ଆତଙ୍କବାଦ ବନାମ ବ୍ଲାକମେଲିଂ ଥିଓରୀ!

ଅପରେସନ ସିନ୍ଦୂରର ସଫଳତା ପରେ ଦେଶତମାମ ଜାରି ରହିଛି ତ୍ରିରଙ୍ଗା ଯାତ୍ରା। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୁଦ୍ଧରେ କଡ଼ା ପ୍ରହାର ପରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶ୍ରୀନଗର ଗସ୍ତ କରିଛନ୍ତି। ବାଦାମୀବାଗ୍ କ୍ୟାଣ୍ଟନମେଣ୍ଟରେ ଥିବା ସୈନିକଙ୍କୁ ଭେଟିଥିଲେ ରାଜନାଥ। ଆତଙ୍କବାଦ ବିରୁଦ୍ଧରେ ଲଢ଼ି ଯେଉଁମାନେ ବଳିଦାନ ଦେଇଛନ୍ତି, ସେମାନଙ୍କୁ ନମନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜନାଥ। ଆତଙ୍କବାଦକୁ ଦମନ କରିବାକୁ ଭାରତର ସଂକଳ୍ପ ଏତେ ସୁଦୃଢ଼ ଯେ, ପାକିସ୍ତାନର ନ୍ୟୁକ୍ଲିଆର ବ୍ଲାକମେଲିଂକୁ ବି ଖାତିର୍ କରିନଥିଲା ଭାରତ। ଏଭଳି ଆତଙ୍କବାଦ ରାଷ୍ଟ୍ର ହାତରେ ପରମାଣୁ ଅସ୍ତ୍ର କେତେ ନିରାପଦ ବୋଲି ବିଶ୍ୱ ସମୁଦାୟ ଉଦେଶ୍ୟରେ ପଚାରିଛନ୍ତି ରାଜନାଥ। ଆନ୍ତର୍ଜାତୀୟ ଆଟୋମିକ ଏନର୍ଜି ଏଜେନ୍ସି ଏହାର ନିରୀକ୍ଷଣ କରୁ। ଆତଙ୍କବାଦ ବିରୁଦ୍ଧରେ ଅପରେସନ ସିନ୍ଦୂର ଭାରତ ଇତିହାସରେ ସବୁଠୁ ବଡ଼ ଅପରେସନ ବୋଲି କହିଛନ୍ତି ରାଜନାଥ। ରାଜନାଥଙ୍କ ସହ ଜମ୍ମୁକଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ବି ସାଙ୍ଗରେ ଆର୍ମି କ୍ୟାମ୍ପକୁ ଯାଇଥିଲେ। ଜମ୍ମୁକଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା ସହ ଏଲଓସିରେ ମୁତୟନ ଜବାନଙ୍କ ସହ ଭାବବିନିମୟ କରିଛନ୍ତି ରାଜନାଥ। ସେପଟେ ଆତଙ୍କବାଦ ବିରୋଧରେ ଭାରତ ଲଢେଇ କରୁଥିଲା ବେଳେ ପାକିସ୍ତାନର ସାଥ୍ ଦେଇଥିଲା ତୁର୍କୀ। ପାକିସ୍ତାନ ଭଳି ଆତଙ୍କବାଦ ରାଷ୍ଟ୍ରକୁ ସମର୍ଥନ କରିଥିବା ତୁର୍କୀ ଓ ଅଜରବୈଜାନ ବିରୁଦ୍ଧରେ ବୟକଟ୍ ଟ୍ରେଣ୍ଡିଂ ଆରମ୍ଭ ହୋଇଛି ଭାରତରେ। ଏମିତିରେ ଏଇ ଦୁଇ ଦେଶ ସହ ଭାରତର ଭଲ ବାଣିଜ୍ୟିକ ସମ୍ପର୍କ ରହିଆସିଛି। ତୁର୍କୀ ଓ ଅଜରବୈଜାନ ସହ ବାର୍ଷିକ ୧୨ ଅରବ ଡଲାରର ବେପାର ହୁଏ। ତୁର୍କୀର ସେଓ, ମାର୍ବଲ ସାମଗ୍ରୀକୁ ବୟକଟ୍ ସହ ପର୍ଯ୍ୟଟକଙ୍କୁ ତୁର୍କୀ ନ ଯିବାକୁ ଅଭିଯାନ ତେଜ୍ ହୋଇଥିଲା ବେଳେତୁର୍କୀ କିନ୍ତୁ ଏହାକୁ ଖାତିର କରିନି। ତୁର୍କୀ ରାଷ୍ଟ୍ରପତି ଆର ଟି ଏରଦୋଗାନ୍ କହିଛନ୍ତି, ପାକିସ୍ତାନର ଭଲମନ୍ଦରେ ସବୁବେଳେ ଛିଡ଼ାହେବ ତୁର୍କୀ। ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫଙ୍କୁ ଭାଇ ବୋଲି ସମ୍ୱୋଧନ କରି ଏଭଳି କହିଛନ୍ତି। କୌଣସି ପ୍ରକାର ଅର୍ଥନୀତିକ ବ୍ଲାକମେଲିଂ ଚଳିବନି। ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫ ତୁର୍କୀର ସମର୍ଥନକୁ ପ୍ରଶଂସା କରିବାର ଦିନକ ପରେ ଏଭଳି କହିଛନ୍ତି ଏରଦୋଗାନ୍। ଏମିତିରେ କଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଥିଲା। ପାକିସ୍ତାନ ପରମାଣୁ ବୋମାର ବ୍ଲାକମେଲିଂ କରୁଛି। ଆଉ ପାକିସ୍ତାନକୁ ସମର୍ଥନ କରୁଥିବା ତୁର୍କୀକୁ ଭାରତ ଅର୍ଥନୀତିକ ପ୍ରତିବନ୍ଧକର ଭୟ ଦେଖାଉଛି। ଆଉ ଏଭଳି ସ୍ଥିତିରେ ଟେରର୍ ଓ ଟ୍ରେଡ୍ ଏକାସାଙ୍ଗରେ ହୋଇପାରିବନି ବୋଲି ପ୍ରଧାନମନ୍ତ୍ରୀ ମୋଦି ସନ୍ଦେଶ ଦେଇସାରିଛନ୍ତି। କାରଣ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧ ବନ୍ଦ କରିନଥିଲେ ବେପାର ବନ୍ଦ କରିଥିବାର ଭୟ ବି ଦେଖାଇଥିଲେ। କିନ୍ତୁ ସେପଟେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ୱାନୀ କତାରରେ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏହାକୁ ନେଇ ମୋଦି ସରକାରଙ୍କ ଆଭିମୁଖ୍ୟକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ବିରୋଧୀ ଦଳ।ଆତଙ୍କବାଦ ବିରୁଦ୍ଧରେ ଲଢ଼ିବାକୁ ଭାରତର ବଡ଼ ସଂକଳ୍ପ। କିନ୍ତୁ ଆତଙ୍କବାଦୀଙ୍କୁ ପୋଷୁଥିବା ରାଷ୍ଟ୍ର ଓ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇକୁ ବନ୍ଦ କରିବାକୁ ବେପାର ବନ୍ଦର ଧମକ ଦେଉଥିବା ରାଷ୍ଟ୍ର ପ୍ରତି କି ଆଭିମୁଖ୍ୟ, ତାକୁ ନେଇ ସମସ୍ତଙ୍କ ନଜର।

ଆତଙ୍କବାଦ ବନାମ ବ୍ଲାକମେଲିଂ ଥିଓରୀ!

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *