ନିଟ ରେଜଲ୍ଟ ବିଭ୍ରାଟ, ଜବାବ ଦିଅ : ସୁପ୍ରିମକୋର୍ଟ

Spread the love

ନିଟ ପରୀକ୍ଷାରେ ଅନିୟମିତତାକୁ ନେଇ ଏନଟିଏକୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ। ନିଟ୍ ବିବାଦରେ ପରୀକ୍ଷାରେ ସ୍ୱଛତା ପ୍ରଭାବିତ ହୋଇଛି। ଏହାର ଜବାବ ଦେବାକୁ ପଡ଼ିବ ବୋଲି କଡ଼ା ଶବ୍ଦରେ ଟିପ୍ପଣୀ କରିଛନ୍ତି ସୁପ୍ରିମକୋର୍ଟ। ପେପର ଲିକ୍ ପାଇଁ ପୁନଃ ପରୀକ୍ଷା ଦାବି ସହ କାଉନସେଲିଂ ବାତିଲ ଆବେଦନକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ସେପଟେ ନିଟ୍ ରେଜଲ୍ଟ ବିଭ୍ରାଟକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କମିଟି ଗଠନ କରିଥିଲା ବେଳେ ସଂସଦରେ ଏହି ପ୍ରସଙ୍ଗ ଉଠିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ। ସିବିଆଇ ତଦନ୍ତ ସହ ପୁନଃ ପରୀକ୍ଷା ପାଇଁ ଦାବି କରିଥିଲେ ଛାତ୍ରଛାତ୍ରୀ।

ଚଳିତ ବର୍ଷ ନିଟ୍-ୟୁଜି ପରୀକ୍ଷା ରେଜଲ୍ଟରେ ବିଭ୍ରାଟକୁ ନେଇ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ତେଜନା ଦେଖାଦେଇଛି। ଏହି ପରୀକ୍ଷାରେ କେତେଜଣଙ୍କ ମାର୍କ ବଢ଼ାଇଦିଆଯାଇଥିବା ଅଭିଯୋଗ ହୋଇଛି। ନିଟ୍ ପରୀକ୍ଷାରେ ଦୁର୍ନୀତି ଲାଗି ୨୪ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଆରୋପ ଆଣିଥିଲେ ରାହୁଲ ଗାନ୍ଧୀ। ହରିଆଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ଜଣ ପରୀକ୍ଷାର୍ଥୀ ସର୍ବାଧିକ ନମ୍ୱର ରଖି ଟପରେ ରହିଲେ। ୬୭ ଜଣଙ୍କୁ ପୁରା ନମ୍ୱର ଦିଆଯାଇ ନମ୍ୱର ଓ୍ୱାନ ରାଙ୍କରେ ରଖାଯାଇଛି। ଯାହାକି ବାସ୍ତବତା ଦୃଷ୍ଟିରୁ ସମ୍ଭବ ନୁହେଁ କହି ଏହି ବିଭ୍ରାଟକୁ ସଂସଦରେ ଉଠାଇବେ ବୋଲି କହିଛନ୍ତି ରାହୁଲ। ପରୀକ୍ଷାରେ ୬୭ ଜଣ ଛାତ୍ରଛାତ୍ରୀ ୭୨୦ରୁ ୭୨୦ ନମ୍ୱର ରଖି ସର୍ବଭାରତୀୟ ସ୍ତରରେ ରାଙ୍କ ଓ୍ୱାନରେ ଆସିବା ପ୍ରଥମ ଘଟଣା। ତା ସହ କିଛି ପରୀକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ଦିଆଯିବା ବି ଅନ୍ୟତମ ପ୍ରଥମ ଘଟଣା।

ଏନସିଇଆରଟି  ପାଠ୍ୟପୁସ୍ତକରେ ପରିବର୍ତ୍ତନ ଓ ପରୀକ୍ଷା କେନ୍ଦ୍ରରେ ପିଲାମାନେ ହରାଇଥିବା ସମୟ ପାଇଁ ଗ୍ରେସ ମାର୍କ ଦିଆଯାଇଥିଲା ବୋଲି କହିଥିଲା ଏନଟିଏ। ଗ୍ରେସ୍‌ ମାର୍କର ସମୀକ୍ଷା କରି  ଫଳାଫଳରେ ସଂଶୋଧନ କରାଯିବ ବୋଲି କହିଥିଲେ ଏନଟିଏ ମହାନିର୍ଦେଶକ ସୁବୋଧ କୁମାର ସିଂ। ସେଥିଲାଗି ଏଥର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ବିବାଦ ଘେରକୁ ଆସିଛି। ପୂର୍ବରୁ ନିଟ୍-ୟୁଜି ପରୀକ୍ଷାରେ ଜଣେ କିମ୍ୱା ଦୁଇ ଜଣ ଟପ୍ପର ହେଉଥିଲେ। ଏଥର ଏକାସାଙ୍ଗରେ ୬୭ ପିଲା ଶତପ୍ରତିଶତ ନମ୍ୱର ରଖି କିଭଳି ଟପ୍ପର ହେଲେ ବୋଲି ପ୍ରଶ୍ନ ଉଠିଥିଲା। ମେ ୫ରେ ହୋଇଥିବା ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। ଯଦିଓ ପ୍ରଶ୍ନପତ୍ର ଲିକ୍‌କୁ ଖଣ୍ଡନ କରିଥିଲା ଏନଟିଏ। ରେଜଲ୍ଚ ଅନିୟମିତତାକୁ ନେଇ ଏନଏସୟୁଆଇ ପବି ଏନଟିଏ ବିରୋଧରେ ବିକ୍ଷୋଭ କରିଛି। ରେଜଲ୍ଟ ବିଭ୍ରାଟକୁ ନେଇ ସୁପ୍ରିମକୋର୍ଟଙ୍କ ସମେତ ବିଭିନ୍ନ ଅଦାଲତରେ ପିଟିସନ୍ ଦାଖଲ ହୋଇଥିଲା। ଲୋକସଭା ନିର୍ବାଚନ ଫଳାଫଳ ଦିନ ନିଟ୍ ରେଜଲ୍ଟ ବାହାରିବାକୁ ନେଇ ବି ପ୍ରଶ୍ନ ଉଠିଥିଲା। ଏସବୁର ସିବିଆଇ ତଦନ୍ତ ସହ ପୁନଃ ପରୀକ୍ଷା ଦାବି କରିଥିଲେ ଅନେକ ଛାତ୍ରଛାତ୍ରୀ।

ନିଟ୍‌ ପରୀକ୍ଷା ରଦ୍ଦ ଓ କାଉନସେଲିଂ ପ୍ରକ୍ରିୟାରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। କିନ୍ତୁ ପରୀକ୍ଷାରେ ସ୍ୱଛତା ପ୍ରଭାବିତ ହୋଇଛି। ଏହାର ଜବାବ ରଖିବାକୁ ପଡ଼ିବ ବୋଲି କେନ୍ଦ୍ର ଓ ଏନଟିଏକୁ ନୋଟିସ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଜଷ୍ଟିସ ବିକ୍ରମ ନାଥ ଓ ଏ.ଅମାନୁଲ୍ଲାହଙ୍କ ଖଣ୍ଡପୀଠ ଏହାର ପରବର୍ତ୍ତୀ ଶୁଣାଣୀ ଜୁଲାଇ ୮ରେ କରିବେ। ଜବାବ ଦେବାକୁ କେତେ ସମୟ ନେବ। କାରଣ ତ୍ୱରିତ ଉତ୍ତର ନ ଦେଲେ ବି କାଉନସେଲିଂ ଆରମ୍ଭ ହେବ ବୋଲି କହିଛନ୍ତି ବିଚାରପତି। ଆବେଦନକାରୀଙ୍କ ଓକିଲ କାଉନସେଲିଂରେ ରହିତାଦେଶ ଲାଗି ଅପିଲ୍ କରିଥିଲେ। କିନ୍ତୁ କାଉନସେଲିଂକୁ ବନ୍ଦ କରିପାରିବୁନି ବୋଲି ସ୍ପଷ୍ଟ କରିଦେଇଛନ୍ତି ଅଦାଲତ। ରେଜଲ୍ଟ ବାହାରିବା ଆଗରୁ ଶିବାଙ୍ଗୀ ମିଶ୍ର ଓ ଅନ୍ୟ ୯ଜଣଙ୍କ ପକ୍ଷରୁ ଜୁନ୍ ପହିଲାରେ ଏଭଳି ଆବେଦନ ହୋଇଥିଲା। ରେଜଲ୍ଟ ପ୍ରକାଶନରେ କୌଣସି ରୋକ୍ ଲାଗିବନି ବୋଲି ମେ ୧୭ରେ ସ୍ପଷ୍ଟ କରିଦେଇଥିଲେ କୋର୍ଟ।

ନିଟ୍-ୟୁଜି ପରୀକ୍ଷାରେ ରେଜଲ୍ଟ ବିଭ୍ରାଟକୁ ନେଇ ଚାରିଆଡ଼େ ହୁଲସ୍ତୁଲ।  ଗ୍ରେସ ମାର୍କ ପରୀକ୍ଷାର ଯୋଗ୍ୟତା ମାନଦଣ୍ଡକୁ ପ୍ରଭାବିତ କରିବନି କି ପ୍ରଭାବିତ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ସମୀକ୍ଷା ଦ୍ୱାରା ନାମଲେଖା ପ୍ରକ୍ରିୟା ପ୍ରଭାବିତ ହେବନି ବୋଲି ଏନଟିଏ ଯୁକ୍ତି ବାଢ଼ିଛି। ଏବେ ଅପେକ୍ଷା ସୁପ୍ରିମକୋର୍ଟଙ୍କ ନୋଟିସର କି ଉତ୍ତର ରଖୁଛି ଏନଟିଏ।

ବ୍ୟୁରୋ ଇନପୁଟ୍ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Leave a Reply

Your email address will not be published. Required fields are marked *