ଅଷ୍ଟମ ବହିରେ ବିଚାରବିଭାଗର ଭ୍ରଷ୍ଟାଚାର: ଭୁଲ୍‌ ମାଗିଲା NCERT- ଦୁଃଖ ପ୍ରକାଶ କଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ ଓ ଶିକ୍ଷା ମନ୍ତ୍ରାଳୟର ହସ୍ତକ୍ଷେପ ପରେ ଏନସିଇଆରଟି ରାତାରାତି ଅଷ୍ଟମ ଶ୍ରେଣୀର ନୂଆ ସାମାଜିକ ବିଜ୍ଞାନ ବହି ଉପରେ ରୋକ୍ ଲଗାଇଦେଇଛି। ଏନସିଇଆରଟି ବିବାଦୀୟ ଚାପ୍ଟର ଉପରେ କ୍ଷମା ମାଗିଛି। ଖୁବ୍ ଶୀଘ୍ର ବିଶେଷଜ୍ଞଙ୍କ ପରାମର୍ଶରେ ନୂଆ ବହି ଜାରି ହେବ ବୋଲି କହିଛି। ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ବହିର ବିତରଣ ଉପରେ ରୋକ୍ ଲଗାଇଛି। ବିବାଦୀୟ ଅଧ୍ୟାୟକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଏନସିଇଆରଟି କହିଛି, ସେ ଦେଶର ନ୍ୟାୟପାଳିକା ଓ ସମ୍ୱିଧାନକୁ ବହୁତ ସମ୍ମାନ କରନ୍ତି। ଏହି ଭୁଲ୍ ଅଜାଣତରେ ହୋଇଛି। ନୂଆ ବହିର ଉଦେଶ୍ୟ ହେଉଛି କି, ଛାତ୍ରଛାତ୍ରୀଙ୍କ ଭିତରେ ସାମ୍ୱିଧାନିକ ଶିକ୍ଷା, ସଂସ୍ଥାଗତ ସମ୍ମାନ ଓ ଗଣତାନ୍ତ୍ରିକ ଅଂଶୀଦାର ବାବଦରେ ଅବଗତ କରାଇବା। କୌଣସି ସାମ୍ୱିଧାନିକ ସଂସ୍ଥା ବା ଅଧିକାର ଉପରେ ପ୍ରଶ୍ନବାଚୀ କରିବାର କୌଣସି ଅଭିପ୍ରାୟ ନାହିଁ। ଏକାଡେମିକ ସେସନ ୨୦୨୬-୨୭ ଆରମ୍ଭ ପରେ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ନୂଆ ବହି ମିଳିଯିବ। ଏପ୍ରିଲ ପହିଲାରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ମାସକ ଭିତରେ ବହିକୁ ସଂଶୋଧନ କରି ଏହାକୁ ରିଲିଜ କରିବା ଏନସିଇଆରଟି ଲାଗି ବଡ଼ ଆହ୍ୱାନ ସାଜିଛି। ଏନଇପି-୨୦୨୦ ଓ ନାସନାଲ କରିକୁଲମ ଫ୍ରେମଓ୍ୱାର୍କ ୨୦୨୩ ଆଧାରରେ ଏନସିଇଆରଟି ନୂଆ ବହି ଲାଗି ପ୍ରସ୍ତୁତି କରିଥିଲା। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏ ବହି ଛପା ହୋଇଯାଇଥିଲା। ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ବହିର ପାର୍ଟ-୧ ଗଲା ବର୍ଷ ଜୁଲାଇରେ ରିଲିଜ୍ ହୋଇଥିଲା। ଯେବେ କି ପାର୍ଟ-୨ ଫେବୃଆରୀ ୨୩, ୨୦୨୬ରେ ଜାରି କରାଗଲା। ତେବେ ବିଚାର ବିଭାଗରେ ଭ୍ରଷ୍ଟାଚାର ସମ୍ପର୍କିତ ଏକ ଅଧ୍ୟାୟକୁ ନେଇ ବିବାଦ ବଢ଼ିଥିଲା। ବିଚାର ବିଭାଗରେ ଭ୍ରଷ୍ଟାଚାର ବାବଦରେ ବହିରେ ଉଲ୍ଲେଖ ଥିବାରୁ ଉଦବେଗ ଝାଡ଼ିଥିଲେ ପ୍ରଧାନ ବିଚାରପତି। ସଂସ୍ଥାକୁ ବଦନାମ କରିବାକୁ ଅନୁମତି ଦେଇପାରିବେନି ବୋଲି କହିଛନ୍ତି। ଅଦାଲତ ସଙ୍କେତ ଦେଇଥିଲେ ଯେ, ସ୍ୱତଃ ସଂଜ୍ଞାନ ନେଇ ସେ ଏହା ଉପରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ। ଜଷ୍ଟିସ୍ ବାଗଚି କହିଥିଲେ, ଏହା ସାମ୍ୱିଧାନିକ ଢାଞ୍ଚାଗତ ବ୍ୟବସ୍ଥାର ବିରୋଧୀ। ଏନସିଇଆରଟିର ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ବହିରେ ନ୍ୟାୟପାଳିକାରେ ଭ୍ରଷ୍ଟାଚାର ସମ୍ୱନ୍ଧୀୟ ଅଂଶ ଯୋଡ଼ା ଯାଇଥିଲା। ବରିଷ୍ଠ ଓକିଲ କପିଲ ଶିବଲ ଓ ଅଭିଷେକ ମନୁ ସିଂଘଭି ଏହି ମୁଦ୍ଦାକୁ ଅଦାଲତ ସାମ୍ନାରେ ଉଠାଇଥିଲେ। କହିଥିଲେ, ସ୍କୁଲ ପିଲାଙ୍କୁ ଏଭଳି ଶିକ୍ଷା ଚିନ୍ତାଜନକ ଅଟେ। ଶୁଣାଣୀ ବେଳେ ପ୍ରଧାନ ବିଚାରପତି କହିଥିଲେ, ସେ ଏ ବାବଦରେ ଅବଗତ ଅଛନ୍ତି। ତାଙ୍କୁ ଏ ବିଷୟରେ ଲଗାତାର ଫୋନ୍ କଲ୍, ମେସେଜ ଆସୁଛି। ବାର୍ ଓ ବେଞ୍ଚ୍ ଉଭୟ ଏଥିରେ ବ୍ୟଥିତ। ନ୍ୟାୟପାଳିକାକୁ ବଦନାମ କରିବାକୁ ସେ କାହାକୁ ଅନୁମତି ଦେବେନି। ଆଇନ ତା କାମ କରିବ। ଏହା ବୁଝାସୁଝା ଚାଲ୍ ବୋଲି ପ୍ରତୀୟମାନ ହେଉଛି। ସୁପ୍ରିମକୋର୍ଟଙ୍କ ଉଦବେଗ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବି ଦୁଃଖପ୍ରକାଶ କରିଛନ୍ତି। ପୁସ୍ତକ ପ୍ରତ୍ୟାହାର ଲାଗି ନିର୍ଦେଶ ଦିଆଯିବା ସହ ଯେଉଁ ଅଧିକାରୀଙ୍କ ଭୁଲ୍ ଲାଗି ଏଭଳି ହୋଇଛି, ସେମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ ଆକ୍ସନ ହେବ। ତେବେ ଦୁର୍ନୀତି ସମ୍ପର୍କିତ ଅଧ୍ୟାୟ ବହିରେ ରହିବା ଜରୁରୀ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବି। କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ସଂସ୍ଥାକୁ ଟାର୍ଗେଟ କରିବା ଉଚିତ୍ ନୁହେଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *