କୂଅରେ ଚାଲିଗଲା ୮ ଜୀବନ..

ଜଣଙ୍କୁ ବଞ୍ଚାଇବାକୁ ଯାଇ ଆଉ ୭ଜଣଙ୍କ ଜୀବନ ଗଲା। ମଧ୍ୟପ୍ରଦେଶ ଇନ୍ଦୋରରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଖଣ୍ଡଓ୍ୱା ଜିଲ୍ଲାରେ ଜଣେ ବ୍ୟକ୍ତି କୂଅରେ ପଡ଼ିଯାଇଥିଲେ। ଆଉ ତାଙ୍କୁ ଉଦ୍ଧାର କରିବାକୁ କୂଅକୁ ଡେଇଁଥିଲେ ଜଣକ ପରେ ଜଣେ। କିନ୍ତୁ ଶ୍ୱାସରୁଦ୍ଧ ଲାଗି ଜଣେ ହେଲେ କେହି ବାହାରକୁ ଆସିପାରିଲେନି। ମୋଟ୍ ୮ଜଣଙ୍କ ମୃତ୍ୟୁ ହୋଇଛି। କୂଅ ଭିତରେ ସମସ୍ତଙ୍କର ମୃତ୍ୟୁ ହୋଇଗଲା। କୋଣ୍ଡାଓ୍ୱାଟ ଗାଁରେ ଗଙ୍ଗାଉର ଉତ୍ସବ ପାଳନ ବେଳେ ଏଭଳି ଅଘଟଣ ଘଟିଛି। ଗଙ୍ଗାଉର ପ୍ରତିମୂର୍ତ୍ତି ବିସର୍ଜନ ପାଇଁ କୂଅକୁ ସଫା କରିବାକୁ ବାହାରିଥିଲେ ଏମାନେ। ଉତ୍ସବ ଦେଖିଲା ବେଳେ କୂଅକୁ ଲାଗିଥିବା ଦଉଡି ଛିଡ଼ିପଡ଼ିବାରୁ ଜଣେ ଯୁବକ କୂଅରେ ପଡ଼ିଯାଇଥିଲେ। କାଦୁଅରେ ଫସିଗଲେ ଆଉ ବାହାରକୁ ବାହାରିପାରିଲେନି। ଏହାକୁ ଦେଖି ଜଣକ ପରେ ଜଣେ କୂଅକୁ ଡେଇଁ ଜୀବନ ବଞ୍ଚାଇବାକୁ ଚାହିଁଥିଲେ। କିନ୍ତୁ ବିଡ଼ମ୍ୱନା। କେହି ଆଉ ଜୀବିତ ରହିଲେନି। ପ୍ରାଥମିକ ତଦନ୍ତରୁ କୂଅ ଭିତରେ ଥିବା ବିଷାକ୍ତ ଗ୍ୟାସରୁ ସେମାନଙ୍କ ନିଶ୍ୱାସପ୍ରଶ୍ୱାସ ରୁନ୍ଧି ହୋଇଯାଇଥିବା କହିଛନ୍ତି ଖଣ୍ଡଓ୍ୱା ଏସପି ମନୋଜ ରାଏ। ଅଗ୍ନିଶମ ବିଭାଗର ୧୫ ଜଣିଆ ଟିମ୍ ପ୍ରାୟ ଘଣ୍ଟାଏ କସରତ କରିବା ପରେ କାଦୁଅ ଭିତରୁ ସମସ୍ତ ଶବକୁ ବାହାର କରିଥିଲେ। ମୃତକ ହେଲେ ରାକେଶ, ବାସୁଦେବ, ଅର୍ଜୁନ, ଗଜାନନ୍ଦ, ମୋହନ, ଅଜୟ, ଶରଣ ଓ ଅନୀଲ। ଶବ ବ୍ୟବଛେଦ ଲାଗି ପଠାଇଦିଆଯାଇଛି। ଦୀର୍ଘ ବର୍ଷ ହେଲା କୂଅଟି ଅବ୍ୟବହୃତ ହୋଇପଡ଼ିଥିଲା। କୂଅକୁ କେବଳ ମୂର୍ତ୍ତି ବିସର୍ଜନରେ ବ୍ୟବହାର ହେଉଥିଲା। ଜିଲ୍ଲାପାଳ ରିସଭ ଗୁପ୍ତା ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାରାଶି ଦେବାକୁ ଘୋଷଣା କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *