କଂଗ୍ରେସର ନୂଆ ଠିକଣା: ଇନ୍ଦିରା ଭବନ

୯ ଏ କୋଟଲା ରୋଡ୍ଇନ୍ଦିରା ଭବନ । ଏହା ଏବେ କଂଗ୍ରେସର ନୂଆ ଠିକଣା । ୪୭ ବର୍ଷ ପରେ ୨୪ ଆକବର ରୋଡସ୍ଥିତ ଘର ପରିବର୍ତ୍ତନ କରିଛି ଦଳ । ଯାହା ସର୍ବ ପୁରାତନ ଦଳ କଂଗ୍ରେସ ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ସମୟ। କଂଗ୍ରେସ ସଂସଦୀୟ ଦଳ ପ୍ରମୁଖ ସୋନିଆ ଗାନ୍ଧି ଓ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଦଳର ନୂଆ ମୁଖ୍ୟାଳୟର ଉଦଘାଟନ କରିଛନ୍ତି। ରାହୁଲଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ସାମିଲ ହୋଇଥିଲେ।

 ଏହି ଅବସରରେ ଆରଏସଏସ ମୁଖ୍ୟଙ୍କ କଥାକୁ ନେଇ ରାହୁଲ କହିଛନ୍ତି, ୧୯୪୭ରେ ଦେଶକୁ ସ୍ୱାଧୀନତା ମିଳିନି କହିବା ଏକ ଧର୍ତ୍ତବ୍ୟ ଅପରାଧ । ଯାହା ମୋହନ ଭାଗବତ କହୁଛନ୍ତି । ଏବେ ଗୋଟିଏ ପଟେ ସମ୍ୱିଧାନର ବିଚାର ରହିଛି ଅନ୍ୟପଟେ ଆରଏସଏସର ବିଚାର ଅଛି। ଏବଂ କଂଗ୍ରେସ ଏକ ମାତ୍ର ଦଳ ଯିଏ ସେଭଳି ସଂକୀର୍ଣ୍ଣ ବିଚାର ସହ ଲଢି ପାରିବ । ସେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ କଠୋର ସମାଲୋଚନା କରିଥିଲେ । ଏବଂ ଇନ୍ଦିରା ଭବନ ଏକ ବିଲଡିଂ ନୁହେଁ ଭାରତୀୟଙ୍କ କଠିନ ପରିଶ୍ରମ ଓ ତ୍ୟାଗର ପ୍ରତୀକ ବୋଲି କହିଥିଲେ। ଖଡଗେ ଦଳର ଇତିହାସର ସ୍ମୃତିଚାରଣ କରିବା ସହ ଏବେ ସମ୍ୱିଧାନ ବିରୋଧୀ ଲୋକ ସମ୍ୱିଧାନର କଥା କହୁଛନ୍ତି ବୋଲି ମତ ଦେଇଥିଲେ । ଜନତାଙ୍କ ଅଧିକାର ପାଇଁ ଲଢିବା ଲାଗି ନୂଆ ମୁଖ୍ୟାଳୟ ନୂଆ ଉର୍ଜ୍ଜା ଦେବ ବୋଲି ଆଶା କରିଛନ୍ତି ।

 ଇନ୍ଦିରା ଭବନ କେବଳ କଂକ୍ରିଟରେ ଗଢା ଯାଇଥିବା ଏକ ପାଞ୍ଚତଲା ବିଲଡିଂ ନୁହେଁ । ଦଳର ସ୍ୱର୍ଣ୍ଣିମ ଇତିହାସର ଗୌରବର ପ୍ରତୀକ । ଯାହାର କାଂଥରେ ଦଳୀୟ ସମ୍ୱିଧାନର ୫ ସିର୍ଦ୍ଧାନ୍ତ ସ୍ଥାନିତ ହୋଇଛି । ଦଳର ପ୍ରଥମ ଅଧ୍ୟକ୍ଷ ବ୍ୟୋମେଶ ଚନ୍ଦ୍ର ବାନାର୍ଜୀଙ୍କ ଠାରୁ ନେଇ ବର୍ତ୍ତମାନର ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଫଟୋଚିତ୍ର ସ୍ଥାନିତ ହୋଇଛି । ଯାହା ଇତିହାସକୁ ବର୍ତ୍ତମାନ ସହ ଯୋଡ଼ୁଥିବା ଦଳ କହିଛି । ସାମାଜିକ ସ୍ୱାଧୀନତାର ଉଦଘୋଷ କରୁଥିବା ବାବା ସାହେବ ଆମ୍ୱେଦକରଙ୍କ ବିରାଟ ଚିତ୍ର ସ୍ଥାନିତ ହୋଇଛି । ଭାରତ ଓ କଂଗ୍ରେସର ଇତିହାସ ଯେ ଅଭିନ୍ନ ତାହାକୁ ଦର୍ଶାଇବାକୁ ଯାଇ ବିଲଡିଂରେ ସ୍ଥାନିତହୋଇଛି ପ୍ରାୟ ୨ଶହ ଦୁର୍ଲ୍ଲଭ ଫଟୋଚିତ୍ର । ମହାତ୍ମା ଗାନ୍ଧୀ,ସୁବାଷ ଚନ୍ଦ୍ର ବୋଷ, ଜବାହାରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ରବିନ୍ଦ୍ରନାଥ ଟାଗୋରଙ୍କ ସମେତ ଅନେକ ପୂର୍ବସୂରୀଙ୍କ ବିଭିନ୍ନ ସମୟର ଚିତ୍ର ଦେଖିବାକୁ ମିଳିଛି। ଦଳର ଶାସନ ସମୟରେ ବିଭିନ୍ନ ପ୍ରଧାନମନ୍ତ୍ରୀଙ୍କ କାଳଖଣ୍ଡରେ ହୋଇଥିବା ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତିରୁ ଆରମ୍ଭ କରି ଭାରତ ଯୋଡ଼ୋ ଯାଏଁ ସମସ୍ତ କଥା ଦେଖିବାକୁ ମିଳିଛି ।

