍ ପାର୍ଟି। ପିଟିଆଇର କର୍ମକର୍ତ୍ତା ଦେଶରେ ହିଂସାକୁ ଉସୁକାଇ ଅସ୍ଥିରତା ସୃଷ୍ଟି କଲେ। ଯେଉଁ କ୍ଷତି ଭାରତ କରିପାରିନଥିଲା, ଇମ୍ରାନ ଖାନଙ୍କ ତୃଟିପୂର୍ଣ୍ଣ ନୀତି ଓ ଷଡ଼ଯନ୍ତ୍ର ପାକିସ୍ତାନକୁ ଦୁର୍ବଳ କରିବା ସହ ନିଜର ଅଧିକ କ୍ଷତି କରିଦେଲା। ଭାରତର କଡ଼ା ଜବାବରେ ଦୋହଲିଯାଇଛି ପାକିସ୍ତାନ। ଭାରତକୁ ଅନୁକରଣ କରି ପାକିସ୍ତାନ ବି ସର୍ବଦଳୀୟ ଟିମ୍ ପଠାଇ ସମର୍ଥନ ଲୋଡ଼ିବାକୁ ପ୍ରୟାସ ଆରମ୍ଭ କରିଛି। କିନ୍ତୁ ଆତଙ୍କବାଦକୁ ପୋଷୁଥିବା ପାକିସ୍ତାନର ଅସଲ ଚେହେରା ଉଣା ଅଧିକେ ସମସ୍ତଙ୍କୁ ଜଣା।

Naxatra News is now on Whatsapp
Join and get latest news update delivered to you via whatsapp
Join Now