କେଜ୍ରିଓ୍ୱାଲଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂକୁ ରୋକ୍ ଲଗାଇଲା ଦିଲ୍ଲୀ ପୁଲିସ। ଏହାକୁ ନେଇ ଆପ୍ ଓ ବିଜେପି ଭିତରେ ତୁତୁମେମେର ଆଉ ଏକ ଏପିସୋଡ୍ ଆରମ୍ଭ ହୋଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଜୋରଦାର ପୋଷ୍ଟର ଓ୍ୱାର୍ ଜାରି ରହିଛି। ଆମ୍ ଆଦମୀ ଦଳର ଆବାହକ କେଜ୍ରିଓ୍ୱାଲଙ୍କ ଉପରେ ଦଳ ତିଆରି କରିଥିଲା ଡକ୍ୟୁମେଣ୍ଟାରି ଫିଲ୍ମ। ଯାହାର ନାଁ ଅନବ୍ରେକେବୁଲ୍। ଏହାର ସ୍କ୍ରିନିଂ ହେବାର ଥିଲା। କିନ୍ତୁ ତା ଆଗରୁ ପୁଲିସ ଏଥିରେ ଅଙ୍କୁଶ ଲଗାଇଛି। ଦଳ ଏହାକୁ ବିଜେପିର ଷଡ଼ଯନ୍ତ୍ର ବୋଲି କହିଛି। ଦିଲ୍ଲୀ ପୁଲିସ ବିଜେପିର ନିର୍ଦେଶରେ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂରେ ରୋକ୍ ଲଗାଇଛି। ଏହି ଡକ୍ୟୁମେଣ୍ଟାରି ଆପ୍ ନେତାଙ୍କ ଜେଲ୍ ଯିବା ଉପରେ ତିଆରି ହୋଇଛି। ଏହା ସହ କେଜ୍ରିଓ୍ୱାଲ ଜେଲ୍ ଯିବା ପରେ କେମିତି ଦଳ ସଂଘର୍ଷ କରିଥିଲା ଓ ଜେଲରୁ କେଜ୍ରିଓ୍ୱାଲ ଫେରିବା ପରେ କେମିତି ଘଟଣାବହୁଳ ଥିଲା ଏ ସବୁ ଦର୍ଶାଯାଇଛି। ବିଜେପି ସରକାରର ଅସାମ୍ୱିଧାନିକ ଆକ୍ସନ ଓ ବେଆଇନ କାମକୁ ଏକ୍ସପୋଜ୍ କରିବାକୁ ଏହି ସ୍କ୍ରିନିଂ ସାମ୍ୱାଦିକଙ୍କୁ ଦେଖାଇବାକୁ ଯୋଜନା ହୋଇଥିଲା। ଶନିବାର ସକାଳ ସାଢ଼େ ୧୧ଟାରେ ଏହାର ସ୍କ୍ରିନିଂ ହେବାର ଥିଲା। ଦିଲ୍ଲୀ ଆଇଟିଓ ପାଖରେ ବାହାଦୁର ଶାହା ଜଫର ମାର୍ଗର ପ୍ୟାରେଲାଲ ଭବନରେ ସ୍କ୍ରିନିଂ ହେବାର ଥିଲା। କିନ୍ତୁ ଦିଲ୍ଲୀର ସମସ୍ତ ଥିଏଟର ମାଲିକଙ୍କୁ ଏହି ଡକ୍ୟୁମେଣ୍ଟାରୀ ନ ଦେଖାଇବାକୁ ଧମକ ଦିଆଯାଇଛି। ଆପ୍ କହିଛି, ସେମାନେ ଡକ୍ୟୁମେଣ୍ଟାରୀ ଦେଖାଇବେ। ସେମାନଙ୍କ ସ୍ୱରକୁ ଚାପିପାରିବନି ବିଜେପି। ଏ ଡକ୍ୟୁମେଣ୍ଟାରୀ ସହ ନିର୍ବାଚନର ଲେନଦେନ ନାହିଁ। ଏହା ସମ୍ପୂର୍ଣ୍ଣ ପ୍ରାଇଭେଟ୍। ଏହା ଉପରେ ରୋକ୍ ଲଗାଇବା ଗୁଣ୍ଡାଗର୍ଦ୍ଦି ଓ ଏକଛତ୍ରବାଦର ପ୍ରତୀକ।
ସେପଟେ ଦିଲ୍ଲୀ ପୁଲିସ କହିଛି, ନିୟମ ଅନୁସାରେ ରାଜନୈତିକ ଦଳଗୁଡ଼ିକ କାମ କରିବା ଜରୁରୀ। ଏଭଳି ସ୍କ୍ରିନିଂ ଲାଗି ପୁଲିସଠୁ କୌଣସି ଅନୁମତି ଲୋଡ଼ାଯାଇନଥିଲା। ନିର୍ବାଚନ ଆଚରଣ ବିଧି ଜାରି ବେଳେ ସମସ୍ତ ଦଳ ନିୟମକୁ ଅନୁପାଳନ କରିବାକୁ ଅପିଲ୍ କରିଛି ପୁଲିସ। ବିଜେପି କହିଛି, ଦୁର୍ନୀତି କରି ଦିଲ୍ଲୀବାସୀଙ୍କୁ ଲୁଟ୍ କରି ଜେଲ୍ ଯାଇ ଜାମିନରେ ଫେରିଥିବା କେଜ୍ରିଓ୍ୱାଲଙ୍କୁ ଲାଜସରମ ଥିଲେ ଏଭଳି ସ୍କ୍ରିନିଂ କରିବାକୁ ଚିନ୍ତା କରିନଥାଆନ୍ତେ। କାହିଁକି ଜେଲ୍ ଯାଇଥିଲେ କେଜ୍ରିଓ୍ୱାଲ, ସିସୋଦିଆ, ସଞ୍ଜୟ ସିଂ, ସତ୍ୟେନ୍ଦ୍ର ଜୈନଙ୍କ ଭଳି ନେତା। ଏ କଥା ଜନତା ଜାଣନ୍ତି। ନିଜର କଳୁଷିତ ଛବିକୁ ଏଭଳି ସ୍କ୍ରିନିଂ ଜରିଆରେ ସୁଧାରିବାକୁ ପ୍ରୟାସ ହାସ୍ୟାସ୍ପଦ। ଅନବ୍ରେକେବୁଲ ବା କଦାପି ଭାଙ୍ଗିବନି ଥିଓରୀରେ ଦିଲ୍ଲୀ ନିର୍ବାଚନ ବେଳେ ଆପ୍ର ଏଭଳି ସ୍କ୍ରିନିଂକୁ ପୁଲିସର ବ୍ୟାନ୍ କାହାକୁ ଅଧିକ ପଲିଟିକାଲ ମାଇଲେଜ୍ ଦେବ, ସମୟ କହିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now