ଭାରତ-ପାକିସ୍ତାନ ସଂଘର୍ଷ ଆଳରେ ପାକିସ୍ତାନର ନୂଆ ନାଟକ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରଷ୍କାର ଲାଗି ନୋମିନେଟ୍ କରିଛି ପାକିସ୍ତାନ। ସେପଟେ ନିଜକୁ ଶାନ୍ତି ଦୂତ କହିଛନ୍ତି ଟ୍ରମ୍ପ। ଆତଙ୍କବାଦୀଙ୍କ ପୃଷ୍ଠପୋଷକ ସାଜିଥିବା ପାକିସ୍ତାନ ନୂଆ କୂଟନୀତି ଆପଣାଇଛି। ଟ୍ରମ୍ପଙ୍କୁ ସମ୍ମାନ ଦେବା ପଛରେ ପାକିସ୍ତାନର ଏଭଳି ଭୂମିକାକୁ ନେଇ ସବୁଠି ଚର୍ଚ୍ଚା। ନିଜକୁ ଶାନ୍ତିର ପ୍ରତୀକ ଦର୍ଶାଇବାକୁ ଚେଷ୍ଟା କରୁଛି ପାକିସ୍ତାନ। ପହଲଗାଁଓ ଆତଙ୍କି ଆକ୍ରମଣ ପରେ ଭାରତର ଅପରେସନ ସିନ୍ଦୂରରେ ପାକିସ୍ତାନ ଥରହର ହୋଇପଡ଼ିଥିଲା। ୪ ଦିନ ଯାଏ ସୀମାରେ ଭାରି ମାତ୍ରାରେ ଗୁଳିବାରି ହୋଇଥିଲା। କିନ୍ତୁ ମେ ୧୦ରେ ସଂଘର୍ଷ ବିରତିର କଥା ପାକିସ୍ତାନ ପକ୍ଷରୁ ଅନୁରୋଧ ପରେ ଭାରତ ଯୁଦ୍ଧ ବନ୍ଦ କରିଥିଲା। ଏହି ଯୁଦ୍ଧ ଟ୍ରମ୍ପ ବନ୍ଦ କରିବା ନେଇ ଦାବି କରିଥିଲେ। ଆଉ ଟ୍ରମ୍ପଙ୍କ ଡିପ୍ଲୋମାସିର ମିଛ ଆଳ ନେଇ ନୋବେଲ ଶାନ୍ତି ପୁରଷ୍କାର ଲାଗି ନୋମିନେଟ୍ କରିଛି ପାକିସ୍ତାନ। ତେବେ ନୋମିନେସନର ଡ୍ରାମା ସବୁଠୁ ମଜାଦାର ସାଜିଥିଲା, ଯେତେବେଳେ ପାକିସ୍ତାନର ଆର୍ମି ମୁଖ୍ୟ ଆସିମ ମୁନିରଙ୍କୁ ଟ୍ରମ୍ପ ମଧ୍ୟାହ୍ନ ଭୋଜନ କରିବାକୁ ଡାକିଥିଲେ। ପାକିସ୍ତାନ ଏହାକୁ କୂଟନୈତିକ ବିଜୟ ବୋଲି ବାହାଦୁରି ମାରିବାରେ ଲାଗିଛି। ପାକିସ୍ତାନ ସରକାର ବି ଟ୍ୱିଟ୍ କରି କହିଛି, ଭାରତ ପାକିସ୍ତାନ ଉପରେ କେମିତି ଅକାରଣରେ ଓ ଅବୈଧ ଆକ୍ରମଣ କଲା, ତାହା ଅନ୍ତଃରାଷ୍ଟ୍ରୀୟ ସମୁଦାୟ ଦେଖିଲା। ଅପରେସନ ସିନ୍ଦୂର ନାଁରେ ନିର୍ଦୋଷ ଲୋକଙ୍କୁ ଭାରତ ମାରିଥିଲା। ଆଉ ଏତିକିବେଳେ ଟ୍ରମ୍ପଙ୍କ କୂଟନୈତିକ ଭୂମିକାକୁ ବି ବେଶ୍ ପ୍ରଶଂସା କରିଛି ପାକିସ୍ତାନ। ଟ୍ରମ୍ପଙ୍କ ମଧ୍ୟସ୍ଥତାରୁ ବିଗୁଡ଼ିଥିବା ସ୍ଥିତି ସମ୍ଭାଳିଗଲା। ଆଉ ସଂଘର୍ଷବିରତି ସମ୍ଭବ ହୋଇପାରିଲା। ଏଥିଲାଗି ବଡ଼ ଧରଣର ସଂଘର୍ଷ ରୋକିଥିଲା ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରିଲା। ସେପଟେ ଟ୍ରମ୍ପ କହିଛନ୍ତି, ସେ ଯେତେ ଯାହା କରିଲେ ବି ସେ ନୋବେଲ ପାଇବେନି। ଏତେ ଯୁଦ୍ଧ ରୋକିଛନ୍ତି, ଶାନ୍ତି ପ୍ରତିଷ୍ଠା ସତ୍ତ୍ୱେ ସେ ପାଇବେନି। ୪ରୁ ୫ଥର ପାଇବାକୁ ସେ ହକଦାର ଥିଲେ। ଦଶନ୍ଧି ଧରି କାଙ୍ଗୋ ଓ ରୁଓ୍ୱାଣ୍ଡା ଗଣରାଜ୍ୟ ଭିତରେ ବୁଝାମଣା କରିଛନ୍ତି। ଭାରତ-ପାକିସ୍ତାନ ଯୁଦ୍ଧ ରୋକିଥିଲେ ସୁଦ୍ଧା ତାଙ୍କୁ ପୁରଷ୍କାର ମିଳିବନି। ସର୍ଭିଆ ଓ କୋସୋବୋ ଭିତରେ ଯୁଦ୍ଧ, ଇଜିପ୍ଟ ଓ ଇଥିୟୋପିଆ ଭିତରେ ଶାନ୍ତି ପ୍ରତିଷ୍ଠା କରିଥିଲେ। ଋଷ-ୟୁକ୍ରେନ, ଇସ୍ରାଏଲ-ଇରାନ ଯୁଦ୍ଧର ଯାହା ବି ପରିଣାମ ହେଉ। କିନ୍ତୁ ତାଙ୍କ ଭୂମିକା ସମସ୍ତେ ଜାଣନ୍ତି ଓ ଏହା ହିଁ ତାଙ୍କ ଲାଗି ବଡ଼ ସମ୍ମାନ ଅଟେ। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶତୃ ରାଷ୍ଟ୍ରକୁ ଚେତାଇ ଦେଇଛନ୍ତି, ଅପରେସନ ସିନ୍ଦୂର ଏବେ ସରିନି। କେବଳ ସ୍ଥଗିତ ରହିଛି। ଭାରତ ଆତଙ୍କବାଦକୁ ବରଦାସ୍ତ କରିବନି। ଯଦି ଭାରତର ଏକତା ଓ ଅଖଣ୍ଡତାକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ ହୁଏ, ତେବେ ମୁହଁତୋଡ଼ ଜବାବ ଦିଆଯିବ। ଭାରତ-ପାକିସ୍ତାନ ଯୁଦ୍ଧ ବିରତିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ହୋଇନଥିଲା ବୋଲି ବାରମ୍ୱାର ଦୋହରାଇଚାଲିଛି ଭାରତ। ୨୫ରୁ ୨୭ ହେବାକୁ ଥିବା ଏସସିଓ ବୈଠକରେ ସାମିଲ୍ ହେବେ ରାଜନାଥ। ଭାରତ, ଚୀନ, ଋଷ, ପାକିସ୍ତାନ, ଇରାନ, ବେଲାରୁସ, କାଜାକିସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ସହ ୧୦ଟି ଦେଶର ରକ୍ଷାମନ୍ତ୍ରୀ ଏଥିରେ ସାମିଲ୍ ହେବେ। ଏହି ବୈଠକରେ କ୍ଷେତ୍ରୀୟ ସୁରକ୍ଷା ସହଯୋଗ, ଆତଙ୍କବାଦ ବିରୋଧୀ ରଣନୀତି ଓ କନେକ୍ଟିଭିଟି ଭଳି ମୁଦ୍ଦା ଉପରେ ଚର୍ଚ୍ଚା ହେବ। ୨୦୨୦ରେ ଗଲଓ୍ୱାନ ସଂଘର୍ଷ ପରେ ଚୀନକୁ ପ୍ରତିରକ୍ଷାମନ୍ତ୍ରୀଙ୍କ ଏହା ହେବ ପ୍ରଥମ ଗସ୍ତ। ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରଷ୍କାର ଲାଗି ପାକିସ୍ତାନର ସୁପାରିଶ ପଛରେ ରହସ୍ୟକୁ ନେଇ ରାଜନୀତି ତେଜ୍ ହୋଇଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now