ଆଜି ପବିତ୍ର ଗୁରୁ ଦିବସ

ଆଜି ପବିତ୍ର ଗୁରୁ ଦିବସ । ଗୁରୁଙ୍କ ପାଇଁ ଦିନଟିଏ । ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ରୂପେ ପାଳନ କରାଯାଇଥାଏ। ଆଜି ଭଳି ଦିନରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜନ୍ମଗ୍ରହଣ କରିଥିଲେ। ଡକ୍ଟର ରାଧାକ୍ରିଷ୍ଣନ୍ ୫ ସେପ୍ଟେମ୍ବର ୧୮୮୮ ମସିହାରେ ମାଡ୍ରାସ୍ ପ୍ରେସିଡେନ୍ସିରେ ଜନ୍ମଗ୍ରହଣ କରିଥିଲେ। ଜଣେ ପ୍ରଖ୍ୟାତ ଶିକ୍ଷକ ଭାବେ ସେ କଲିକତା ବିଶ୍ୱବିଦ୍ୟାଳୟ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପରି ପ୍ରତିଷ୍ଠିତ ଅନୁଷ୍ଠାନରେ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ। ସେ ଜଣେ ପ୍ରବୀଣ ଲେଖକ ଥିଲେ।  ଆମେରିକା ଏବଂ ୟୁରୋପରେ ନିଜର ବକ୍ତୃତା ମାଧ୍ୟମରେ ଭାରତୀୟ ସଂସ୍କୃତିକୁ ଦେଶ ବିଦେଶରେ ସଂଚାର କରିଥିଲେ। ୧୯୬୨ ମସିହାରେ ଡକ୍ଟର ରାଧାକ୍ରିଷ୍ଣନ୍ ଭାରତର ରାଷ୍ଟ୍ରପତି ହୋଇଥିଲେ। ସେପ୍ଟେମ୍ବର ୫ରେ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରିବାକୁ ଅନୁରୋଧ କରି କିଛି ଛାତ୍ର ତାଙ୍କୁ ଦେଖା କରିଥିଲେ।

ଏହିପରି ସେପ୍ଟେମ୍ବର ୫ ତାରିଖକୁ ଭାରତରେ ଶିକ୍ଷକ ଦିବସ ଭାବରେ ପାଳନ କରାଯିବା ଆରମ୍ଭ ହୋଇଥିଲା। ସାରା ଭାରତରେ ଏହି ଦିନରେ ଛାତ୍ରଛାତ୍ରୀ ମାନେ ଖୁବ ଆଦର ସହକାରେ ନିଜ ଗୁରୁଙ୍କୁ ପୂଜା କରିଥାନ୍ତି।   ଆଜିର ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଦ୍ୟାର୍ଥୀ ମାନେ ଖୁବ ଉତ୍ସାହ ସହକାରେ ଗୁରୁ ବନ୍ଦନା ଗାନ କରନ୍ତି ତତ୍ସହିତ ଚାଉଳ,ଅକ୍ଷତ ଦୁବ, ଧୂପ ଓ ଦୀପ ଦ୍ୱାରା ଗୁରୁଙ୍କୁ ବନ୍ଦାଇ ପୂଜା ମଧ୍ୟ କରିଥାନ୍ତି। ଏହି ଉପଲକ୍ଷେ ଵିଦ୍ୟାର୍ଥୀମାନେ ଗୁରୁଙ୍କ ଉଦେଶ୍ୟରେ ନିଜର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଜୀବନରେ ଗୁରୁଙ୍କ ମହତ୍ୱ ଉପରେ ଆଲୋକପାତ କରିଥାନ୍ତି। 

ଗୁରୁଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ବର। ଗୁରୁଙ୍କୁ ଭଗବାନଙ୍କ ସହିତ ତୁଳନା କରାଯାଏ। ଶିକ୍ଷା ହେଉ କି କ୍ରୀଡ଼ା, ଜୀବନର କୌଣସି ବି କ୍ଷେତ୍ର ହେଉ ଜଣେ ଶିକ୍ଷାର୍ଥୀଙ୍କ ଜୀବନରେ ଗୁରୁ ନିଶ୍ଚେ ଥାଆନ୍ତି। ବାପା ମା ଆମକୁ ଦୁନିଆକୁ ଆଣିଥିଲେ ମଧ୍ୟ ଦୁନିଆରେ ଚାଲିବା ତଥା ଜ୍ଞାନ ଆହରଣ ଦିଗରେ, ଗୁରୁ ତୁଲାଇଥାନ୍ତି ଏକ ମୁଖ୍ୟ ଭୂମିକା। ଗୁରୁ ହିଁ ଅଜ୍ଞାନତା ରୂପକ ଅନ୍ଧାରରୁ ଆଲୋକର ମାର୍ଗଦର୍ଶନ କରାଇଥାନ୍ତି। ସେହି ଚିର ନମସ୍ୟ ଗୁରୁଙ୍କ ଆଗରେ ମୁଣ୍ଡ ଆପେ ନଇଁ ଯାଇଥାଏ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *