ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନ ଭରିଲେ ଆଜି ଅରବିନ୍ଦ କେଜ୍ରିଓ୍ୱାଲ। ଆଉ ଆଜି ହିଁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ୱାଲ ଓ ମନୀଷ ସିସୋଦିଆଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ମାମଲା ଚାଲିବ କହି ଇଡିକୁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଏଭଳି ସଂଯୋଗକୁ ନେଇ ଦିଲ୍ଲୀ ରାଜନୀତି ଘମାସାନ ହୋଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନର ୨୦ ଦିନ ଆଗରୁ ଇଡିକୁ ଗୃହ ମନ୍ତ୍ରଣାଳୟର ଅନୁମତି ପରେ ତେଜିଛି ଆରୋପ ପ୍ରତ୍ୟାରୋପ ରାଜନୀତି। ପୂର୍ବରୁ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ ସକ୍ସେନା କେଜ୍ରିଓ୍ୱାଲଙ୍କ ଉପରେ ମାମଲା ଚଲାଇବାକୁ ଜାନୁଆରୀ ୧୧ରୁ ଅନୁମତି ଦେଇସାରିଥିଲେ। ଡିସେମ୍ୱର ୫ରେ କେଜ୍ରିଓ୍ୱାଲଙ୍କ ବିରୁଦ୍ଧରେ ଟ୍ରାଏଲ ଚଳାଇବାକୁ ଏଲଜିଙ୍କଠୁ ଅନୁମତି ଲୋଡ଼ିଥିଲା ଇଡି। ସୁପ୍ରିମକୋର୍ଟ ଯେହେତୁ କହିଥିଲେ, ଇଡିକୁ ପିଏମଏଲଏରେ ମକଦ୍ଦମା ଜାରି ରଖିବାକୁ ହେଲେ ବିଶେଷ ମଞ୍ଜୁରୀ ଜରୁରୀ। ତେବେ ଇଡିକୁ ଏଭଳି ସମୟରେ ଅନୁମତି ମିଳିଛି, ଯେତେବେଳେ କି ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୨୦ଟା ଦିନ ରହିଲା। ଆପ୍ କହିଛି, ଦେଶର ଇତିହାସରେ ଏହା ପ୍ରଥମ ମାମଲା ଯେତେବେଳେ ନିର୍ବାଚନ ପାଖରେ। ମିଛ ମାମଲା କରିବା, ଆମ୍ ଆଦମୀ ଦଳର ନେତାଙ୍କୁ ବଦନାମ କରିବା ବିଜେପିର ପୁରୁଣା ଫର୍ମୁଲା। ଜନତା ସବୁ ବୁଝିଲେଣି।
ମଦ ଦୁର୍ନୀତି ମାମଲାରେ ୧୫୬ ଦିନ ଜେଲରେ ରହିଥିଲେ କେଜ୍ରିଓ୍ୱାଲ। ସେପ୍ଟେମ୍ୱର ୧୩ରୁ ଜାମିନରେ ମୁକୁଳିଛନ୍ତି କେଜ୍ରିଓ୍ୱାଲ୍। ମଦବେପାରୀଙ୍କଠୁ ଶହେ କୋଟି ଟଙ୍କାର ଲାଞ୍ଚ ନେବା, ଏଥିରୁ ୪୫ କୋଟି ଟଙ୍କା ଗୋଆ ନିର୍ବାଚନରେ ଖର୍ଚ୍ଚ କରିବା ଆଦି ଆରୋପ ଥିଲା। ସେପଟେ ମନିଲଣ୍ଡରିଂ ମାମଲା ରଦ୍ଦ କରିବାକୁ ତଳ କୋର୍ଟରୁ ନେଇ ହାଇକୋର୍ଟ ଯାଏ, ଏହାକୁ ନିରସ୍ତ୍ର କରିବାକୁ ଅପିଲ୍ କରିଛନ୍ତି। ନୂଆ ଦିଲ୍ଲୀ ଆସନରୁ ୨୦୧୩ରୁ ଜିତି ଆସୁଛନ୍ତି କେଜ୍ରିଓ୍ୱାଲ।ଏଥର ତାଙ୍କ ବିରୁଦ୍ଧରେ ବିଜେପିର ପରଭେସ ବର୍ମା ଓ କଂଗ୍ରେସର ସନ୍ଦୀପ ଦୀକ୍ଷିତ ଲଢ଼ୁଛନ୍ତି। ହନୁମାନ ଓ ବାଲ୍ମିକୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ମହିଳା ସମର୍ଥକଙ୍କ ଗହଣରେ ସପରିବାର ବିଶାଳ ରାଲିରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କେଜ୍ରିଓ୍ୱାଲ୍। ନାମାଙ୍କନ ଦାଖଲ ଆଗରୁ ତାଙ୍କ ବିରୁଦ୍ଧରେ ମାମଲା ଚଳାଇବାକୁ ଇଡିକୁ କେନ୍ଦ୍ରର ଗ୍ରୀନ୍ ସିଗନାଲକୁ ନେଇ କେଜ୍ରିଓ୍ୱାଲ କହିଛନ୍ତି, ଏଥିରେ ସେ ବିଚଳିତ ନୁହେଁ। ଏହା ଅପ୍ରତ୍ୟାଶିତ ନଥିଲା। ଇଡି, ସିବିଆଇ ଓ ଆଇଟିକୁ ବ୍ୟବହାର କରି ବିଜେପି କିଭଳି ବିରୋଧୀଙ୍କ ପ୍ରତି ପ୍ରତିହିଂସାପରାୟଣ ସାଜିଛି, ଜନତା ଜାଣନ୍ତି। ଏହାର ଜବାବ ଇଭିଏମରେ ମିଳିବ। ଭଗବାନ ତାଙ୍କୁ ରକ୍ଷା କରିବେ।ଯେଉଁମାନେ ଭାବୁଛନ୍ତି, ହଳେ ଜୋତାରେ ଦିଲ୍ଲୀବାସୀଙ୍କୁ କିଣିଦେବେ, ସେମାନେ ଭ୍ରମରେ ରୁହନ୍ତୁନି। ବିଜେପି ପ୍ରାର୍ଥୀ ପରଭେସ ବର୍ମା ସର୍ବସମ୍ମୁଖରେ ଭୋଟରଙ୍କୁ ଜୋତା ବାଣ୍ଟିଥିବାରୁ ଏଭଳି କଟାକ୍ଷ କରିଥିଲେ କେଜ୍ରିଓ୍ୱାଲ୍। ଏହା ଆଚାର ସଂହିତାର ଖୁଲା ଉଲ୍ଲଂଘନ। ଏହାକୁ ନିର୍ବାଚନ କମିଶନଙ୍କ ନଜରରେ କଅଣ ପଡ଼ୁନି।
ଲୋକସଭା ନିର୍ବାଚନରେ ୭ରୁ ୭ ଆସନ ଜିତି କ୍ଲିନ ସ୍ୱିପ୍ କରିଥିଲା ବିଜେପି। କିନ୍ତୁ ଦିଲ୍ଲୀରେ କ୍ଷମତା ଶାସନ ଡୋରିରୁ ଗଲା ୨୬ ବର୍ଷ ଧରି ଦୂରେଇ ରହିଛି ବିଜେପି। ୧୯୯୮ରୁ ୨୦୧୩ ଯାଏ ସିଲା ଦୀକ୍ଷିତ ଓ ୨୦୧୩ରୁ ୨୦୨୪ ଯାଏ କେଜ୍ରିଓ୍ୱାଲଙ୍କ ନେତୃତ୍ୱକୁ ଆପଣାଇଥିଲେ ଦିଲ୍ଲୀ ବାସିନ୍ଦା। ବିଜେପି କହିଛି, ଗଲା ୨୭ ବର୍ଷ ହେଲା ଦିଲ୍ଲୀ ଦୁର୍ନୀତିର ସଂସ୍କୃତିରେ ପେଶି ହୋଇଗଲାଣି। ଲୁଟେରା, ଭ୍ରଷ୍ଟାଚାରୀ ଦିଲ୍ଲୀବାସୀଙ୍କ ଶତୃ ସାଜିଛନ୍ତି। ଏଥର ଏମାନଙ୍କୁ ଦିଲ୍ଲୀବାସୀ ଏକଜୁଟ ହୋଇ ହଟାଇ ଦିଲ୍ଲୀକୁ ଭ୍ରଷ୍ଟାଚାରରୁ ମୁକ୍ତି ଦେବେ।
ନିର୍ବାଚନ ସନ୍ଦର୍ଭରେ ରାହୁଲ ଗାନ୍ଧୀ କହିଛନ୍ତି, ଆଜି କେହି ଅବାଧ ନିର୍ବାଚନ ଲଢ଼ୁନାହାନ୍ତି। ବିଜେପି ଓ ଆରଏସଏସ ସମସ୍ତ ସଂସ୍ଥାକୁ କବଜା କରିନେଇଛି।ମହାରାଷ୍ଟ୍ର ନିର୍ବାଚନରେ ନିର୍ବାଚନ କମିଶନଙ୍କ ଭୂମିକା କେତେ ସନ୍ଦେହଜନକ ଥିଲା, ସମସ୍ତେ ଦେଖିଲେ।ଭୋଟର ତାଲିକାରେ ସ୍ୱଛତା ରହୁନି। ନିର୍ବାଚନ ବ୍ୟବସ୍ଥାରେ ଗମ୍ଭୀର ସମସ୍ୟା ଥିବା କେବଳ କଂଗ୍ରେସ ନୁହେଁ, ସମସ୍ତ ବିରୋଧୀ ଦଳକୁ ଭାବିବା ଦରକାର।
କେଜ୍ରିଓ୍ୱାଲଙ୍କ ନାମାଙ୍କନ ଦାଖଲ ପୂର୍ବରୁ ତାଙ୍କ ବିରୁଦ୍ଧରେ ମାମଲା ଚଳାଇବାକୁ ଇଡିକୁ କେନ୍ଦ୍ରର ସବୁଜସଙ୍କେତ ଦିଲ୍ଲୀ ରାଜନୀତିକୁ ରୋଚକ ମୋଡ଼ରେ ଛିଡ଼ା କରିଦେଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now