୧୪ ଦେଶକୁ ଟାରିଫ ବୃଦ୍ଧିର ଲେଟର ପଠାଇଲେ ଟ୍ରମ୍ପ। ୧୪ ଦେଶ ଉପରେ ଟାରିଫ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ। ଏହି ନୂଆ ଟାରିଫ ଅଗଷ୍ଟ ପହିଲା ୨୦୨୫ରୁ ଲାଗୁ ହେବ। ୧୪ ଟି ଦେଶ ହେଲା- ଜାପାନ, ଦକ୍ଷିଣକୋରିଆ, ବାଂଲାଦେଶ, ଥାଇଲାଣ୍ଡ, ମିଆଁମାର, କମ୍ୱୋଡ଼ିଆ, ଇଣ୍ଡୋନେସିଆ, ମାଲୟେସିଆ, କାଜାକିସ୍ତାନ, ଲାଓସ, ଦକ୍ଷିଣ ଆଫ୍ରିକା, ଟ୍ୟୁନିସିଆ, ବୋସନିଆ ଆଣ୍ଡ ହର୍ଜଗୋବିନା ଓ ସର୍ବିଆ। ଏ ସବୁ ଦେଶ ଉପରେ ୨୫ରୁ ୪୦ ପ୍ରତିଶତ ଯାଏଁ ଟାରିଫ ଲାଗିଛି। ଏସିଆରେ ନିଜର ଦୁଇ ମହତ୍ତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ର ଜାପାନ ଓ ଦକ୍ଷିଣକୋରିଆରୁ ଆସୁଥିବା ବସ୍ତୁ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇଛନ୍ତି। ବାଲାଂଦେଶ ଉପରେ ୩୫ ପ୍ରତିଶତ, ମିଆଁମାର ଓ ଲାଓସ ଉପରେ ୪୦ ପ୍ରତିଶତ ଟାରିଫ ଲାଗୁ ହେବ। ଅବଶ୍ୟ ଭାରତ ଉପରେ ଏଯାଏଁ କୌଣସି ନୂଆ ଟାରିଫ ଲାଗୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନି। କିନ୍ତୁ ସଙ୍କେତ ଦେଇଛନ୍ତି ଯେ, ଭାରତ ସହ ଟାରିଫକୁ ନେଇ ଖୁବ ଶୀଘ୍ର ଡିଲ୍ ହେବ। ହ୍ୱାଇଟହାଉସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପସ୍ଥିତିରେ ବଡ଼ ବୟାନ ଦେଇଛନ୍ତି ଟ୍ରମ୍ପ। ଆମେରିକା ଭାରତ ସହ ବ୍ୟବସାୟିକ ବୁଝାମଣାର ଅନ୍ତିମ ପର୍ଯ୍ୟାୟର ନିକଟତର ଅଛି। ୟୁକେ ଓ ଚୀନ୍ ସହ ବୁଝାମଣା କରିସାରିଛି ଆମେରିକା। ଯେଉଁ ଦେଶ ସହ ବୁଝାମଣା ସମ୍ଭବ ହୋଇପାରୁନି, ସେମାନଙ୍କୁ ଲେଟର ଦେଇ ଅବଗତ କରାଯାଇଛି। ଆମେରିକା ଟାରିଫ ଲାଗୁ ନେଇ ନିରପେକ୍ଷତାର ସହ କାମ କରୁଛି ବୋଲି ଦାବି କରିଛନ୍ତି ଟ୍ରମ୍ପ। କିଛି ଦେଶକୁ ରିହାତି ମିଳିପାରେ। କିନ୍ତୁ ଏହା ପଛରେ ଯୁକ୍ତିଯୁକ୍ତ କାରଣ ଥିବା ଦରକାର। ଏହା ସହ ଚେତାବନୀ ଦେଇଛନ୍ତି ଯେ, ଯେଉଁ ଦେଶ ଆମେରିକାର ସର୍ତ୍ତ ପୂରଣ କରିବାକୁ ପ୍ରସ୍ତୁତ ନୁହେଁ। ସେମାନଙ୍କୁ ନୂଆ ଟାରିଫ୍ ର ସାମ୍ନା କରିବାକୁ ପଡ଼ିବ। ଆମେରିକା ଉତ୍ପାଦ ଉପରେ ଏ ସବୁ ଦେଶ ଅତିରିକ୍ତ ଟାରିଫ ଲଗାନ୍ତି, ତା ହେଲେ ଆମେରିକା ଏହା ବଦଳରେ ଟାରିଫ ବଢ଼ାଇବ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ। ଟ୍ରମ୍ପ ଏପ୍ରିଲ ମାସରେ ଭାରତୀୟ ସାମଗ୍ରୀ ଉପରେ ୨୬ ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା କରିଥିଲେ। କିନ୍ତୁ ପରେ ଏହାକୁ ହ୍ରାସ କରି ୧୦ ପ୍ରତିଶତ କରିଦେଲେ। ଆଉ ୯୦ ଦିନ ଲାଗି ଏହାକୁ ନିଲମ୍ୱିତ କରିଥିଲେ। ଯାହାର ଅବଧି ଜୁଲାଇ ୯ରେ ଶେଷ ହେବ। ଭାରତର ପ୍ରାୟ ୫୩ ବିଲିୟନ ଡଲାର ବ୍ୟବସାୟିକ କ୍ଷତିକୁ ରକ୍ଷା କରିବାକୁ ଦୁଇ ଦେଶ ଭିତରେ ବାଣିଜ୍ୟବାର୍ତ୍ତା ଜାରି ରହିଛି। ଜୁଲାଇ ୭ରୁ ଟ୍ରମ୍ପ ଟାରିଫ ବୋମା ପକାଇବା ଆରମ୍ଭ କରିଛନ୍ତି।ଆମେରିକାର ଏକ୍ସଟ୍ରା ଟାରିଫର ଧମକକୁ ବ୍ରାଜିଲ୍ ଖାରଜ କରିଦେଇଛି। ବ୍ରିକ୍ସର ସଂସ୍ଥାପକ ସଦସ୍ୟ ଅଟେ ବ୍ରାଜିଲ୍। ବ୍ରାଜିଲ୍ ରାଷ୍ଟ୍ରପତି ଲୁଇସ୍ ଇନସିୟୋ ଲୁଲା କହିଛନ୍ତି, ଦୁନିଆ ବଦଳିସାରିଛି। ଆମକୁ କୌଣସି ସମ୍ରାଟ ଦରକାର ନାହିଁ। ବ୍ରିକ୍ସ ବୈଶ୍ୱିକ ଅର୍ଥବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ନୂଆ ରାସ୍ତା ଖୋଜୁଛି। ସେପଟେ ଚୀନ୍ କହିଛି, ବ୍ରିକ୍ସ କୌଣସି ଦେଶ ବିରୋଧୀ ନୁହେଁ। ବ୍ରିକ୍ସ ଦେଶକୁ ବି ଆମେରିକା ଚେତାବନୀ ଦେଇଥିଲେ ଯେ, କୌଣସି ଦେଶ ଗ୍ଲୋବାଲ ଟ୍ରେଡରେ ଡଲାରର ଭୂମିକାକୁ ଚ୍ୟାଲେଞ୍ଜ ଦେଲେ। ସେ ୧୦୦ ପ୍ରତିଶତ ଟାରିଫର ସାମ୍ନା କରିବାକୁ ପଡ଼ିବ ବୋଲି କହିଛନ୍ତି ଟ୍ରମ୍ପ। ଆମେରିକା ବିରୋଧୀ ନୀତି ଆପଣାଇଲେ, ସେ ଆମେରିକାର କାର୍ଯାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ ବୋଲି କହିଛନ୍ତି ଟ୍ରମ୍ପ।

Naxatra News is now on Whatsapp
Join and get latest news update delivered to you via whatsapp
Join Now