ବ୍ରିକ୍ସ ସମ୍ମିଳନୀ- ଟେରର୍ ଓ ଟ୍ରେଡ୍ ଟେନସନ

ବ୍ରିକ୍ସ ସମ୍ମିଳନୀରେ ପହଲଗାଁଓ ଆତଙ୍କବାଦ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ବି ବ୍ରିକ୍ସ ମଞ୍ଚରୁ ପାକିସ୍ତାନକୁ ଆଇନା ଦେଖାଇଛନ୍ତି। ଆତଙ୍କବାଦ ଉପରେ ଦୋହରା ମାପଦଣ୍ଡ ଓ ଚରିତ୍ରକୁ ବରାଦାସ୍ତ କରାଯିବନି ବୋଲି ସଫା ସଫା ଶୁଣାଇଦେଇଛନ୍ତି ମୋଦି। ବ୍ରିକ୍ସରେ ଗ୍ଲୋବାଲ ଗଭର୍ଣ୍ଣାନ୍ସରେ ଶାନ୍ତି, ସୁରକ୍ଷା ଓ ସଂସ୍କାରକୁ ନେଇ ଭାରତର ଭାଇଚାରା ଓ ପ୍ରତିବଦ୍ଧତାକୁ ଦର୍ଶାଇବା ସହ ପଡ଼ୋଶୀ ରାଷ୍ଟ୍ରର ଆତଙ୍କବାଦକୁ ପ୍ରଶ୍ରୟ ଦେବା ନେଇ ମୁହଁତୋଡ଼ ଜବାବ ଦେଇଛନ୍ତି। ଯଦି କୌଣସି ଦେଶ ଆତଙ୍କବାଦକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସମର୍ଥନ କରୁଥାଏ ବା ମୌନ ସହମତି ଦେଉଥାଏ, ତାହେଲେ ତାକୁ ତାହାର ପରିଣତି ଭୋଗିବାକୁ ପଡ଼ିବ। ଆତଙ୍କବାଦ ଉପରେ ପ୍ରତିବନ୍ଧକ ଲଗାଇବାକୁ କେହି ପଛଘୁଞ୍ଚା ଦେବା ଉଚିତ ନୁହେଁ। ବ୍ରାଜିଲ ରାଜଧାନୀ ରିୟୋ ଡି ଜେନେରିଓରେ ୧୭ତମ ବ୍ରିକ୍ସ ସମ୍ମିଳନୀରେ ମତପ୍ରକାଶ ପାଇଛି ଯେ, ମାନବତା ବିରୁଦ୍ଧରେ ଆତଙ୍କବାଦ ହିଁ ସବୁଠୁ ବଡ଼ ବିପଦ। ପହଲଗାଁଓରେ ଅମାନବୀୟ ଓ ଭୀରୁତାର ଆକ୍ରମଣ କରିଥିଲେ ଆତଙ୍କବାଦୀ। ସେଥିଲାଗି ଆତଙ୍କବାଦ ବିରୁଦ୍ଧରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ସବ ଦେଶକୁ ଅପିଲ୍ କରିଛନ୍ତି ମୋଦି। ଭାରତ ଗାନ୍ଧୀ ଓ ବୁଦ୍ଧଙ୍କ ଶାନ୍ତିମାର୍ଗରେ ଆଗକୁ ବଢ଼ୁଛି। ପରିସ୍ଥିତି ଯେତେ ମୁସ୍କିଲ ହେଲେ ବି, ଶାନ୍ତି ମାନବକଲ୍ୟାଣ ଲାଗି ସବୁଠୁ ବଡ଼ ମାର୍ଗ ରହିବ। ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦକୁ ମୁକାବିଲା ସହ ସୀମାପାର ଆତଙ୍କବାଦ, ଆତଙ୍କବାଦୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଓ ସେମାନଙ୍କୁ ଶରଣ ଦେଉଥିବା ତତ୍ତ୍ୱଙ୍କ ବିରୁଦ୍ଧରେ ସ୍ୱର ଉଠିଛି। ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହଶୀଳତା ନୀତି ଆପଣାଇବାକୁ ମତ ପ୍ରକାଶ ପାଇଛି। ବିଂଶ ଶତାବ୍ଦୀର ଟାଇପ ରାଇଟର ଏକବିଂଶ ଶତାବ୍ଦୀର ସଫ୍ଟଓ୍ୱେରକୁ ଚଲାଇପାରିବେନି ବୋଲି କହିଛନ୍ତି ମୋଦି। ଆଜିର ଯୁଗ ଏଆଇର ଯୁଗ। ପ୍ରତି ସପ୍ତାହରେ ଟେକ୍ନୋଲୋଜି ଅପଡେଟ୍ ହେଉଛି। ତେବେ ଏଭଳି ମନ୍ତବ୍ୟ ସଂଯୁକ୍ତ ରାଷ୍ଟ୍ର ପରିଷଦ, ୟୁଏନଏସସି ଓ ୟୁଏନଜିସିକୁ ନେଇ ଥିଲା। ୟୁଏନ ବା ଜାତିସଂଘର ବଡ଼ ଖର୍ଚ୍ଚ ଆମେରିକା ବହନ କରିଥାଏ। ୟୁଏନଏସସିରେ ୫ରୁ ୬ ଦେଶ ଭିଟୋ ଆଳରେ ନିଜର ହିତ ସାଧନ କରିବାରେ ଲାଗିଛନ୍ତି। ଅର୍ଥାତ ଆମେରିକା ଯଦି କାହାକୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରୁଛି, ତାକୁ ଚୀନ ତୁରନ୍ତ ଭିଟୋ ଲଗାଇ ରୋକିଦେଉଛି। ଏମିତିରେ ବୈଶିକ ବ୍ୟବସ୍ଥାର ସତ୍ୟାନାଶ ହୁଏ। ଏଭଳି ସମୟରେ ଆମେରିକା ରାଷ୍ଟ୍ରପତି ବ୍ରିକ୍ସ ଉପରେ ଖୋଲା ତାରିଫ ବୋମା ପକାଇ ଧମକ ଦେଲେଣି। ଭାରତ, ଚୀନ ସମେତ ସଦସ୍ୟ ରାଷ୍ଟ୍ରକୁ ଧମକ ଦେଇଛନ୍ତି ଟ୍ରମ୍ପ। କୌଣସି ଦେଶ ବ୍ରିକ୍ସରେ ଆମେରିକା ବିରୋଧୀ ନୀତିକୁ ନେଇ କହିଲେ, ସେ ଦେଶ ଉପରେ ୧୦ ପ୍ରତିଶତ ଅତିରିକ୍ତ ତାରିଫ ଲଗାଯିବ। ଜୁଲାଇ ୭ ଦିନ ୧୨ଟା ବେଳେ ବିଭିନ୍ନ ଦେଶ ସହ ଆମେରିକାର ତାରିଫକୁ ନେଇ ହୋଇଥିବା ବୁଝାମଣା ପତ୍ର ଆବଣ୍ଟିତ ହେବା ପୂର୍ବରୁ ଏଭଳି ଧମକ ଦେଇଥିଲେ ଟ୍ରମ୍ପ। ଏପ୍ରିଲ ୨ରେ ଆମେରିକା ଭାରତୀୟ ବସ୍ତୁ ଉପରେ ୨୬ ପ୍ରତିଶତ ଅତିରିକ୍ତ ତାରିଫ ଲଗାଇଥିଲା। ଏହାକୁ ୯୦ଦିନ ଲାଗି ସ୍ଥଗିତ କରିଦେଇଥିଲା। ଆମେରିକା ଦ୍ୱାରା ଲଗାଯାଇଥିବା ୧୦ ପ୍ରତିଶତ ଶୁଳ୍କ ଏବେ ବି ଲାଗିଛି। ଭାରତ ୨୬ ପ୍ରତିଶତ ଶୁଳ୍କ ଉପରେ ରିହାତି ଚାହୁଁଛି। ଟେରର ଓ ଟ୍ରେଡ୍‌ର ଖେଳ ପୁଣି ଆରମ୍ଭ କରିଛନ୍ତି ଆମେରିକା ରାଷ୍ଟ୍ରପତି। ସେପଟେ ଆତଙ୍କବାଦକୁ ନେଇ କୌଣସି ବୁଝାମଣା ଓ ଚାପ କାମ ଦେବନି ବୋଲି ମୋଦି ବି କଡ଼ା ଚେତାବନୀ ଦେଇସାରିଲେଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *