ମେଳି ବାନ୍ଧିଲେ ବରିଷ୍ଠ। ବିଜେଡିକୁ ଅଧିକ ସଂଗଠିତ କରିବାକୁ ଏକାଠି ହେଲେ। ପୂର୍ବରୁ ବିଜୁ ଅନୁଗତ ନେତାଙ୍କ ପୁଅଙ୍କ ମେଳି ଭୁବନେଶ୍ୱରରୁ ନେଇ ହାଇଦ୍ରାବାଦ ଯାଏ ଚର୍ଚ୍ଚାରେ ରହିଥିଲା। ଏଣିକି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ବରିଷ୍ଠ ନେତାଙ୍କ ଆସର ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ବାସ୍ତବରେ ଦଳକୁ ଏକାଠି କରିବାକୁ ଏଭଳି ମେଳି ନା ଦଳ ଏବେ ବି ନବୀନଙ୍କ ବଦଳରେ ଆଉ କାହା ନିୟନ୍ତ୍ରଣରେ ଥିବାରୁ ଏହାକୁ କେମିତି ଚେକମେଟ୍ ଦିଆଯିବ, ସେଥିଲାଗି ରଣନୀତି।ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ଏକାଠି ହୋଇଥିଲେ ପଦ୍ମନାଭ ବେହେରା, ଅଶୋକ ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, ଭୁପିନ୍ଦର ସିଂଙ୍କ ଭଳି ଅନେକ ପରାଜିତ ନେତା। ତେବେ ପ୍ରସନ୍ନ କହିଛନ୍ତି, ସଂଗଠନ ଲାଗି ବୟସ ବାଧକ ନୁହେଁ। ତାଙ୍କ ଅସୁସ୍ଥତା ଖବର ପାଇ ସମସ୍ତେ ଭେଟିବାକୁ ଆସିଥିଲେ। ଆଜି ବି ନବୀନ ଅଦ୍ୱିତୀୟ ନେତା। ନବୀନଙ୍କ କ୍ରେଜ୍ ସବୁଠି ବାରି ହୋଇପଡୁଛି।
ଅନ୍ୟ ନେତା କହିଛନ୍ତି, ଭେଟଘାଟ ଭିତରେ ଦଳର ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ବି କଥା ହେଲା। ସାଂଗଠନିକ ନିର୍ବାଚନ ଲାଗି ସମୟ ନିଆଯାଇଛି। ଉପଯୁକ୍ତ ସମୟ ଆସିଲେ ନିର୍ବାଚନ ହେବ। ଏମିତିରେ ପୂର୍ବତନ ସଂଗଠନ ସମ୍ପାଦକ ବବି ଦାସଙ୍କୁ ନେଇ ବି ଦଳରେ ଅସନ୍ତୋଷ କୁହୁଳୁଛି। ଏବେ ବି ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ବିଜେଡି ବୋଲି କୁହାଯାଉଛି। ସମସ୍ତଙ୍କୁ ନେଇ କେମିତି ଦଳ ଆଗକୁ ଚାଲିବ ଓ ମଝଭୁତ୍ ହେବ, ସେ ଦିଗରେ ବିଚାରବିମର୍ଶ ହୋଇଛି। ଡବଲ ଇଞ୍ଜିନ ସରକାରର ଦୋଷତୃଟିକୁ ପଦାରେ ପକାଇବୁ।
ଗଲା ଅକ୍ଟୋବରରେ ୭ ପରାଜିତ ଯୁବ ବିଜେଡି ବିଧାୟକଙ୍କ ମେଳି ଭୁବନେଶ୍ୱରର ଏକ ହୋଟେଲରେ ହୋଇଥିଲା। ଏମାନେ ଉତ୍ତରାଧିକାରୀ ସୂତ୍ରରେ ରାଜନୀତିକୁ ଆସିଥିଲେ। ଏମାନଙ୍କ ପିତା ବିଜୁ ଅନୁଗତ ଥିଲେ। ଏହା ପରେ ହାଇଦ୍ରାବାଦ ହଲିଡେ ଟ୍ରିପରେ ଯାଇ ସେଠାରେ ବି ଏକାଠି ହୋଇଥିଲେ ଏମାନେ। କୁହାଯାଉଥିଲା, ଦଳକୁ ସଂଗଠିତ ଲାଗି ଏଭଳି ଏକାଠି ବସିଥିଲେ। ତେବେ ବିପର୍ଯ୍ୟୟ ପରେ ବିଜେଡିରେ ଯେ ଅଲ ଇଜ୍ ନଟ୍ ୱେଲ ଫର୍ମାଟ ଜଳଜଳ କରି ଦିଶୁଥିଲା। ଏହାକୁ ଢାଙ୍କିବା, ନବୀନଙ୍କ ନେତୃତ୍ୱ ଏବେ ବି କାଏମ ରହିଛି ବୋଲି ଦେଖାଇବାକୁ ବିଜେଡି ଏଭଳି ମଝିରେ ମଝିରେ ଝଲକ ଦେଖାଉଛି ବୋଲି ବିଜେପି କଟାକ୍ଷ କରିଛି। ହେଲେ ଜନତା ମୋହନ ସରକାରଙ୍କ କଥା ଓ କାମକୁ ଦେଖିସାରିଲେଣି। ବିଜେଡି ଆଉ କିଛି ଦିନ ପରେ ଭାଙ୍ଗିଯିବ।
ମେଳି ବାନ୍ଧିଲେ ବିଜେଡିର ବରିଷ୍ଠ। ଶଙ୍ଖ ଭବନ କି ନବୀନ ନିବାସରେ ହୁଏତ ଏଭଳି ବୈଠକ ହୋଇଥିଲେ ଏହା ଅଧିକ ଚର୍ଚ୍ଚାର ବିଷୟ ସାଜିନଥାଆନ୍ତା। କିନ୍ତୁ ପ୍ରସନ୍ନଙ୍କ ଘରେ ଭେଟଘାଟ ମେଳି ପଛର ରହସ୍ୟ ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now