ବାଳିକାଙ୍କ ଶିକ୍ଷାକୁ ସର୍ବାଧିକ ମହତ୍ତ୍ୱ ଦେବା ଜରୁରୀ। ଝିଅଙ୍କ ଶିକ୍ଷାରେ ନିବେଶ କରିବାର ଅର୍ଥ ହେଉଛି ପରିବାର, ସମାଜ ଓ ରାଷ୍ଟ୍ର ନିର୍ମାଣରେ ଏହା ଅମୂଲ୍ୟ ନିବେଶ। ଆଉ ଶିକ୍ଷକଙ୍କ ଲାଗି ସବୁଠୁ ବଡ଼ ପୁରଷ୍କାର ହେଉଛି, ସେମାନଙ୍କୁ ନିଜର ବିଦ୍ୟାର୍ଥୀ ଆଜୀବନ ମନେ ରଖିବେ। ଭଲ ଆଚରଣ ପ୍ରଦର୍ଶନ କରି ଅନ୍ୟମାନଙ୍କ ପଥପ୍ରଦର୍ଶକ ସାଜନ୍ତୁ ଶିକ୍ଷକ। ପବିତ୍ର ଗୁରୁଦିବସରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଭଳି ପରାମର୍ଶ ଦେଇଛନ୍ତି ଶିକ୍ଷକ ସମାଜକୁ। ଏହା ସହ ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ଶିକ୍ଷା ବି ମଣିଷର ଗାରିମା ଓ ସୁରକ୍ଷା ଲାଗି ଅନିର୍ବାର୍ଯ୍ୟ ଅଟେ ବୋଲି କହିଛନ୍ତି ରାଷ୍ଟ୍ରପତି। ଶିକ୍ଷକ ସଶକ୍ତ ସମାଜର ମୂଳ ଆଧାର ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଭବିଷ୍ୟତକୁ ଗଢ଼ନ୍ତି। ଗୁରୁଦିବସର ଦିନକ ଆଗରୁ ଏହି ଅବସରରେ ଶିକ୍ଷକ ସମାଜକୁ ବଡ଼ ଟାସ୍କ ଦେଇଛନ୍ତି ମୋଦି। ପ୍ରତିଟି ପିଲା ଭିତରେ ସ୍ୱଦେଶୀ ଭାବନା ବଢ଼ାଇବାର ଗୁରୁଦାୟିତ୍ୱ ରହିଛି ଶିକ୍ଷକଙ୍କ ଭିତରେ। ଲୋକାଲ ଫର ଭୋକାଲ ଅଭିଯାନରେ ଶିକ୍ଷକଙ୍କ ଗୁରୁଦାୟିତ୍ୱ ରହିଛି। ଏଭଳି ବାତାବରଣ ସୃଷ୍ଟି ହେଲେ ଦେଶର ଆର୍ଥିକ ପ୍ରଗତି ଅଧିକ ସୁଦୃଢ଼ ହେବ। ମେକ୍ ଇନ୍ ଇଣ୍ଡିଆର ଝଲକ ସବୁଠି ଦେଖାଯିବାର ଅଛି। ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୮୧ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରଷ୍କାର-୨୦୨୫ରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ଓଡ଼ିଶାର ବସନ୍ତ କୁମାର ରଣା ଓ ତରୁଣ କୁମାର ଦାଶଙ୍କୁ ଜାତୀୟ ଶିକ୍ଷକ ପୁରଷ୍କାରରେ ସମ୍ମାନିତ କରାଯାଇଛି। ଜାତୀୟ ଶିକ୍ଷାନୀତିର ଭାବନାକୁ ଆଗକୁ ବଢ଼ାଇବାକୁ ଶିକ୍ଷକଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷାଦାନକୁ ରୋଚକ ଓ ଚାପମୁକ୍ତ ଲାଗି ପ୍ରୟାସ କରିବା ଉଚିତ୍। ସେପଟେ ରାଜ୍ୟସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର ସମ୍ୱର୍ଦ୍ଧନା ସମାରୋହ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଭବିଷ୍ୟତ ଲାଗି ଯେଉଁ ଆହ୍ୱାନ ଆସୁଛି, ତାକୁ ସୁଯୋଗ ଭାବେ ଗ୍ରହଣ କରିବାକୁ ଅପିଲ୍ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପ୍ରତିବର୍ଷ ୧୫ହଜାର ଶିକ୍ଷକ ନିଯୁକ୍ତି କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ୩ ବର୍ଷରେ ୪୫ହଜାର ଶିକ୍ଷକଙ୍କୁ ଚୁକ୍ତିଭିତ୍ତିକ ନୁହେଁ, ରେଗୁଲାର ଭାବେ ନିଯୁକ୍ତି ଦିଆଯିବ। ଗୋଟିଏ ବୋର୍ଡରେ ଚାଲିବ ପ୍ରଥମରୁ ଦ୍ୱାଦଶ। ଯାହାର ଯାହା ସମସ୍ୟା ଥିବ ଏହି ଗୋଟିଏ ବୋର୍ଡ ସମାଧାନ କରିବ। ଗୁରୁଦିବସରେ ଓଡିଶା କରିକୁଲମ ଫ୍ରେମ୍ ପୁସ୍ତକର ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ। ପଢ଼ିବା, ଗଢ଼ିବା ଓଡ଼ିଶା ଅଭିଯାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିକ୍ଷକ ସମାଜର ପ୍ରତିବଦ୍ଧତା କେମିତି ରହିବା ଜରୁରୀ, ସେ ଦିଗରେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଡ୍ରପ ଆଉଟ୍ ହ୍ରାସ ସହ ଗୁଣାତ୍ମକ ଶିକ୍ଷା ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବ ସରକାରରେ ଭିତ୍ତିଭୂନମିକୁ ଗୁରୁତ୍ୱ ଦିଆଯାଉନଥିଲା। ଆଗାମୀ ଦିନରେ ସାନ୍ତାଳି ଭାଷାରେ ପାଠ ପଢ଼ା ହେବ। ଅଲଚିକି ଲିପିର ପ୍ରିଣ୍ଟିଂ କାମ ଚାଲିଛି। ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ସର୍ବପଲ୍ଲି ରାଧାକ୍ରିଷ୍ଣନଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇ ଶିକ୍ଷକ ସମାଜର ଅଙ୍ଗିକାରବଦ୍ଧତା ସମାଜ ପ୍ରତି କେମିତି ରହିବା ଜରୁରୀ, ତାକୁ ନେଇ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତିଙ୍କଠୁ ନେଇ ପ୍ରଧାନମନ୍ତ୍ରୀଙ୍କ ଯାଏ।
Naxatra News is now on Whatsapp
Join and get latest news update delivered to you via whatsapp
Join Now