ଦେଶ ସ୍ୱାଧିନତା ଦୀର୍ଘ ବର୍ଷ ପରେ ବି ଏବେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଲୋକ। ଗୋଟିଏ ପଟେ କେନ୍ଦ୍ର ଓ ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ସାମ୍ନାକୁ ଆସିଛି ପୁଣି ଜନନୀ ଯନ୍ତ୍ରଣାର ଘଟଣା। ରାସ୍ତାରେ ନାଳ ବାଧକ ସାଜିବାରୁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଏକ କିଲୋମିଟର ବାଟ ଖଟିଆରେ ବୁହାହୋଇ ଗଲେ ପ୍ରସୂତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛ ବୌଦ୍ଧ ଜିଲ୍ଲା ବାଣୀଭୂଷଣପୁର ପଞ୍ଚାୟତ ଅନ୍ତର୍ଗତ ଡିଗିସିରା ଗ୍ରାମରେ । ଗର୍ଭବତୀ ମହିଳା ଜଣକ ହେଲେ ଡିଗିସିରା ଗ୍ରାମ ର ରବୀନ୍ଦ୍ର ଜାନିଙ୍କ ପତ୍ନୀ ରଞ୍ଜିତା ଜାନି । ରଞ୍ଜିତାଙ୍କୁ ସକାଳୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ଦେଖି ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସି ପହଁଚିଥିଲେ ସୁଦ୍ଧା ବାଟରେ ଲକ୍ଷ୍ମୀ ନାଳ ପଡିବାରୁ ଗାଁରେ ପହଁଚି ପାରିନଥିଲ। ତେଣୁ ଗାଁ ଠାରୁ ଏକ କିଲୋମିଟର ଦୂରରେ ଅଟକି ରହିଥିଲା ଆମ୍ୱୁଲାନ୍ସ । ପରେ ଆମ୍ବୁଲାନ୍ସ କର୍ମଚାରୀ ଗାଁକୁ ନାଳ ଡେଇଁ ଚାଲି ଚାଲି ଯାଇଥିଲେ । ପରେ ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀ ମିଶି ପ୍ରସବାଙ୍କୁ ଖଟିଆ ରେ ବୋହି ଆଣ୍ଠୁଏ ପାଣିରେ ନାଳ ପାର କରି ଆଣିଥିଲେ । ପ୍ରସୂତିଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଏ ଗୋଟିଏ ଘଟଣା ନୁହେଁ ପ୍ରତିବର୍ଷ ଏହି ଗାଁରେ ଏଭଳି ଅନେକ ମହିଳାଙ୍କୁ ଖଟିଆରେ ବୋହି ନେବାକୁ ପଡୁଛି । ଏମିତି କି ଅନେକ ପ୍ରସୂତିଙ୍କ ଜୀବନ ମଧ୍ୟଯାଇଛି । ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଗାଁ କୁ ରାସ୍ତା କି ବ୍ରିଜ କରୁନି। ଯାହା ଫଳରେ ବହୁ ଅସୁବିଧା ସମ୍ମୁଖୀନ ହେଉଥିବା କହି ପ୍ରଶାସନ ଉପରେ ନିଜ ଆକ୍ରୋଶ ଝାଡିଛନ୍ତି ଗ୍ରାମବାସୀ।
ଅତୀତରେ ଏଭଳି ଅନେକ ଘଟଣା ସରକାରଙ୍କ ଅପାରଗତାକୁ ପଦାରେ ପକାଇଥିବା ବେଳେ ବିକାଶର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ରାଜ୍ୟରେ ଏଭଳି ଅନେକ ଗାଁକୁ ଏବେ ମଧ୍ୟ ଭଲ ରାସ୍ତା ଖଣ୍ଡିଏ କି ବ୍ରିଜ ଟିଏ ନଥିବାରୁ ବିଭିନ୍ନ ସମୟରେ ରୋଗୀ କିମ୍ୱା ପ୍ରସୂତିଙ୍କୁ ଭାରା କିମ୍ୱା ଖଟିଆରେ ବୋହି ନେବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now