ଅବିଭାଗିକୃତ

୨୪ରୁ ୨୮ ଗୋପାଳପୁର ବେଳାଭୂମି ମହୋତ୍ସବ

ବ୍ରହ୍ମପୁର: ଆସନ୍ତା ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ । ଏଥିପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦିଆଯାଇଛି। ଗତ ଦୁଇବର୍ଷ ଧରି କରୋନା କଟକଣା ପାଇଁ ବନ୍ଦ ରହିଥିଲା ମହୋତ୍ସବ । ସେଥିପାଇଁ ଚଳିତ ବର୍ଷ ବେଶ ଧୁମଧାମରେ ପାଳନ ପାଇଁ ଯୋଜନା କରିଛି ପ୍ରଶାସନ ।

ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଆୟୋଜିତ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ଆସନ୍ତା ୨୪ ତାରିଖରୁ ୨୮ ଯାଏଁ ଦୀର୍ଘ ୫ ଦିନ ବ୍ୟାପୀ ହେବାକୁ ଥିବା ମହୋତ୍ସବ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି ପ୍ରସ୍ତୁତି ପର୍ବ ।  ପ୍ରଥମ ଥର ପାଇଁ ଜିଲ୍ଲାପ୍ରଶାସନ ଏଭଳି ମେଗା କାର୍ଯ୍ୟକ୍ରମ ହାତକୁ ନେଇଛି । ସ୍ଥାନୀୟ କଳାକାରଙ୍କୁ ଅଧିକରୁ ଅଧିକ ସୁଯୋଗ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ମଞ୍ଚର ବ୍ୟବସ୍ଥା କରାଯିବ । ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ବଲିଉଡ ଓ ଓଲିଉଡ ସିଙ୍ଗର ମାନଙ୍କୁ ସୁଯୋଗ ଦିଆଯିବ । ସେପଟେ ଫୁଡ଼ ଷ୍ଟଲରେ ଦିନକୁ ଦୁଇ ଥର ଖାଦ୍ୟର ମାନ ଯାଞ୍ଚ କରିବେ ନିଗମ ଅଧିକାରୀ।  ଏହାସହ ପଲ୍ଲିଶ୍ରୀ ମେଳାରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସୁଯୋଗ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ସମ୍ଭାବ୍ୟ ଭିଡକୁ ଦେଖି ସଂପୂର୍ଣ୍ଣ ଅଞ୍ଚଳ ସିସିଟିଭି କ୍ୟାମେରା ନଜରରେ ରହିବ । ଟ୍ରାଫିକ ସମସ୍ୟା ର ସମାଧାନ ପାଇଁ ଅଧିକ ପାର୍କିଂ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ତେବେ ବେଳାଭୂମି ମହୋତ୍ସବକୁ ଉପଭୋଗ କରିବା ସହ ବିଭିନ୍ନ ପ୍ରକାସ ସୁସ୍ବାଦୁ ଖାଦ୍ୟର ମଜା ନେଇପାରିବେ ଦର୍ଶକ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button