ସର୍ବ ପୁରାତନ ଦଳର ନୂଆ ଆଧୁନିକ ଭବନ । ୨୦୦୯ରେ ଡକ୍ଟର ମନମୋହନ ସିଂ ଓ ସୋନିଆ ଗାନ୍ଧୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନା ହୋଇଥିଲା । ଏବଂ ପ୍ରାୟ ୧୫ ବର୍ଷ ଳାଗିଲା ନିର୍ମାଣ ସମ୍ପୁର୍ଣ୍ଣ ହେବାକୁ । ଦଳର ପୁରୁଣା ଲିଗାସୀକୁ ସାଙ୍ଗରେ ନେଇ ଆଧୁନିକ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇନ୍ଦିରା ଭବନ ନିର୍ମାଣ ହୋଇଛି। ନୂଆ ଠିକଣା ସହ ବହୁ କିଛି ସମ୍ଭାବନାକୁ ଦେଖୁଛି ଦଳ। କିନ୍ତୁ ପୁରୁଣା ଠିକଣା ବିଗତ ଦିନର ଅନେକ ସ୍ମୃତି ବହନ କରୁଛି । ତେଣୁ ପୁରୁଣା ସ୍ଥାନ ମଧ୍ୟ ଦଳ ପାଇଁ ସେତିକି ଗୁରୁତ୍ୱ ରଖିବ ବୋଲି ଦଳର ପୁରୁଖା ସଦସ୍ୟ କହିଛନ୍ତି ।

ତେବେ ୨୪ ଆକବର ରୋଡସ୍ଥିତ ଘର କେବଳ କଂଗ୍ରେସର ଠିକଣା ନଥିଲା ଦଳର ମୂଳପିଣ୍ଡ ଥିଲା । ୫ ଦଶନ୍ଧି ଧରି ଇନ୍ଦିରାଙ୍କ ବିଜୟ ଠାରୁ ଆରମ୍ଭ କରି ବିରୋଧୀ ଦଳ ହିସାବରେ ଆଜିର ସ୍ଥିତି ଯାଏଁ ସବୁ କଥାର ମୂକସାକ୍ଷୀ ଥିଲା । ଦଳର ଉତ୍ଥାନ ପତନ ଦେଶର ରାଜନୈତିକ ପଟ୍ଟ ପରିବର୍ତ୍ତନ ସବୁ ଦେଖିଥିବା ସେ ଠିକଣା ଆଜି ବଦଳିଛି । ନୂଆ ଠିକଣା ସହ ୧୩୯ ବର୍ଷର ଦଳ ଦଳୀୟ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି।

 ନୂଆ ଠିକଣା ସହ ନୂଆ ଯୁଗର ଆରମ୍ଭ କରିବାକୁ ଯାଉଛି ଭାରତୀୟ ଜାତୀୟ କଂଗ୍ରେସ । କିନ୍ତୁ ଦଳ କହିଛି ମୁଖ୍ୟାଳୟର ବିଲ୍ଡିଂ ପରିବର୍ତ୍ତନ ହୋଇଛି କିନ୍ତୁ ପାର୍ଟିର ବିଚାରଧାରା ତାର ପୁରୁଣା ଆଦର୍ଶ ଅକ୍ଷୁର୍ଣ୍ଣ ରହିବ । ଦଳ ତାର ଲିଗାସିକୁ ନେଇ ଆଗକୁ ବଢିବ ।କିନ୍ତୁ ଇନ୍ଦିରା ଭବନ ଦଳକୁ ନୂଆ ଉର୍ଜ୍ଜା ଦେବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *