ଦିପାବଳୀ ପୂର୍ବରୁ ଚାଷୀଙ୍କୁ ଭେଟି ଦେଲେ ପ୍ରଧାନମନ୍ତ୍ରୀ। ଦେଶର ଶହେ ଜିଲ୍ଲାର ଚାଷୀଙ୍କୁ ୧୧ଟି ମନ୍ତ୍ରଣାଳୟ ପକ୍ଷରୁ ୩୬ଟି ଯୋଜନାର ଲାଭ ମିଳିବ। ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନରେ ମୋଦି ପ୍ରାୟ ୪୨ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୨୪ହଜାର କୋଟି ଟଙ୍କାର ପିଏମ ଧନଧାନ୍ୟ କୃଷି ଯୋଜନା ଓ ୧୧ହଜାର ୪୪୦କୋଟିର ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ ହୋଇଛି। ଶହେଟି ଆକାଙ୍କ୍ଷା ଜିଲ୍ଲାର କେବଳ ଚାଷୀଙ୍କ ଆୟ ବଢ଼ିବନି। ବରଂ କୃଷି ଉତ୍ପାଦନ ବି ବଢ଼ିବ। ଭାରତରତ୍ନ ଶ୍ରୀ ଜୟପ୍ରକାଶ ନାରାୟଣ ଓ ଶ୍ରୀ ନାନୋଜି ଦେଶମୁଖଙ୍କ ଜୟନ୍ତୀରେ ଏହି ଦୁଇ ଯୋଜନାର ଶୁଭାରମ୍ଭ କରିଛନ୍ତି ମୋଦି। ଏମାନେ ଚାଷୀ, ଚାଷ ଓ ଗରିବଙ୍କ ବିକାଶ ଲାଗି ସମର୍ପିତ ଥିଲେ। ବିଜରୁ ନେଇ ବଜାର ଯାଏଁ, ସଂସ୍କାର ଓ ସୁଧାର ଅଣାଯାଇଛି ବୋଲି କହିଛନ୍ତି ମୋଦି। ଚାଷୀଙ୍କୁ ସଶକ୍ତ କରିବା ଓ କୃଷି କ୍ଷେତ୍ରରେ ଅଧିକ ନିବେଶ ହିଁ ସରକାରଙ୍କ ଲକ୍ଷ୍ୟ। କଂଗ୍ରେସ ସରକାର ନିଜର ୧୦ ବର୍ଷ ଶାସନରେ ଚାଷୀଙ୍କ ଲାଗି ଯେତିକି ସବସିଡି ବା ଚାଷରେ ଯେତିକି ଖର୍ଚ୍ଚ କରୁଥିଲେ। ତା ତୁଳନାରେ ଏନଡିଏ ସରକାର ବହୁ ଆଗରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମାଟି ଓ ଜଳବାୟୁ ଅନୁକୂଳତା ଦେଖି ସେହି ଅନୁସାରେ ଚାଷ କରନ୍ତୁ ବୋଲି ଅପିଲ୍ କରିଛନ୍ତି ମୋଦି। ସେପଟେ ଓଡ଼ିଶାର ୪ ଟି ଆକାଙ୍କ୍ଷୀ ଜିଲ୍ଲା କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ଼ ଓ ନୂଆପଡ଼ାରେ ପିଏମ ଧନ-ଧାନ୍ୟ କୃଷି ଯୋଜନା କାର୍ଯ୍ୟକାରୀ ଆରମ୍ଭ ହୋଇଛି। ଏହି ଯୋଜନାରେ ଚାଷୀ କେବଳ ଧାନ ଉପରେ ନିର୍ଭର ନ ହୋଇ ଡାଲି, ତୈଳବୀଜ ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଚାଷ କରି ଲାଭବାନ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନରେ ଧନଧାନ୍ୟ କୃଷି ଯୋଜନାରେ ସାମିଲ୍ ହୋଇ ଏହି ଯୋଜନା କୃଷିକ୍ଷେତ୍ରରେ ଚାଷୀଙ୍କୁ ଆତ୍ମନିର୍ଭର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ବି ଭାରତ ଡାଲି ଓ ଖାଇବା ତେଲ ପାଇଁ ବିଦେଶ ଉପରେ ନିର୍ଭରଶୀଳ। ଆମକୁ ଏହି ନିର୍ଭରଶୀଳତା କମାଇବାକୁ ପଡ଼ିବ। ଏହି ଦୁଇଟି ମିଶନର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି କହିଛନ୍ତି ମୋହନ। ଏହି ଅବସରରେ ସମ୍ୱଲପୁର ବସନ୍ତପୁରରେ ଶହେ କୋଟି ଟଙ୍କା ବିନିଯୋଗରେ ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ଓ ଭୁବନେଶ୍ୱର ପାଣ୍ଡରାରେ ୬୦ କୋଟି ଟଙ୍କାରେ ଅତ୍ୟାଧୁନିକ ମାଛ ମାର୍କେଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆତ୍ମନିର୍ଭରତା, ଚାଷୀଙ୍କ କଲ୍ୟାଣ ପାଇଁ ଶୁଭାରମ୍ଭ ହୋଇଥିବା ଏହି ଦୁଇ ଯୋଜନାର ବାସ୍ତବରେ ଗ୍ରାଉଣ୍ଡରେ କାର୍ଯ୍ୟକାରିତା ଉପରେ ନିର୍ଭର କରୁଛି ଚାଷୀଙ୍କ ଆୟ ଓ ସମୃଦ୍ଧି। ୩୫ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର।
Naxatra News is now on Whatsapp
Join and get latest news update delivered to you via whatsapp
Join Now