ୟୁକ୍ରେନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ୟୁକ୍ରେନର ଓଡେସା ବନ୍ଦରରୁ ଖାଦ୍ୟ ଶସ୍ୟ ବୋଝେଇ ଏକ ଜାହାଜ ସୋମବାର ବାହାରିଛି। ଆସନ୍ତା କାଲି ଏହି ଜାହାଜ ଇସ୍ତାନବୁଲ ବନ୍ଦରରେ ପହଞ୍ଚିବ ବୋଲି ତୁର୍କୀ ସାମରିକ ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ମନ୍ତ୍ରୀ ସୂଚନା ଦେଇଥିଲେ କି, ଓଡେସା ବନ୍ଦରରୁ ସୋମବାର ସକାଳ ୮.୩୦ରେ ପ୍ରଥମ ଶସ୍ୟ କାର୍ଗୋ ସିପ ବାହାରିବ।
ସ୍ପଟନିକ ନ୍ୟୁଜ ଏଜେନ୍ସି ସୂଚନା ଅନୁଯାୟୀ, ତୁର୍କୀ ରାଷ୍ଟ୍ରପତିଙ୍କ ମୁଖପାତ୍ର ଇବ୍ରାହିମ କାଲିନ ଏହା ଉପରେ ରବିବାର ସୂଚନା ଦେଇ କହିଥିଲେ କି, ଆସନ୍ତା କାଲି ସକାଳେ ପ୍ରଥମ ଶସ୍ୟ ଜାହାଜ ୟୁକ୍ରେନରୁ ବାହାରିବ। ସେହିପରି ତୁର୍କୀ ରାଷ୍ଟ୍ରପତି ରେସେପ ଟାୟିପ ଏର୍ଡୋଗାନ ମଧ୍ୟ କହିଥିଲେ କି, ଆସନ୍ତା ଦିନରେ ବ୍ଲାକ ସି ଦେଇ ଶସ୍ୟ ରପ୍ତାନୀ ଆରମ୍ଭ ହେବାକୁ ଯାଉଛି।
ଋଷ-ୟୁକ୍ରେନ ଯୁଦ୍ଧ ପରେ ୟୁକ୍ରେନର ଓଡେସା ବନ୍ଦର ବନ୍ଦ ହୋଇପଡିଥିଲା। ଏହାକୁ ନେଇ ବିଶ୍ବବ୍ୟାପୀ ଖାଦ୍ୟ ସଂକଟ ଦେଖାଦେଇଛି। ତେଣୁ ସମୁଦ୍ର ପଥ ଦେଇ ଶସ୍ୟ ପରିବହନକୁ ଆଗାମୀ ଦିନରେ ଗୁରୁତ୍ବ ଦିଆଯାଇ ଖାଦ୍ୟ ସଂକଟ ଦୂର କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ତାସ ନ୍ୟୁଜ ଏଜେନ୍ସି ପକ୍ଷରୁ ଏର୍ଡୋଗାନଙ୍କ ବୟାନ ଉପରେ ଖବର ପ୍ରକାଶ ପାଇଥିଲା।
ଏର୍ଡୋଗନ ଆହୁରି କହିଥିଲେ କି, ତୁର୍କୀ କୂଟନୀତି ଆଧାରରେ ୟୁକ୍ରେନ ସଂକଟ ଦୂର କରିବା ପାଇଁ କାର୍ଯ୍ୟ କରୁଛି। ଯେପର୍ଯ୍ୟନ୍ତ ୟୁକ୍ରେନ ଓ ଋଷ ମଧ୍ୟରେ ଶାନ୍ତି ସ୍ଥାପନ ହୋଇ ନାହିଁ, ଆମର ପ୍ରୟାସ ଜାରି ରହିବ। ଆମର ବିଶ୍ବାସ ଆଗାମୀ ଦିନରେ ସମସ୍ତ ସ୍ତରରୁ ଆଲୋଚନା ମାଧ୍ୟମରେ ସୁସମ୍ବାଦ ଆସିବ ବୋଲି ଏର୍ଡୋଗନ ଆଶାବ୍ୟକ୍ତ କରିଥିଲେ।
ଏହାରି ମଧ୍ୟରେ ବିଶ୍ବ ସଂସ୍ଥାନ ୟୁରୋପିଆନ ୟୁନିଅନରେ ନିଜ ଭାଗିଦାରିତାରେ ସ୍ଥିର ରହିବା ସହ ପ୍ରକ୍ରିୟାକୁ ଆଗେଇ ନେବ ବୋଲି ୟୁରୋପୀୟ ଡ୍ରେଡ ଅଫିସରମାନେ ମତବ୍ୟକ୍ତ କରିଛନ୍ତି। ୟୁକ୍ରେନରୁ ଖାଦ୍ୟ ଶସ୍ୟ ରପ୍ତାନୀରେ ଦେଖାଦେଉଥିବା ସମସ୍ୟାକୁ ଉଭୟ ଋଷ ଓ ଆମେରିକା ବୁଝିବା ଆବଶ୍ୟକ ବୋଲି ଋଷ ଓ ତୁର୍କୀ ସାମରିକ ମନ୍ତ୍ରୀଙ୍କ ବୈଠକରେ ମତପ୍ରକାଶ ପାଇଛି। ଏହା ପରେ ତୁର୍କୀ ପ୍ରତିରକ୍ଷା ମନ୍ତ୍ରୀ ଓ ୟୁକ୍ରେନ ମନ୍ତ୍ରୀଙ୍କ ମଧ୍ୟରେ ଇସ୍ତାନବୁଲରେ ଏକ ବୈଠକରେ ୟୁକ୍ରେନରୁ ଖାଦ୍ୟ ଶସ୍ୟ ରପ୍ତାନୀ ପୁଣି ଆରମ୍ଭ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା ଓ ଋଷ ତାର ଖାଦ୍ୟ, ସାର ରପ୍ତାନୀକୁ ଦ୍ରୁତ କରିବାକୁ ଆଲୋଚନା ହୋଇଥିବା ୱାସିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଥିଲା।
ଫଳରେ ଯୁଦ୍ଧ ପାଇଁ ବ୍ଲାକ ସିରେ ଅଟକି ରହିଥିବା ୟୁକ୍ରେନର ୩୩ ମିଲିୟନ ଟନ ଖାଦ୍ୟ ଶସ୍ୟ ଓ ଅନ୍ୟାନ୍ୟ ଚାଷ ଉତ୍ପାଦକୁ ଗତିଶୀଳ କରାଯିବ। ଏହାକୁ ସ୍ଥାୟୀ ତଥା ଫଳପ୍ରଦ କରିବାକୁ ଇସ୍ତାନବୁଲରେ ଏକ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରିବାକୁ ସ୍ଥିର କରାଯାଇଛି। ଏଥିରେ ୟୁଏନ, ତୁର୍କୀ, ଋଷ ଓ ୟୁକ୍ରେନ ଅଧିକାରୀ ନିୟୋଜିତ ରହିବେ।
ଏଠାରେ ଉଲ୍ଲେଖଯୋଗ୍ୟ କି, ୟୁକ୍ରେନକୁ ବ୍ରେଡ ବାସ୍କେଟ କୁହାଯାଇଥାଏ। କାରଣ ବିଶ୍ବରେ ଉତ୍ପାଦିତ ହେଉଥିବା ମୋଟ ଗହମର ୧୦ ପ୍ରତିଶତ ଗହମ ୟୁକ୍ରେନରୁ ମିଳୁଥିବା ବେଳେ ୧୨-୧୭ ପ୍ରତିଶତ ମକା, ୫୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ୟୁକ୍ରେନ ଯୋଗାଇଦେଇଥାଏ। ଏହା ବ୍ୟତୀତ ୟୁକ୍ରେନ ୨୫ ମିଲିୟନ ଟନ ମକା ଓ ଗହମ ବିଶ୍ବର ସମସ୍ତ ବିକଶିତ ରାଷ୍ଟ୍ରକୁ ଯୋଗାଇଥାଏ।
କିନ୍ତୁ ଫେବୃଆରୀ ମାସରୁ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଜାରି ଯୁଦ୍ଧ ପାଇଁ ୟୁକ୍ରେନରୁ ଖାଦ୍ୟ ଶସ୍ୟ ରପ୍ତାନୀ ଠପ ହୋଇପଡିଛି। ଫଳରେ ବିଶ୍ବର ୪୭ ପ୍ରତିଶତ ଲୋକ ମାନବୀୟ ବିପର୍ଯ୍ୟୟ ମଧ୍ୟରେ ଦିନ କାଟୁଛନ୍ତି ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now